ନୂଆଦିଲ୍ଲୀ: ଏସିଆର ସବୁଠୁ ଧନୀ ତାଲିକାରେ ତୃତୀୟ ସ୍ଥାନକୁ ଖସିଲେ ମୁକେଶ ଅମ୍ବାନୀ। କାରଣ ବାଇଟଡାନ୍ସର ସହ- ସଂସ୍ଥାପକ ଝାଙ୍ଗ ୟିମିଂ ମୁକେଶ ଅମ୍ପାନୀଙ୍କୁ ପଛରେ ପକାଇ ଏବେ ହୋଇଛନ୍ତି ଏସିଆର ଦ୍ବିତୀୟ ସବୁଠୁ ଧନୀ ବ୍ୟକ୍ତି। ଅବଶ୍ୟ ପ୍ରଥମ ସ୍ଥାନରେ ଏବେବି ଗୌତମ ଆଦାନୀ ହିଁ ରହିଛନ୍ତି। ତେବେ ଝାଙ୍ଗଙ୍କ ସମ୍ପତ୍ତିରେ ଏହି ବୃଦ୍ଧି, ବାଇଟଡାନ୍ସ ଲିମିଟେଡର ମୂଲ୍ୟାୟନ ବଢ଼ିବା ଏବଂ ଚୀନ କମ୍ପାନିର ଏଆଇ ମହତ୍ବାକାଂକ୍ଷାରେ ଅଧିକ ପ୍ରଗତି ଯୋଗୁ ହୋଇଛି।

ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ, ଝାଙ୍ଗଙ୍କ ସମୁଦାୟ ସମ୍ପତ୍ତି ବଢ଼ି ୯୨.୮ ବିଲିୟନ ଡଲାର ହୋଇଛି। ଏହାଦ୍ବାରା ଚୀନର ସବୁଠୁ ଧନୀ ବ୍ୟକ୍ତି ଭାବରେ ତାଙ୍କ ସ୍ଥିତି ଆହୁରି ମଜଭୁତ ହୋଇଛି। ଏହା ପୂର୍ବରୁ ୨୦୧୯ରେ ବ୍ଲୁମବର୍ଗ କରିଥିବା ରିପୋର୍ଟ ଅନୁସାରେ, ଝାଙ୍ଗଙ୍କ ସମ୍ପତ୍ତି ୧୩ ବିଲିୟନ ଡଲାର ଥିଲା। ଅର୍ଥାତ ଏବେ ଝାଙ୍ଗଙ୍କ ସମ୍ପତ୍ତିରେ ପ୍ରାୟ ୭ ଗୁଣ ବୃଦ୍ଧି ହୋଇଛି। 

ସୂଚନାଥାଉକି, ଏହି ବୃଦ୍ଧି ବାଇଟଡାନ୍ସର ଭିଡିଓ ଆପ୍ ଟିକଟକ୍ ଏବଂ ଏଆଇ ଚାଟବଟ୍ ଡୋବାଓର ସଫଳତା ମଧ୍ୟରେ ଆସିଛି। ଏହି ଆପ୍‌ର ମାସିକ ୟୁଜର ୩୦ କୋଟି ରହିଥିବା ବେଳେ, ଏହା ଚୀନର ସବୁଠୁ ଲୋକପ୍ରିୟ ଚାଟବଟ୍ ହୋଇଛି। ବାଇଟଡାନ୍ସ ଚଳିତ ବର୍ଷ ଆରମ୍ଭରେ ଆମେରିକାରେ ଏହାର ବ୍ୟବସାୟର କିଛି ଅଂଶକୁ ଆମେରିକୀୟ ନିବେଶକଙ୍କୁ ହସ୍ତାନ୍ତର କରିଥିଲା। ସାଂଘାଇ ସ୍ଥିତ କ୍ୟାପିଟାଲ ସିକ୍ୟୁରିଟିଜର ବିଶ୍ଲେଷକ ଏମି ଲିନ କହିଛନ୍ତି ‘ମୂଲ୍ୟାୟନରେ ବୃଦ୍ଧି କମ୍ପାନିର ମଜଭୁତ ଭିତ୍ତିଭୂମି ଏବଂ ଚୀନରେ ଡୋବାଓ ଭଳି ଆପର ସଫଳତାକୁ ଦର୍ଶାଉଛି। ଆମେରିକାରେ ଘଟୁଥିବା ଘଟଣାର ଏହା ଉପରେ କୌଣସି ବଡ଼ ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ।’’

Also Read: ଭାରତ ଉପରେ ଲାଗିବ ଆହୁରି ଅଧିକ ଟାରିଫ୍ ! ଚିନ୍ତା ବଢାଇଲା ଆମେରିକାର ଧାରା '୩୦୧'

