ହାଇଦ୍ରାବାଦ: ଲୋକସଭା ଆସନ ସଂଖ୍ୟାକୁ ନେଇ ତାମିଲନାଡୁରେ ତେଜିଲା ରାଜନୀତି। ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ଏଥିରେ କେନ୍ଦ୍ର ସରକାରଙ୍କୁ ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ରେ ସ୍ଥାୟୀ ଭାବେ ରଖିବା ପାଇଁ ଅନୁରୋଧ କରାଯାଇଛି।

ଏହାସହ ଲୋକସଭା ଏବଂ ରାଜ୍ୟସଭା ଆସନ ମଧ୍ୟରେ ୨.୨:୧ ଅନୁପାତ ବଜାୟ ରଖିବାକୁ ମଧ୍ୟ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତାବ ଆଣିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କ ସରକାରକୁ ସମର୍ଥନ କରୁଥିବା ଦଳଗୁଡ଼ିକ, କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ସହ ଆଲୋଚନା କରିଥିଲେ।

ବିଧାନସଭାରେ ଆଗତ ପ୍ରସ୍ତାବରେ ୨୦୨୯ ଲୋକସଭା ନିର୍ବାଚନରୁ ହିଁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବାକୁ କୁହାଯାଇଛି। ଏହାକୁ ଆଉ ବିଳମ୍ବ ନକରି ବର୍ତ୍ତମାନର ୫୪୩ ଲୋକସଭା ଆସନ ଆଧାରରେ ଲାଗୁ କରିବାକୁ ପ୍ରସ୍ତାବରେ ଦାବି କରାଯାଇଛି। ବିଜୟ କହିଛନ୍ତି ଯେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା କୌଣସି ଅନୁଗ୍ରହ ନୁହେଁ ବରଂ ଏହା ସାମାଜିକ ନ୍ୟାୟର ବିଷୟ। ତାମିଲନାଡୁରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟ୍ ଦେଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

also read- SBI ଲକର୍‌ରେ ରଖିଥିଲେ ୫୦ ଲକ୍ଷର ଗହଣା, ୨୩ ବର୍ଷ ପରେ ଖୋଲିଲା ବେଳେ ସବୁ ଗାଏବ

ପ୍ରସ୍ତାବରେ କୁହାଯାଇଛି ଯେ ତାମିଲନାଡୁ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜନସଂଖ୍ୟା ଗଣନା ଦୀର୍ଘ ସମୟ ଧରି ହୋଇନାହିଁ। ଆଗାମୀ ଜନଗଣନାକୁ ନେଇ ମଧ୍ୟ ପ୍ରସ୍ତାବରେ ଉଲ୍ଲେଖ ରହିଛି। ଗତ ୫୦ ବର୍ଷ ଧରି ନିର୍ବାଚନମଣ୍ଡଳୀର ସମ୍ପ୍ରସାରଣ ହୋଇନଥିବାରୁ ୨୦୧୧ ଜନଗଣନା ଆଧାରରେ ପରିସୀମନ କରିବା ପାଇଁ ଦାବି ହୋଇଛି। ଏହାସହ ସାମ୍ବିଧାନିକ ସଂଶୋଧନ ବିଲ୍ ଆଣି ଲୋକସଭା ଏବଂ ବିଧାନସଭା ସଦସ୍ୟଙ୍କ ସଂଖ୍ୟାକୁ ୫୫୦ରୁ ୮୫୦କୁ ବୃଦ୍ଧି କରିବା ପ୍ରସ୍ତାବ ମଧ୍ୟ ରହିଛି।

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁର ମେଣ୍ଟ ଓ ସହଯୋଗୀ ଦଳର ସାଂସଦମାନଙ୍କୁ ନେଇ ଏକ ବୈଠକ ଡାକିଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ପରିସୀମନ ପ୍ରକ୍ରିୟାକୁ ବିରୋଧ କରିବା ନେଇ ଆଲୋଚନା ହୋଇଥିଲା।

Watch Video:-