ନୂଆଦିଲ୍ଲୀ ୦୧।୧୦; ଜିମ୍ବାୱେରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା। ମରୋଣ୍ଡେରା ଅଞ୍ଚଳରେ ହେଲିକପ୍ଟର ଖସିପଡ଼ିବା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଜିମ୍ବାୱେର ଚର୍ଚ୍ଚିତ ବ୍ୟବସାୟୀ ଭିକ୍ ନେଲ୍ ଚିୱାୟୋ ଏବଂ ତାଙ୍କ ପତ୍ନୀ ଲୁସି ମୁତେକେ। ଦୁର୍ଘଟଣାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି।

କୁହାଯାଉଛି କିବୁଧବାର ସନ୍ଧ୍ୟା ପ୍ରାୟ ୫ଟା। ରାଜଧାନୀ ହରାରେଠାରୁ ପ୍ରାୟ ୭୦ କିଲୋମିଟର ଦୂର ମରୋଣ୍ଡେରା ଅଞ୍ଚଳରେ ଘଟିଥିଲା ଏହି ଦୁର୍ଘଟଣା। ଏକ ହେଲିକପ୍ଟର ହଠାତ୍ ଖସିପଡ଼ିବା ପରେ ସେଥିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ହେଲିକପ୍ଟରରେ ୪ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସମସ୍ତ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା।

ମୃତକଙ୍କ ମଧ୍ୟରେ ଥିଲେ ୪୩ ବର୍ଷୀୟ ଭିକ୍ ନେଲ୍ ଚିୱାୟୋ। 'ଇଣ୍ଟ୍ରାଟ୍ରେକ୍ ଜିମ୍ବାବ୍ୱେ' ର ସଂସ୍ଥାପକ ଥିଲେ, ଯାହା ଶକ୍ତି ଓ ଭିତ୍ତିଭୂମି ପ୍ରକଳ୍ପ କ୍ଷେତ୍ରରେ କାମ କରୁଥିଲା। ଜିମ୍ବାୱେ ରାଷ୍ଟ୍ରପତିଙ୍କ ସହ ତାଙ୍କ ଘନିଷ୍ଠତା ପାଇଁ ମଧ୍ୟ ସେ ଚର୍ଚ୍ଚାରେ ଥିଲେ। ଏହାଛଡ଼ା ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ, ଦାମୀ ଗାଡ଼ି ଏବଂ ଦାମୀ ଉପହାର ଦେବା ନେଇ ସେ ସୋସିଆଲ୍ ମିଡିଆରେ ମଧ୍ୟ ପରିଚିତ ଥିଲେ। ତେବେ ଏହି ଭୟାବହ ହେଲିକପ୍ଟର ଦୁର୍ଘଟଣା ପଛରେ ପ୍ରକୃତ କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।