ନ୍ୟୁୟର୍କ, ୦୯/୦୧: କଳେ ବଳେ କୌଶଳେ ଗ୍ରୀନଲ୍ୟାଣ୍ଡକୁ ହାତେଇବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଯୋଜନା । ସାମରିକ ଶକ୍ତିରେ ହେଉ ବା ଡଲାର ଦେଇ ହେଉ ଯେମିତି ହେଲେ ସେ ଏହି ବରଫାବୃତ୍ତ ଦ୍ୱୀପକୁ ହାତେଇବାକୁ ପ୍ଲାନ୍ କରୁଛନ୍ତି । ଏହାସହ ଟଙ୍କା ଦେଇ ଡେନମାର୍କ ସହ ସମ୍ପର୍କ ଛଡାଇବାକୁ ଲୋଭ ଦେଖାଉଛନ୍ତି । କିପରି ଗ୍ରୀନଲ୍ୟାଣ୍ଡ୍ ଆମେରିକାର ନିକଟତର ହେବ ସେନେଇ ୟୁଏସ ପ୍ରେସିଡେଣ୍ଟକୁ ନିଦ ହେଉନି ।

ରୟଟର୍ସର ରିପୋର୍ଟ ଅନୁସାରେ, ଗ୍ରୀନଲ୍ୟାଣ୍ଡର ପ୍ରତ୍ୟେକ ନାଗରିକଙ୍କୁ ୧୦ ହଜାରରୁ ଏକ ଲକ୍ଷ ଆମେରିକୀୟ ଡଲାର ଦେବାକୁ ଆମେରିକା ରାଜି ଅଛି । ଏହା ଏକ ସେମି ଅଟୋନମସ ଦେଶ ଅର୍ଥାତ ଏହା ଉପରେ ଡେନମାର୍କର କିଛି ନିୟନ୍ତ୍ରଣ ରହିଛି । ଏଠାରେ ମୋଟ୍ ୫୭ ହଜାର ଲୋକେ ବସବାସ କରନ୍ତି । ଖାଲି ଏତିକି ନୁହେଁ ଉତ୍ତର ମେରୁରେ ଥିବା ଗ୍ରୀନଲ୍ୟାଣ୍ଡରେ ପ୍ରଚୁର ପ୍ରାକୃତିକ ସମ୍ବଳ ରହିଛି । ତେଣୁ ପ୍ରାୟ ୬ ବିଲିୟନ ଡଲାର ଖର୍ଚ୍ଚ କରି ଆମେରିକା ଗ୍ରୀନଲ୍ୟାଣ୍ଡକୁ କବଜା କରିବାକୁ ଲକ୍ଷ୍ୟ ରଖିଛି ।

ଆମେରିକା ପାଖରେ ଏବେ ଦୁଇଟି ବିକଳ୍ପ ରହିଛି । ଗୋଟିଏ ଦିଗରେ ସାମରିକ ଅଭିଯାନ ମାଧ୍ୟମରେ ଗ୍ରୀନଲ୍ୟାଣ୍ଡକୁ ୟୁଏସ ହାତେଇପାରିବ । ଯେଉଁଥିରେ ରିସ୍କ ଅଛି । କାରଣ ଗ୍ରୀନଲ୍ୟାଣ୍ଡ ଏବଂ ଭେନେଜୁଏଲା ପ୍ରସଙ୍ଗ ଅଲଗା । ଗ୍ରୀନଲ୍ୟାଣ୍ଡ ୟୁରୋପୀୟ ଦେଶ । ଏଠାରେ ଆକ୍ରମଣ ହେଲେ ଅନ୍ୟ ଶକ୍ତିଶାଳୀ ଦେଶ ଚୁପ୍ ବସିବେନି । ଦ୍ୱିତୀୟ ବିକଳ୍ପ ହେଉଛି ଟଙ୍କା ଦେଇ କବଜା କରିବା ।

ପୂର୍ବରୁ ଆମେରିକାର ଷ୍ଟେଟ୍ ସେକ୍ରେଟେରୀ ମାର୍କୋ ରୁବିଓ ସମାନ କଥା କହିଥିଲେ । ଆମେରିକା ଗ୍ରୀନଲ୍ୟାଣ୍ଡକୁ ଡଲାର ଦେବାକୁ ରାଜି ଥିବା ସେ କହିଥିଲେ । ସେପଟେ କିନ୍ତୁ ଫ୍ରାନ୍ସ, ଜର୍ମାନୀ, ଇଟାଲି, ଇଂଲଣ୍ଡ ଆଦି ଦେଶ ଟ୍ରମ୍ପଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଗ୍ରୀନଲ୍ୟାଣ୍ଡର କିଛି ହେଲେ ଆମେରିକାକୁ ସେମାନେ ଛାଡିବେ ନାହିଁ ବୋଲି ମଧ୍ୟ ଧମକ ଦେଇସାରିଛନ୍ତି ।

ଟ୍ରମ୍ପଙ୍କ ଅଭିଯୋଗ

ଟ୍ରମ୍ପ୍ ଲଗାତାର ଅଭିଯୋଗ କରି ଆସୁଛନ୍ତି ଯେ, ଗ୍ରୀନଲ୍ୟାଣ୍ଡ ଆମେରିକାର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏଠାରେ ଋଷ ଏବଂ ଚାଇନାର ଆଖି ରହିଛି । ସେ ଏହାକୁ ହାତେଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଡେନମାର୍କ ବାଧା ଦେଉଛି । ଅନ୍ୟ ଦିଗରେ ଆମେରିକା ପ୍ରଶାନ୍ତ ମହାସାଗରରେ ଥିବା କିଛି ଦ୍ୱୀପ ସହ ଅବାଧ ଚୁକ୍ତି କରିଛି । ସେହି ଧାରାରେ ଡେନମାର୍କଠୁ ସମ୍ପୂର୍ଣ୍ଣ ଭାବେ ସ୍ୱାଧିନ ହେଲା ପରେ ଆମେରିକା ଏହାର ନାଗରିକଙ୍କୁ ବିପୁଳ ଅର୍ଥ ଦେବ ବୋଲି ଯୋଜନା କରୁଛି ।