୨୦୨୫ରେ ପ୍ରଥମ ଥର ଚୀନର ସବୁଠୁ ଧନୀ ବ୍ୟକ୍ତି ହୋଇଥିଲେ ଝାଙ୍ଗ

ଝାଙ୍ଗ ପ୍ରଥମ ଥର ୨୦୨୫ରେ ଚୀନର ସବୁଠୁ ଧନୀ ବ୍ୟକ୍ତି ହୋଇଥିଲେ। ଅବଶ୍ୟ ସେ ପରେ ପୁଣି ପଛରେ ପଡ଼ିଯାଇଥିଲେ। ମାତ୍ର ଚଳିତ ବର୍ଷର ଆରମ୍ଭରେ ଏହି ପଦ ପୁଣି ହାସଲ କରିଛନ୍ତି ଝାଙ୍ଗ। ଗତ ମାସରେ ବ୍ଲୁମବର୍ଗ ଦ୍ବାରା ନିବେଶକ ବ୍ଲାକରକ୍ ଇଙ୍କ୍, ଫଡେଲିଟି ଇନଭେଷ୍ଟମେଣ୍ଟ ଏବଂ ଟି. ରୋ ପ୍ରାଇସ ଗ୍ରୁପ୍ ଇଙ୍କ୍ ସହ ଏଚଏସଜି ଏବଂ ଜେନେରାଲ ଆଟଲାଣ୍ଟିକ ଦ୍ବାରା ଦିଆଯାଇଥିବା ମୂଲ୍ୟାଙ୍କନର ବିଶ୍ଲେଷଣ କରିବା ପରେ ଝାଙ୍ଗଙ୍କ ସମ୍ପତ୍ତିରେ ୨୪ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ହୋଇଛି। ଏହାରି ମଧ୍ୟରେ ବ୍ଲୁମବର୍ଗ ଇଣ୍ଡେକ୍ସ ଅନୁସାରେ, ଅମ୍ପାନୀ ୮୬.୯ ବିଲିୟନ ଡଲାରର ମୋଟ ସମ୍ପତ୍ତି ସହ ଏସିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି। ଗୌତମ ଆଦାନୀ ୧୧୭.୪ ବିଲିୟନ ଡଲାର ସମ୍ପତ୍ତି ସହ ଏହି କ୍ଷେତ୍ରରେ ଟପରେ ରହିଛନ୍ତି।

ଏଆଇ ଉପରେ କମ୍ପାନିର ଫୋକସ୍

ବାଇଟଡାନ୍ସ ଚୀନର ସବୁଠୁ ଚର୍ଚ୍ଚିତ ଘରୋଇ କମ୍ପାନି। କମ୍ପାନି ଅନେକ ଦିନରୁ ଆଇପିଓ ଆଣିବାକୁ ମଧ୍ୟ ଚେଷ୍ଟା କରୁଛି। ଟିକ୍‌ଟକ୍‌ର ଆମେରିକୀୟ ପରିଚାଳନାକୁ Oracle Corp., Silver Lake ଏବଂ ଆବୁଧାବୀର ନିବେଶ କମ୍ପାନି MGX ନେତୃତ୍ବାଧୀନ ଏକ ସଂଘକୁ ହସ୍ତାନ୍ତରିତ କରାଯିବା ପରେ ବି କମ୍ପାନିର ଛବି ପୂର୍ବଭଳି ରହିଛି। ଏହାଦ୍ବାରା ଟିକଟକ ଉପରେ ଉଠିଥିବା ଜାତୀୟ ସୁରକ୍ଷା ପ୍ରଶ୍ନର ଅନ୍ତ ଘଟିଥିଲା।

Also Read: ପ୍ରଥମେ ତାଇୱାନ ଆଉ ଏବେ ଦକ୍ଷିଣ କୋରିଆ ବି ଭାରତକୁ ଟପିଗଲା, ପଞ୍ଚମରୁ ସିଧା ସପ୍ତମକୁ ଖସିଲା ଭାରତ

ଏବେ ବେଜିଂରେ ଏହି ସୋସିଆଲ ମିଡିଆର କମ୍ପାନି ଏଆଇ ଉପରେ ଫୋକସ କରୁଛି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଚୀନ ଏଆଇ ମାର୍କେଟରେ ଅଗ୍ରଣୀ ହେବା ଏବଂ ବିଦେଶରେ ଟପ୍ ଆମେରିକୀୟ କମ୍ପାନିଙ୍କୁ ଟକ୍କର ଦେବା ଉଦ୍ଦେଶ୍ୟରେ କମ୍ପାନି ଚଳିତ ବର୍ଷ ୭୦ ବିଲିୟନ ଡଲାର ଖର୍ଚ୍ଚ କରିବା ଉପରେ ବିଚାର କରୁଛି।