ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ରାଇଡ୍-ହେଲିଂ ପ୍ଲାଟଫର୍ମ ଓଲା, ଉବର ଓ ରାପିଡୋକୁ ରାଇଡର୍ସଙ୍କୁ ଆଡଭାନ୍ସ ଟିପ୍ ଦେବା ସୁବିଧା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏ ନଏଇ ଏକ ସର୍କୁଲାର ଜାରି କରିଥିବା ବେଳେ କହିଛନ୍ତି ଯେ କେତେକ ପ୍ଲାଟଫର୍ମ ତାଙ୍କ ଆପ୍ ରେ ଏହି ସୁବିଧା ଆରମ୍ଭ କରିଥିଲେ, ଯେଉଁଥିରେ ଯାତ୍ରୀଙ୍କୁ ପ୍ରଥମରୁ ଟିପ୍ ମଗା ଯାଉଥିଲା।

ମନ୍ତ୍ରାଳୟ ଅନୁସାରେ ଏପରି ବ୍ୟବସ୍ଥା ଯୋଗୁ ଏହି ଧାରଣା ସୃଷ୍ଟି ହୋଇ ପାରେଯେ ଆଡଭାନ୍ସ ଟିପ୍ ଦେବା ଦ୍ୱାରା ରାଇଡ ଶୀଘ୍ର ମିଳିବାର ସମ୍ଭାବନା ବଢି ଯାଏ। ଖାସ କରି ଚାହିଦା ଅଧିକ ଥିବା ବେଳେ ଏହି ବିକଳ୍ପ ଯାତ୍ରୀଙ୍କ ଉପରେ ଅତିରିକ୍ତ ପୈଠର ଚାପ ପକାଇ ପାରେ। ମନ୍ତ୍ରାଳୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଟିପ୍ ସମ୍ପୂର୍ଣ୍ଣ ଭାବେ ଯାତ୍ରୀଙ୍କ ନିଜ ଇଛା ଉପରେ ନିର୍ଭର କରିଥାଏ। ଏହାକୁ ରାଇଡ ମିଳିବା ସହ ଯୋଡା ଯାଇ ପାରିବନି। ଟିପ୍ କେବଳ ସର୍ଭିସରେ ସନ୍ତୁଷ୍ଟ ହେଲେ ଦିଆଯାଏ। ଯଦି ଯାତ୍ରୀ ଚାଳକଙ୍କ ସେବାରେ ସନ୍ତୁଷ୍ଟ ହୁଅନ୍ତି ତେବେ ତାଙ୍କ ଯାତ୍ରା ପୁରା ହେବା ପରେ ସେ କୌଣସି ଟିପ୍ ଦେଇ ପାରନ୍ତି।

କୌଣସି ପରିସ୍ଥିତିରେ ଟିପ୍ ଅଗ୍ରୀମ ମାଗିବା ଓ ଦେବା ବାଧ୍ୟତାମୂଳକ ହେବା କଥା ନୁହେଁ। ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ଯାତ୍ରୀଙ୍କୁ କୌଣସି ପ୍ରକାରର ଅତିରିକ୍ତ ପୈଠ ଚାପରୁ ମୁକ୍ତ କରିବା। ଦେଶର ବଡ଼ବଡ଼ ସହରାଞ୍ଚଳରେ କ୍ୟାବ ଓ ରାଇଡ ବୁକିଂ ସେବା ଉପଯୋଗ ଦ୍ରୁତ ବୃଦ୍ଧି ହେଉଛି। ଏହି ପ୍ଲାଟଫର୍ମରେ ଭଡା, ଆନୁମାନିକ ସମୟ ଓ ଅନ୍ୟ ଶୁଳ୍କ ପୂର୍ବରୁ ଦେଖାଯାଇଥାଏ। ଏଣୁ ସରକାର ଚାହୁଁଛନ୍ତି ଏହି ଟିପ୍ କୁ ମୂଳ ଭଡ଼ା ଓ ରାଇଡ ମିଳିବା ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ପୃଥକ ରଖାଯିବା ଆବଶ୍ୟକ।