ନୂଆଦିଲ୍ଲୀ ୨୧। ୦୩; ସେପଟେ ଚାଲିଛି ଯୁଦ୍ଧ ଏପଟେ ବଢ଼ୁଛି ଦରଦାମ୍ । ଏଲପିଜି ଦର ତ ଯାହା ବଢ଼ିଲା ତା ସହ ପ୍ରିମିୟମ ପେଟ୍ରୋଲ ଦର ବି ବଢ଼ିଗଲା । ଆଉ ଯଦି ଆପଣ ଘରେ ବସି ଜୋମାଟୋ ଆପ୍ ମାଧ୍ୟମରେ ଖାଦ୍ୟ ମଗାଇବାକୁ ଭଲ ପାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶର ଅଗ୍ରଣୀ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋ ଏହାର ପ୍ଲାଟଫର୍ମ ଫି’ରେ ପାଖାପାଖି ୨୦ ପ୍ରତିଶତ ବୃଦ୍ଧି କରିଛି। ଶୁକ୍ରବାର, ୨୦ ମାର୍ଚ୍ଚ ୨୦୨୬ରୁ ଏହି ନୂତନ ଦର ଲାଗୁ ହୋଇଛି। ଜୋମାଟୋ ନିଜର ପ୍ରତି ଅର୍ଡର ପିଛା ବଢ଼ାଇଛି ୨ଟଙ୍କା ୪୦ ପଇସା , ଫଳରେ ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ବୋଝ । 

ମିଡିଲ ଇଷ୍ଟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ଭାରତ ଉପରେ ପଡୁଛି । ଜୋମାଟୋର ପ୍ଲାଟଫର୍ମ ଫିସ୍ ପ୍ରତି ଅର୍ଡର ୧୨ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୧୪ଟଙ୍କା ୯୦ ପଇସା ହୋଇଛି। ଶେଷ ବୃଦ୍ଧି ସେପ୍ଟେମ୍ବର ୨୦୨୫ରେ ହୋଇଥିଲା। ଏହି ସମୟରେ, ପ୍ରତିଦ୍ୱନ୍ଦ୍ବି ସ୍ୱିଗି ପୂର୍ବରୁ ପ୍ରତି ଅର୍ଡର ପାଇଁ ୧୪ ଟଙ୍କା ୯୯ ପଇସା ଆଦାୟ କରୁଛି, ଯେଉଁଥିରେ ଟ୍ୟାକ୍ସ ବି ସାମିଲ ରହିଛି । ଏହି ବର୍ଦ୍ଧିତ ଶୁଳ୍କ ଜୋମାଟୋ ଗୋଲ୍ଡ ମେମ୍ଵରଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହି ପରିବର୍ତ୍ତନ ୟୁଜରଙ୍କ ବଜେଟକୁ ପ୍ରଭାବିତ କରିବ। ଏବେ ପ୍ଲାଟଫର୍ମ ଫି’ ବୃଦ୍ଧିରେ ମୋଟ୍ ବିଲ୍ ଆହୁରି ଅଧିକ ହୋଇଯିବ। ଅର୍ଥାତ୍ ଯେଉଁ ଖାଦ୍ୟ ପୂର୍ବରୁ ୩୦୦-୪୦୦ ଟଙ୍କାରେ ମିଳି ଯାଉ ଥିଲା , ତାହା ଏବେ କିଛି ମହଙ୍ଗା ଅନୁଭବ ହେବ। ସୂଚନା ଯେ, ଏହି ପ୍ଲାଟଫର୍ମ ଫି’ ଜିଏସଟି (GST), ରେଷ୍ଟୁରାଣ୍ଟ ଚାର୍ଜ ଏବଂ ଡେଲିଭରି ଫି’ ଠାରୁ ସମ୍ପୂର୍ଣ୍ଣ ଅଲଗା ରହିବ। ଏହି ୧୪.୯୦ ଟଙ୍କା ଉପରେ ପୁଣି ୧୮% ଜିଏସଟି ଲାଗିବା ପରେ ଗ୍ରାହକଙ୍କୁ ପ୍ରାୟ ୧୭.୫୮ ଟଙ୍କା କେବଳ ପ୍ଲାଟଫର୍ମ ଫି’ ବାବଦରେ ଦେବାକୁ ପଡ଼ିବ। 

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଡେଲିଭରି ଖର୍ଚ୍ଚ ବଢ଼ିଛି। ଏହା ବ୍ୟତୀତ କମ୍ପାନୀ ନିଜର ମାର୍ଜିନ ଏବଂ ପ୍ରଫିଟକୁ ସୁଧାରିବା ପାଇଁ ଏହି ନିଷ୍ପତ୍ତି ନେଇଛି। ଜୋମାଟୋ ଦୈନିକ ପ୍ରାୟ ୨୨ ରୁ ୨୫ ଲକ୍ଷ ଅର୍ଡର ପାଇଥାଏ, ତେଣୁ ମାତ୍ର ୨ ଟଙ୍କାର ବୃଦ୍ଧି କମ୍ପାନୀ ପାଇଁ ମାସିକ କୋଟି କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ଆଣି ପାରିବ।

Also Read-Petrol Price: ତେଲ ଉପରେ ପଡ଼ିଲା ଇରାନ ଯୁଦ୍ଧର ପ୍ରଭାବ, ଦେଶରେ ବଢ଼ିଲା ପ୍ରିମିୟମ ପେଟ୍ରୋଲ ଦାମ୍