ଅମରାବତୀ: ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଖୋଲାଖୋଲି ସମାଲୋଚନା କରିବା ବଦଳେ ସହଯୋଗୀ ତେଲଗୁଦେଶମ ପାର୍ଟି (ଟିଡିପି)କୁ କଡ଼ା ଚ୍ୟାଲେଞ୍ଜ କରୁଥିବାର ଦେଖା ଯାଉଛନ୍ତି। ସେ ଟିଡିପି ପ୍ରତି କୌଣସି ପ୍ରତ୍ୟକ୍ଷ ଟିପ୍ପଣୀ କରୁ ନାହାନ୍ତି , ହେଲେ ତାଙ୍କର ନୀରବତା ଓ ତାଙ୍କ କାର୍ଯ୍ୟକଳାପ ମେଣ୍ଟରେ ଏକ ନୂଆ ରାଜନୈତିକ ବିତର୍କର ସୂତ୍ରପାତ କରିଛି। ଖବର ଅନୁସାରେ ପବନ କଲ୍ୟାଣ ଗତ ୩ଟି କ୍ୟାବିନେଟ୍ ବୈଠକରେ ଯୋଗ ଦେଇ ନାହାନ୍ତି। ଏହା ପୂର୍ବରୁ ସେ ଦୁଇଥର କ୍ୟାବିନେଟ୍ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ। ଏଥିରୁ ଆକଳନ କରାଯାଉଛି ସେ ମେଣ୍ଟ ସରକାରଙ୍କ କିଛି ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି।

ଏ ବାବଦେ ସେ ସାର୍ବଜନିକ ବୟାନବାଜୀ ନ କରି ଅନୁପସ୍ଥିତି ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗୁରୁବାର ଅମରାବତୀରେ ଅନୁଷ୍ଠିତ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ଅମରାବତୀରେ ସିଡ ଏକ୍ସେସ ରୋଡର ଦ୍ୱିତୀୟ ପର୍ଯ୍ୟାୟ ବକିଂଘମ କେନାଲ ଉପରେ ନିର୍ମିତ ଷ୍ଟିଲ ପୋଲ ଓ ବିଧାୟକଙ୍କ ବାସଭବନ ଉଦଘାଟନ କରିଛନ୍ତି। ଖବର ଅନୁସାରେ ମନ୍ତ୍ରୀ ପି.ନାରାୟଣ କାର୍ଯ୍ୟକ୍ରମର ଦିନକ ପୂର୍ବରୁ ପବନ କଲ୍ୟାଣଙ୍କୁ ଭେଟି ତାଙ୍କୁ ଆମନ୍ତ୍ରଣ କରିଥିଲେ। ତେବେ ତାଙ୍କ ପାର୍ଟି ଜନସେନାରେ ଏହି ନିମନ୍ତ୍ରଣକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥିଲା।

ଉପମୁଖ୍ୟମନ୍ତ୍ରୀ ରୂପେ ପବନ କଲ୍ୟାଣ କାର୍ଯ୍ୟକ୍ରମରେ ପ୍ରାୟ ବ୍ୟସ୍ତ ରହୁଛନ୍ତି। ଏଥିରେ କୌଣସି କାର୍ଯ୍ୟକ୍ରମର ଦିନକ ପୂର୍ବରୁ ତାଙ୍କୁ ଆମନ୍ତ୍ରଣ କରାଯିବା ଠିକ୍ କି ବୋଲି ତାଙ୍କ ପାର୍ଟି ପ୍ରଶ୍ନ ଉଠାଇଛି। ପବନ କୁମାର ଗୁରୁବାର ବିଶ୍ୱ ହାତୀ ଦିବସ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ବିଶାଖାପାଟଣାରେ ଥିଲେ। ଏଥିରେ ଚନ୍ଦ୍ରବାବୁଙ୍କ ଅମରାବତୀ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ନ ରହିବା ସ୍ୱଭାବିକ ଭାବେ ରାଜନୈତିକ ଅଙ୍କକଷାକୁ ଜନ୍ମ ଦେଇଛି। ପୂର୍ବରୁ ଏପରି ଚର୍ଚ୍ଚା ହେଉଥିଲା ଚନ୍ଦ୍ରବାବୁ ନାୟଡୁ ଓ ନାରା ଲୋକେଶଙ୍କ ନୀତିରେ ପବନ କଲ୍ୟାଣ ପୂର୍ଣ୍ଣ ସହମତ ନଥିଲେ। ତେବେ ପବନ କେବେ ସାର୍ବଜନିକ ଭାବେ ମେଣ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରି ନାହାନ୍ତି। ସେ ବାରମ୍ବାର କହୁଛନ୍ତି ମେଣ୍ଟକୁ ଆଗକୁ ଅନେକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ଉଚିତ। ଏହି କାରଣରୁ ତାଙ୍କର ଏବେକା ବ୍ୟବହାର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି।

ଆନ୍ଧ୍ରପ୍ରଦେଶ ବିଧାୟକ ଆବାସ ନିର୍ମାଣରେ ଅନିୟମିତତାର ଅଭିଯୋଗ ମଧ୍ୟ ଉଠିଛି। ରଜନୈତିକ ଅଳିନ୍ଦରେ ଏବେ ଏହି ଆକଳନ କରାଯାଉଛି ଯେ ପବନ ଏବେ ଜାଣିଶୁଣି ସେହି ସବୁ ପ୍ରସଙ୍ଗରେ ଦୂରେଇ ରହୁଛନ୍ତି ଯେଉଁଥିରେ ତାଙ୍କୁ ଜନତାଙ୍କ ସମାଲୋଚନାର ଶରବ୍ୟ ହେବାକୁ ପଡିପାରେ। ତେବେ ଜନସେନା ପବନ ଓ ଟିଡିପି ମଧ୍ୟରେ ବଢୁଥିବା ଫାଟ ନେଇ କୌଣସି ଅଧିକାରୀକ ପ୍ରତିକ୍ରିୟା ଦେଉ ନାହିଁ। ଏହି ନୀରବତା ହିଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅଟକଳକୁ ଅଗ୍ରାହ୍ୟ କରିବା ବଦଳେ ଜନସେନା ଏବେ ଜନତାଙ୍କ ପ୍ରତିକ୍ରିୟା ଉପରେ ନଜର ରଖୁଛି। ଖବର ଅନୁସାରେ ଅପେକ୍ଷା କର ଓ ଦେଖ ନୀତି ଏବେ ଟିଡିପିର କିଛି ବର୍ଗଙ୍କୁ ଅସହଜ କରୁଛି। ତେବେ ପବନ ଏବେ ଖୁବ କମ କହୁଛନ୍ତି ହେଲେ ରାଜନୈତିକ ଦୃଷ୍ଟିରୁ ତାଙ୍କ ନୀରବ ରହିବା ବହୁତ କିଛି କହୁଛି।