ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ଗାଲେ (Galle) ଠାରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ୧୬ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ନିରୋଶନ୍ ଡିକ୍‌ୱେଲାଙ୍କ ପ୍ରତ୍ୟାବର୍ତ୍ତନ ସହ ଦୁଇଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି।

ମାର୍ଚ୍ଚ ୨୦୨୩ ପରଠାରୁ ଟେଷ୍ଟ ମ୍ୟାଚ୍‌ରୁ ବାହାରେ ଥିବା ୩୩ ବର୍ଷୀୟ ୱିକେଟକିପର୍-ବ୍ୟାଟର ନିରୋଶନ୍ ଡିକୱେଲା ପୁଣି ଦଳକୁ ଫେରିଛନ୍ତି। ଆହତ କୁଶଲ ମେଣ୍ଡିସଙ୍କ ସ୍ଥାନରେ ସେ ୱିକେଟକିପିଂ ଦାୟିତ୍ୱ ସମ୍ଭାଳିବେ। ଡିକୱେଲା ୫୪ଟି ଟେଷ୍ଟ ମ୍ୟାଚ୍‌ରୁ ୨୨ଟି ଅର୍ଦ୍ଧଶତକ ସହ ୨,୭୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି।

ଧନଞ୍ଜୟ ଡି'ସିଲଭା ଦଳର ଅଧିନାୟକ ଦାୟିତ୍ୱ ନେଇଥିବା ବେଳେ କାମିନ୍ଦୁ ମେଣ୍ଡିସଙ୍କୁ ଉପ-ଅଧିନାୟକ କରାଯାଇଛି। ସେହିଭଳି ଅନଭିଜ୍ଞ ଖେଳାଳି କେଶରା ନୁୱାନ୍ଥା ଏବଂ ପସିନ୍ଦୁ ସୂର୍ଯ୍ୟବନ୍ଦରା ଦଳରେ ସ୍ଥାନ ପାଇଛନ୍ତି।  ଭାରତ ବିପକ୍ଷ ୱାର୍ମ-ଅପ୍ ମ୍ୟାଚ୍‌ରେ ନିଜ ବୋଲିଂ ଜରିଆରେ ପ୍ରଭାବିତ କରିଥିବା ସ୍ପିନର ନୁୱାନ୍ଥା ଏହି ମ୍ୟାଚ୍‌ରେ ଟେଷ୍ଟ ଡେବ୍ୟୁ କରିବାର ସମ୍ଭାବନା ରହିଛି।
ଦଳର ଦୁଇ ପ୍ରମୁଖ ବ୍ୟାଟର ପାଥୁମ୍ ନିଶାଙ୍କା  ଏବଂ କୁଶଲ ମେଣ୍ଡିସ୍ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି।

ସେପଟେ ଅଫ୍-ସ୍ପିନର ରମେଶ ମେଣ୍ଡିସ୍ ଏବଂ ବାମହାତୀ ପେସର ଦିଲଶାନ୍ ମାଧୁଶଙ୍କା ଦଳକୁ ଫେରିଛନ୍ତି। ପ୍ରଭାତ ଜୟସୂରିୟା ସ୍ପିନ୍ ବିଭାଗ ସମ୍ଭାଳୁଥିବା ବେଳେ ଅସିଥା ଫର୍ନାଣ୍ଡୋ ଏବଂ ବିଶ୍ୱ ଫର୍ନାଣ୍ଡୋ ଦ୍ରୁତ ବୋଲିଂର ନେତୃତ୍ୱ ନେବେ। ଲହିରୁ କୁମାରାଙ୍କୁ ଦଳରେ ରଖାଯାଇଥିଲେ ହେଁ ତାଙ୍କ ଫିଟନେସ୍ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ପ୍ରଥମ ଟେଷ୍ଟ ପାଇଁ ଶ୍ରୀଲଙ୍କା ଦଳ
ଧନଞ୍ଜୟ ଡି'ସିଲଭା (ଅଧିନାୟକ), ଲହିରୁ ଉଦାନା, ନିଶାନ ମାଧୁଶଙ୍କା, କାମିନ୍ଦୁ ମେଣ୍ଡିସ୍ (ଉପ-ଅଧିନାୟକ), ଦିନେଶ ଚାନ୍ଦିମାଲ, ପସିନ୍ଦୁ ସୂର୍ଯ୍ୟବନ୍ଦରା, ସୋନାଲ ଦିନୁଷା, ନିରୋଶନ୍ ଡିକୱେଲା (ୱିକେଟକିପର), ରମେଶ ମେଣ୍ଡିସ୍, ପ୍ରଭାତ ଜୟସୂରିୟା, କେଶରା ନୁୱାନ୍ଥା, ମିଲାନ୍ ରଥନାୟକେ, ଅସିଥା ଫର୍ନାଣ୍ଡୋ, ଲହିରୁ କୁମାରା, ବିଶ୍ୱ ଫର୍ନାଣ୍ଡୋ, ଏବଂ ଦିଲଶାନ୍ ମାଧୁଶଙ୍କା।