ପୁରୀ: ସମୁଦ୍ର ମଧ୍ୟରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଆନ୍ଧ୍ରପ୍ରଦେଶର ୧୦ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୁରୀ ପୋଲିସ । ପୁରୀ ଏସପି ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଏବଂ ପୋଲିସର ତ୍ୱରିତ ସମନ୍ୱୟ ଯୋଗୁଁ ଏକ ବଡ଼ ବିପତ୍ତିରୁ ଏହି ମତ୍ସ୍ୟଜୀବୀମାନଙ୍କ ଜୀବନ ରକ୍ଷା ପାଇପାରିଛି ।

ପୋଲିସର ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର କାକିନାଡା ଫିସିଙ୍ଗ ହାର୍ବରରୁ 'ND-AP-V5-MM-872' ନମ୍ବର ବିଶିଷ୍ଟ ଏକ ମାଛଧରା ଡଙ୍ଗା ସମୁଦ୍ରକୁ ଯାଇଥିଲା । ମାତ୍ର ସମୁଦ୍ର ମଧ୍ୟରେ ହଠାତ୍ ଡଙ୍ଗାଟିର ଇଞ୍ଜିନ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ଫଳରେ ପ୍ରତିକୂଳ ପାଗ ଓ ସମୁଦ୍ରର ଅଶାନ୍ତ ଲହଡ଼ି ମଧ୍ୟରେ ଡଙ୍ଗାଟି ପୁରୀର ତାଜ ହୋଟେଲ ଉପକୂଳଠାରୁ ପ୍ରାୟ ୨ରୁ ୩ କିଲୋମିଟର ଦୂର ସମୁଦ୍ର ଭିତରେ ଫସି ରହିଥିଲା ।

ପୁରୀ ପୋଲିସର ମିଳିତ ରେସକ୍ୟୁ ଅପରେସନ

ଡଙ୍ଗାଟି ଫସି ରହିଥିବା ନେଇ ସୂଚନା ପାଇବା ମାତ୍ରେ ପୁରୀ ଏସପି ପ୍ରତୀକ ସିଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବଳିଆପଣ୍ଡା ଥାନା ଏବଂ ପେଣ୍ଠକଟା ମେରାଇନ୍ ପୋଲିସ ଥାନାର ଅଧିକାରୀମାନେ ସଙ୍ଗେ ସଙ୍ଗେ ପରସ୍ପର ସହ ସମନ୍ୱୟ ରକ୍ଷା କରିଥିଲେ । ପୋଲିସ ପକ୍ଷରୁ ସମୁଦ୍ର ମଧ୍ୟରେ ଥିବା ଅନ୍ୟ ନିକଟସ୍ଥ ମାଛଧରା ଡଙ୍ଗାଗୁଡ଼ିକ ସହ ଯୋଗାଯୋଗ ସ୍ଥାପନ କରାଯାଇଥିଲା । ପୋଲିସର ସୂଚନା ଆଧାରରେ ବିଶାଖାପାଟଣାର ଏକ ନିକଟବର୍ତ୍ତୀ ମାଛଧରା ଡଙ୍ଗା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଫସି ରହିଥିବା ସମସ୍ତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।

ଉଦ୍ଧାର ହୋଇଥିବା ସମସ୍ତ ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି । ଉଦ୍ଧାର ହେବା ପରେ ସମସ୍ତ ମତ୍ସ୍ୟଜୀବୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସହ ସେମାନେ ନିଜ ନିଜ ଘରକୁ ଫେରିଯାଇଛନ୍ତି । ଅପରପକ୍ଷରେ, ସମୁଦ୍ରରେ ଥିବା ଅଚଳ ଡଙ୍ଗାଟିକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି।