ଭୁବନେଶ୍ବର ୫।୮: ମୋବାଇଲରେ ଲାଇଭ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଧଉଳି ଥାନା ପୋଲିସ । ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ମେଡିକାଲରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

"ବାପା, ମୋତେ କ୍ଷମା କରିବ ।

ମୋ ପାଇଁ ତୁମକୁ ଆଉ କିଛି ଶୁଣିବାକୁ ପଡ଼ିବନି ।

ମୁଁ ସବୁଦିନ ପାଇଁ ଏ ଦୁନିଆରୁ ଚାଲିଯାଉଛି ।

ମୋ ପାଇଁ ଲୋକେ କିଏ କ'ଣ କହିବ ସେ କଥା ମୁଁ ଜାଣିନି,

ହେଲେ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି ।" 

ଏମିତି କହିବାର ଏକ ଭିଡିଓ କରି ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଯୁବକ । ଏହି ଭିଡିଓଟି ଭାଇରାଲ୍ ହୋଇ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା । ପରିବାର ଲୋକେ ଭିଡିଓ ଦେଖି ବ୍ୟସ୍ତ ହୋଇପଡ଼ିଥିଲେ । ପୁଅକୁ ଖୋଜିବା ପାଇଁ ଲାଗି ପଡ଼ିଲେ । ପରିବାର ଲୋକଙ୍କ ସମେତ ସାହି ପଡ଼ିଶା ଲୋକେ ଚାରିଆଡ଼େ ଖେଦି ଯାଇଥିଲେ। ପୁଅକୁ ଖୋଜି ଖୋଜି ନାକେଦମ୍ ହୋଇଥିଲେ ହେଲେ ପୁଅର କିଛି ପତ୍ତା ମିଳିନଥିଲା ।

ଭିଡିଓ ପ୍ରଘଟ କରିବା ପରେ ଯୁବକ ଜଣକ ମୋବାଇଲକୁ ବନ୍ଦ କରିଦେଇଥିଲେ । ମୋବାଇଲ ବନ୍ଦ ଥିବାରୁ ଯୋଗାଯୋଗ ହୋଇ ନ ପାରିବାରୁ ପରିବାର ଓ ସମ୍ପର୍କୀୟ ମାନେ ଚାରିଆଡ଼େ ଖୋଜାଖୋଜି କରି ନୟାନ୍ତ ହୋଇପଡ଼ିଥିଲେ । ରାତି ପ୍ରାୟ ୮ଟାରେ ପରିବାର ଲୋକ ଥାନାରେ ପହଞ୍ଚିଥିଲେ । ଶେଷ ଲୋକେସନ ଭୁବନେଶ୍ୱର ଥିଲା । ଏହାକୁ ଆଧାର କରି ଧଉଳି ଥାନା ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଜା ଖୋଜି ଆରମ୍ଭ କରିଥିଲା । ବିଭିନ୍ନ ହୋଟେଲ ଯାଞ୍ଚ କରିବା ପରେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ଏକ ହୋଟେଲ ରୁମ୍ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ଯୁବକଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରୁଛି ପୋଲିସ । ମାନସିକ ଚାପ ଯୋଗୁଁ, ଯୁବକ ଜଣକ ଜୀବନ ହାରିବା ନିଷ୍ପତ୍ତି ନେଇଥିବା ପୋଲିସ କହିଛି ।