ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧରେ ସାମିଲ କରିବା ପାଇଁ ରୁଷ, ଉତ୍ତର କୋରିଆରୁ ଅତିରିକ୍ତ ୩୦,୦୦୦ ସୈନ୍ୟ ଏବଂ କ୍ଷେପଣାସ୍ତ୍ର ଲଞ୍ଚର ମାଗିଛି। ଜେଲେନସ୍କିନିଜ ସୋସିଆଲ ମିଡିଆ 'ଏକ୍ସ' (X) ରେ ପ୍ରକାଶ କରିଛନ୍ତି ଯେ, ଜୁନ୍ ମାସରୁ ରୁଷର ଭୋରୋନେଜ୍ ଅଞ୍ଚଳରେ ଏହି ଉତ୍ତର କୋରିଆ ସୈନ୍ୟମାନଙ୍କୁ ମୁତୟନ ପାଇଁ ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ ୨୦୨୪ ମସିହାରେ କୁର୍ସ୍କ (Kursk) ଅଞ୍ଚଳରେ ୟୁକ୍ରେନର ପାଲଟା ଆକ୍ରମଣକୁ ରୋକିବା ପାଇଁ ଉତ୍ତର କୋରିଆ ହଜାର ହଜାର ସୈନ୍ୟ ପଠାଇଥିଲା।

ସେପଟେ ଦକ୍ଷିଣ କୋରିଆର ଆକଳନ ଅନୁସାରେ, ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୨,୦୦୦ ଉତ୍ତର କୋରିଆ ସୈନ୍ୟଙ୍କ ମୃତ୍ୟୁ ହୋଇସାରିଛି। ଜେଲେନସ୍କି ଚେତାବନୀ ଦେଇଛନ୍ତି ଯେ, ଉତ୍ତର କୋରିଆର ଏହି ସାମରିକ ସହଯୋଗ କେବଳ ୟୁକ୍ରେନ ପାଇଁ ନୁହେଁ, ବରଂ ସମଗ୍ର ଏସିଆ ମହାଦେଶ ପାଇଁ ଏକ ବଡ଼ ବିପଦ । ରୁଷ ସହ ମିଶି କାମ କରିବା ଦ୍ୱାରା ଉତ୍ତର କୋରିଆ ସେନା ପ୍ରତ୍ୟକ୍ଷ ଯୁଦ୍ଧ କ୍ଷେତ୍ରର ଅଭିଜ୍ଞତା ପାଉଛି। ଉତ୍ତର କୋରିଆ ନିଜର କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ରର କ୍ଷମତା ପରୀକ୍ଷା କରି ଏହାକୁ ଅଧିକ ସାଂଘାତିକ କରିବାର ସୁଯୋଗ ପାଉଛି।

ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରିସର ମଧ୍ୟରେ ଥିବା ଏସିଆର ସମସ୍ତ ଦେଶ ପାଇଁ ଏହା ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି କହିଛନ୍ତି  ଜେଲେନସ୍କି।
୨୦୨୪ ମସିହାରେ ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ସାମରିକ ସହାୟତା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ସପ୍ତାହରେ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ଚୋଏ ସନ୍ ହୁଇ ମସ୍କୋ ଗସ୍ତ କରି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ସାକ୍ଷାତ କରିଥିଲେ ଏବଂ ଯୁଦ୍ଧରେ ରୁଷ ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ଥିବା ନେଇ ଘୋଷଣା କରିଥିଲେ । ପୁଟିନ୍ ମଧ୍ୟ ଏହି ସାମରିକ ସହଯୋଗ ପାଇଁ ଉତ୍ତର କୋରିଆକୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପଟେ ସୈନ୍ୟ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ର ଲଞ୍ଚର ଯୋଗାଇବା ବଦଳରେ ରୁଷ ଉତ୍ତର କୋରିଆକୁ ନଗଦ ଟଙ୍କା,  ଉଚ୍ଚମାନର ସାମରିକ ପ୍ରଯୁକ୍ତିବିଦ୍ୟା (Military Technology), ଖାଦ୍ୟ ଓ ଇନ୍ଧନ ଯୋଗାଉଛି, ଯାହା ଆନ୍ତର୍ଜାତୀୟ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ତର କୋରିଆର ଅର୍ଥନୀତିକୁ ବଳ ଦେଉଛି ।