କରଞ୍ଜିଆ ୦୫।୦୮: ମୟୁରଭଞ୍ଜ ଜିଲ୍ଲା ରରୁଆ ଥାନା ପାଣ୍ଡିରଶିଳ ଗାଁରେ ଅଘଟଣ । ଗାଁରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ଥିବା ଏକ ଗଛରେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବେକରୁ ପାଦ ଯାଏଁ ରକ୍ତ ବୋହୁଥିବାର ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ତଦନ୍ତ । ଯୁବକଙ୍କ ବେକରୁ ପାଦ ଯାଏଁ ରକ୍ତ ବୋହୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ଯୁବକଙ୍କୁ ଏଠାରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି ।

ସେପଟେ ପୋଲିସର ତଦନ୍ତରେ ବର୍ତ୍ତମାନ ଯାଏ ପରିଚୟ ମିଳିନାହିଁ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Also Read:-ରେପୋ ରେଟରେ ପରିବର୍ତ୍ତନ କଲାନି RBI , ଲୋନ୍-EMI ଉପରେ ପଡି଼ବନି ପ୍ରଭାବ !