ଦିଗପହଣ୍ଡି: ସବୁ ଦିନ ପରି ସଂଧ୍ୟା ଆଳତି କରିବା ଲାଗି ମନ୍ଦିର କବାଟ ଖୋଳିଥିଲେ ପୂଜାରୀ । କିନ୍ତୁ ଏହା ଅନ୍ୟ ଦିନ ପରି ସାଧାରଣ ନଥିଲା । ମନ୍ଦିର ଭିତରେ ଅପେକ୍ଷା ରହିଥିଲା ଜଣେ ବିଷାକ୍ତ ଅତିଥି । ୧୨ ଫୁଟ୍ ଲମ୍ୱ ସାଙ୍ଗକୁ ସଁ ସଁ ଗର୍ଜନ । ଅହିରାଜର ଆକାର ଏତେ ବଡ଼ ଥିଲା ଯେ ଦେଖିଲେ ପ୍ରାଣ ଛାଡ଼ିଯିବା ପରି ଭୟ ମାଡ଼ିଆସୁଥିଲା । ଗଞ୍ଜାମ ଜିଲ୍ଲାସ୍ଥିତ ରତ୍ନେଶ୍ଵରୀ ମନ୍ଦିର ଭିତରେ ଏହି ବିଶାଳ ସାପ ଦେଖାଯିବା ପରେ ଆତଙ୍କ ଖେଳିଯାଇଥିଲା ।

ଚିକିଟି ବ୍ଲକ ପଛପଟେ ରହିଛି ରତ୍ନେଶ୍ଵରୀ ମନ୍ଦିର । ମନ୍ଦିରର ପୂଜକ ସନ୍ଧ୍ୟା ଆରତି କରିବା ପାଇଁ ପହଞ୍ଚି କବାଟ ଖୋଲିବା ମାତ୍ରେ ସୀଧାସଳଖ ସେହି ବିଶାଳ ସାପ ସାମ୍ନାସାମ୍ନି ହୋଇଥିଲେ । ଏହି ଦୃଶ୍ୟ ଦେଖି ସେ ଚକିତ ହୋଇପଡ଼ିଥିଲେ ଏବଂ ମନ୍ଦିର ଭିତରକୁ ନ ଯାଇ ତୁରନ୍ତ ଚିକିଟି ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ସ୍ଥାନୀୟ ସ୍ନେକ୍ ହେଲ୍ପଲାଇନର ସଦସ୍ୟମାନେ ଅହିରାଜଟିକୁ ଉଦ୍ଧାର କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ । ତେବେ ଏହି ଉଦ୍ଧାର କାର୍ଯ୍ୟ ସହଜ ନଥିଲା । ବିଶାଳ ସାପକୁ ଧରିବା ପାଇଁ ଟିମକୁ ବେଶ ସାବଧାନତାର ସହ ଅନେକ ସମୟ କସରତ କରିବାକୁ ପଡ଼ିଥିଲା ।

 

ଉଦ୍ଧାର କାର୍ଯ୍ୟ ସମୟରେ ଏକ ବିଶେଷ ଘଟଣା ଦେଖିବାକୁ ମିଳିଥିଲା । ସ୍ନେକ୍ ହେଲ୍ପସାଇନ୍ ସଦସ୍ୟ ପାଖରେ ଥିବା ଢୋଲ ବଜାଇଥିଲେ । ଢୋଲର ଶବ୍ଦ ଗୁଞ୍ଜରିତ ହେଉଥିବା ବେଳେ, ବିଶାଳ ଅହିରାଜଟି ଅସାଧାରଣ ଭାବେ ଶାନ୍ତ ଓ ସ୍ଥିର ହୋଇ ରହିଥିଲା । ମନେହେଉଥିଲା ସେ ଯେପରି ଢୋଲର ତାଳରେ ପ୍ରତିକ୍ରିୟା ପ୍ରକାଶ କରୁଛି । ପ୍ରାୟ ଗୋଟିଏ ଘଣ୍ଟାର ସାବଧାନପୂର୍ଣ୍ଣ ଉଦ୍ୟମ ପରେ, ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟମାନେ ଶେଷରେ ୧୨ ଫୁଟ ଲମ୍ବର ଅହିରାଜକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ।