କୋଲକାତା, ୧୦/୦୪ : 'ହାର୍ କର୍ ଜିତନେ ଓ୍ୱାଲୋ କୋ ବାଜିଗର୍ କେହେତେ ହୈ' । କିଛି ଏମିତି ଦେଖିବାକୁ ମିଳିଥିଲା ଗୁରୁବାର କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ । ଜିତିବାକୁ ଯାଉଥିଲା କୋଲକାତା ନାଇଟ୍ ରାଇଡର୍ସ୍ । ଲକ୍ଷ୍ନୌ ସୁପର ଜାଏଣ୍ଟସର ସମସ୍ତ ଟପ୍ ବ୍ୟାଟର୍ ଆଉଟ୍ ହୋଇ ସାରିଥିଲେ । ରନ୍ ଏବଂ ବଲର ବ୍ୟବଧାନ ଅଧିକ ଥିଲା । ବିଜୟଠୁ ମାତ୍ର ୩ ଓ୍ୱିକେଟ୍ ଦୂରରେଥିଲା ଶାହରୁଖ ଖାନଙ୍କ ଟିମ୍ । ହେଲେ ସବୁ ଖେଳ ବିଗାଡି ଦେଲେ ମୁକୁଲ ଚୌଧରୀ ।

ଲକ୍ଷ୍ନୌ ବ୍ୟାଟର ମୁକୁଲ ଚୌଧରୀ । ମ୍ୟାଚ୍ ପୂର୍ବରୁ ସେତେଟା ପରିଚିତ ନଥିଲେ ସେ । କିନ୍ତୁ କୋଲକାତା ବିପକ୍ଷ ମ୍ୟାଚ୍ ତାଙ୍କୁ ହିରୋ ବନାଇ ଦେଇଛି ।୨୭ ବଲରୁ ୫୪ ରନ୍ କରି ସେ ଏଲଏସଜିକୁ ଜିତାଇଛନ୍ତି । ୨୧ ବର୍ଷୀୟ ମୁକୁଲ ନିଜର ଦମରେ କୋଲକାତା ହାତମୁଠାରୁ ବିଜୟ ଛଡାଇ ଆଣିଛନ୍ତି ।

ବିଜୟ ପରେ ସେ କହିଛନ୍ତି ଯେ, ସେ ଏହି ଜବରଦସ୍ତ ଇନିଂସକୁ ନିଜ ପିତାଙ୍କୁ ଡେଡିକେଟ୍ କରିଛନ୍ତି । ବାପାଙ୍କର ଇଚ୍ଛା ଥିଲା କି ସେ କ୍ରିକେଟର ହୁଅନ୍ତୁ । ପିଲାଦିନୁ ସେ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଦେଖି ଆସୁଛନ୍ତି ।ମାହି ଯେପରି ମ୍ୟାଚ୍ ଶେଷ କରନ୍ତି ତାହା ସତରେ ଆକର୍ଷଣୀୟ ଅଟେ । ସେ ମଧ୍ୟ ଧୋନୀଙ୍କ ବ୍ୟାଟିଂ ପୋଜିସନରେ ଖେଳିବାକୁ ପସନ୍ଦ କରିଥାନ୍ତି । ତେଣୁ ପିତାଙ୍କ ସହ ଏହି ଇନିଂସକୁ ମୁକୁଲ ଧୋନୀଙ୍କୁ ମଧ୍ୟ ଡେଡିକେଟ୍ କରିଥିବା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଦୈନିକ ସେ ୧୫୦ଟି ଛକା ଅଭ୍ୟାସ କରିଥାନ୍ତି । ତାଙ୍କ ସଟରେ ସଦାବେଲେ ପାଓ୍ୱାର ରହିଥାଏ । ତାଙ୍କୁ ଖୁବ୍ ଜୋରରେ ବଲକୁ ପ୍ରହାର କରିବାକୁ ଭଲ ଲାଗେ । ଗତ ପାଞ୍ଚରୁ ଛଅ ମାସ ହେଲା ସେ ଛକା ଅଭ୍ୟାସ କରୁଥିଲେ । ୧୭ ତମ ଓଭରରେ ବୈଭବ ଆରୋରାଙ୍କ ବଲରେ ସେ ଧୋନୀଙ୍କ ଭଳି ହେଲିକପ୍ଟର ସଟ୍ ଖେଳିବାକୁ ଚାହିଁଥିଲେ । ବଲ ସିଧା ଯାଇ ବାଉଣ୍ଡରୀ ବାହାରେ ପଡିଥିଲା । ପିଲାଦିନୁ ହେଲିକପ୍ଟର ସଟକୁ ସେ ଅଭ୍ୟାସ କରୁଛନ୍ତି । ଧୋନୀ ଯେପରି ୟର୍କରକୁ ଛକା ମାରି ମ୍ୟାଚ୍ ଜିତାଇଥାନ୍ତି ତାହା ସଦାବେଳେ ଭଲ ଲାଗେ ବୋଲି ମୁକୁଲ କହିଛନ୍ତି ।

ସଫଳତା ପଛର ରହସ୍ୟ

ଲକ୍ଷ୍ନୌର ଏହି ବ୍ୟାଟର କହିଛନ୍ତି ଯେ, ପ୍ରେସରରେ କିପରି ଖେଳିବାକୁ ହୁଏ ତାହା ସେ ଜାଣିଛନ୍ତି । ଅଧିକ ଚାପ ଥିଲେ ସେ ଜୋରରେ ନିଶ୍ୱାସ ନିଅନ୍ତି । ଫଳରେ ଚିନ୍ତାରୁ ମୁକ୍ତି ମିଳେ । ବର୍ଷେ-ଦୁଇ ବର୍ଷ ହେଲା ସେ ଚିନ୍ତାରୁ ମୁକ୍ତି ପାଇଁ ଦୀର୍ଘଶ୍ୱାସ ନେବା ଅଭ୍ୟାସ କରୁଛନ୍ତି । ମନରେ ସଦାବେଳେ ଖେଳକୁ ଶେଷ ଯାଏଁନେଇ ଜିତାଇବା ଲକ୍ଷ୍ୟ ରହିଥାଏ । ମ୍ୟାଚରେ ମଧ୍ୟ ସେ ୫ ସେକେଣ୍ଡ୍ କ୍ରିଜରେ ଦୀର୍ଘଶ୍ୱାସ ନେଇଥିଲେ । ଚିନ୍ତାରୁ ଆରାମ ମିଳିଥିଲା । ଏହାପରେ ବଲକୁ ଦେଖି ସଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ଦଳକୁ ମ୍ୟାଚ୍ ଜିତାଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।