ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଏହି ଅବସରରେ ଅଷ୍ଟ୍ରେଲିୟା ୯ ଜୁଲାଇ ଗୁରୁବାର ଭାରତର ୩ ପ୍ରାଚୀନ କଳାକୃତି ଫେରାଇ ଦେବ ବୋଲି ଘୋଷଣା କରିଛି। ଏହି ସବୁ କଳାକୃତିରେ ଦେବୀ ଭଦ୍ରକାଳୀଙ୍କ ଧାତବ ମୂର୍ତ୍ତି ସମେତ ପଥରର ନନ୍ଦି ମୂର୍ତ୍ତି ଓ ଷଡ଼ାନନ କାର୍ତ୍ତିକେୟଙ୍କ ଏକ ବିରଳ ପଥର ମୂର୍ତ୍ତି ମଧ୍ୟ ରହିଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଆଲବାନିଜ୍ କହିଛନ୍ତି ଯେ ବନ୍ଧୁତ୍ୱର ଭାବନାରେ ଅଷ୍ଟ୍ରେଲିଆ ସ୍ୱେଚ୍ଛାକୃତ ଭାବେ ସାଂସ୍କୃତିକ ଗୁରୁତ୍ୱ ରଖୁଥିବା ବସ୍ତୁଗୁଡିକୁ ଭାରତକୁ ଫେରାଇ ଦେବ। ଏଗୁଡ଼ିକ ପୂର୍ବରୁ ନ୍ୟାସନାଲ ଗ୍ୟାଲେରୀ ଅଫ ଅଷ୍ଟ୍ରେଲିଆ ଓ ଆର୍ଟ ଗ୍ୟାଲେରୀ ଅଫ ନ୍ୟୁସାଉଥ ୱେଲସ୍ ସଂଗ୍ରହରେ ରଖା ଯାଇଛି।

ଏହି ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିବସୀୟ ଅଷ୍ଟ୍ରେଲିଆ ଗସ୍ତର ଦ୍ୱିତୀୟ ଦିନ କରାଯାଇଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ସମୂଦାୟ ଭବ୍ୟ ସ୍ୱାଗତ କରିଛନ୍ତି। ଦେବୀ ଭଦ୍ରକାଳୀଙ୍କ ମୂର୍ତ୍ତି ଯାହା ଶୈବ ଶକ୍ତି ପରମ୍ପରାରେ ସୁରକ୍ଷା, ଦୈବିୟ ଶକ୍ତି ଓ ଦୁଷ୍ଟବିନାଶର ପ୍ରତୀକ। ଏହି ମୂର୍ତ୍ତିଟି ତାମିଲନାଡୁର କୋଲ୍ଲୁମଙ୍ଗୁଡିସ୍ଥିତ ଶ୍ରୀ କାଶୀବିଶ୍ୱନାଥ ସ୍ୱାମୀ ମନ୍ଦିର ସହ ସମ୍ପୃକ୍ତ। ଏହା ଖ୍ରୀଷ୍ଟ ପୂର୍ବ ତ୍ରୟୋଦେଶରୁ ଷୋଡଶ ଶତାବ୍ଦୀର ବୋଲି ଅନୁମାନ କରାଯାଏ।

ତେବେ କାର୍ତ୍ତିକେୟଙ୍କ ମୂର୍ତ୍ତିଟି ଚୋଳ କାଳର । ଏହି ମୂର୍ତ୍ତିରେ କାର୍ତ୍ତିକେୟଙ୍କ ୬ଟି ମସ୍ତକ ଥିବା ଦେଖା ଯାଉଛି। ଏହା ଜ୍ଞାନ, ବୀରତା ଓ ଦୈବିୟ ସୁରକ୍ଷାର ପ୍ରତୀକ। ଏହି ମୂର୍ତ୍ତିଟି ତାଞ୍ଜାଉର ଜିଲ୍ଲାର ମନମବାଡିରେ ଥିବା ନାଗନାଥ ସ୍ୱାମୀ ମନ୍ଦିରରୁ ଚୋରି ହୋଇଯାଇଥିଲା। ଏହି ମୂର୍ତ୍ତିକୁ ୧୧ଦଶ ଶତାବ୍ଦୀରେ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଶାସନରେ ନିର୍ମାଣ ହୋଇଥିଲା। ସେହିପରି ନନ୍ଦି ମୂର୍ତ୍ତିଟି ମଧ୍ୟ କାଶୀବିଶ୍ୱନାଥ ସ୍ୱାମୀ ମନ୍ଦିରର ବୋଲି କୁହାଯାଉଛି। ଏହି ମୂର୍ତ୍ତିଟି ମଧ୍ୟ ଖ୍ରୀଷ୍ଟ ପୂର୍ବ ତ୍ରୟୋଦଶ ଓ ଷୋଡ଼ଶ ଶତାବ୍ଦୀର।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ କଳାକୃତି ବଦଳେ ଭାରତ ସରକାର ଅଷ୍ଟ୍ରେଲିଆର ‘ଫାଷ୍ଟ ନେସନସ୍’ (ମୂଳ ନିବାଶୀ ସମୂଦାୟ)ର ଜଣେ ବ୍ୟକ୍ତିଙ୍କ ଅବଶେଷ ଅଷ୍ଟ୍ରେଲିଆକୁ ଫେରାଇବ। ବର୍ତ୍ତମାନ ଏହି ଅବଶେଷ ଚେନ୍ନାଇର ଏକ ସରକାରୀ ସଂଗ୍ରହାଳୟରେ ସଂରକ୍ଷିତ ଅଛି। ଏନ୍ଥନୀ ଆଲବାନିଜ କହିଛନ୍ତି ଯେ ଅଷ୍ଟ୍ରେଲିଆ ଫାଷ୍ଟ ନେସନ ସମୂଦାୟର ଏକ ପୂର୍ବଜଙ୍କ ଅବଶେଷ ଫେରସ୍ତ ଆଣିବା ଦିଗରେ ହୋଇଥିବା ପ୍ରଗତିକୁ ସ୍ୱାଗତ କରୁଛି। ଭାରତ ସ୍ୱେଚ୍ଛାରେ ବିନା କୌଣସି ସର୍ତ୍ତରେ ଏହି ଅବଶେଷକୁ ସେମାନଙ୍କ ପାରମ୍ପରିକ ସଂରକ୍ଷକଙ୍କୁ ସମର୍ପି ଦେବ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଫାଷ୍ଟ ନେସନସ୍’ ସମୂଦାୟର ପୂର୍ବଜଙ୍କ ଅବଶେଷ ଫେରସ୍ତ ଦ୍ୱାରା ହିଲିଂ, ଜଷ୍ଟିସ୍ ଓ ସନ୍ଧିକୁ ପ୍ରୋତ୍ସାହନ ମିଳିବ। ଏଣୁ ମୁଁ ଫାଷ୍ଟ ନେସନସ୍ ସମୂଦାୟଙ୍କ ପୂର୍ବଜଙ୍କ ଅବଶେଷକୁ ତାଙ୍କ ପାରମ୍ପରିକ ସଂରକ୍ଷକଙ୍କ ଫେରସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଉଚ୍ଚ ପ୍ରଶଂସା କରୁଛି।