ନୂଆଦିଲ୍ଲୀ:  ଭାରତୀୟ ଯୁବ କଂଗ୍ରେସର ଦୁଇ ମୁଖ୍ୟ ପଦାଧିକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣା ଲାଗିବା ପରେ ହାଇଦ୍ରାବାଦ ଏବଂ ମୁମ୍ବାଇରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଯୁବ କଂଗ୍ରେସର କର୍ମୀମାନେ ସେଠାରେ ଥିବା ମେଟାର କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ତେଲେଙ୍ଗାନା ଯୁବ କଂଗ୍ରେସ ସଭାପତି ଜକ୍କିଡି ଶିବଚରଣ ରେଡ୍ଡୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ହାଇଦ୍ରାବାଦ ସ୍ଥିତ ମେଟା (Meta) କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ବିକ୍ଷୋଭକାରୀମାନେ କାର୍ଯ୍ୟାଳୟର କରିଡର ଏବଂ କ୍ୟାଫେଟେରିଆ ନିକଟରେ ଦୌଡ଼ିବା ସହ ସେଠାରେ ଥିବା ଫୁଲକୁଣ୍ଡଗୁଡ଼ିକୁ ଭାଙ୍ଗି ଦେଇଛନ୍ତି। 

ମେଟା ଅଫିସରେ ଭଙ୍ଗାରୁଜା
​​​​​​​ଯୁବ କଂଗ୍ରେସର ଜାତୀୟ ସଭାପତି ଉଦୟ ଭାନୁ ଚିବ୍ ଏବଂ ଜାତୀୟ ପ୍ରଭାରୀ ମନୀଷ ଶର୍ମାଙ୍କ ଆକାଉଣ୍ଟ ଉପରେ ଲାଗିଥିବା କଟକଣାକୁ ବିରୋଧ କରି କର୍ମୀମାନେ ମେଟା ଏବଂ କେନ୍ଦ୍ରର ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି। ଅନ୍ୟପଟେ, ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ମେଟା କାର୍ଯ୍ୟାଳୟ ବାହାରେ ମଧ୍ୟ ମୁମ୍ବାଇ ଯୁବ କଂଗ୍ରେସ ସଭାପତି ଜିନତ୍ ଶବରିନଙ୍କ ନେତୃତ୍ୱରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ମେଟା ଉପରେ ବିଜେପିକୁ ସମର୍ଥନ କରୁଥିବା ଅଭିଯୋଗ ଆଣିଛନ୍ତି । ସେମାନେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୋଷ୍ଟର ଜାଳି ପ୍ରତିବାଦ ଜଣାଇଛନ୍ତି। 

ଯୁବ କଂଗ୍ରେସର ବଡ଼ ଦାବି
ଯୁବ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X)ରେ ମେଟାକୁ ଚେତାବନୀ ଦିଆଯାଇଛି । ୭ ଦିନର ଅଲ୍ଟିମେଟମ୍ ଜାରି କରିଛି ଯୁବ କଂଗ୍ରେସ । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ବନ୍ଦ ହୋଇଥିବା ଆକାଉଣ୍ଟ ଏବଂ ପୋଷ୍ଟଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରା ନ ଯାଏ, ତେବେ କୋର୍ଟରୁ ଆରମ୍ଭ କରି ରାଜରାସ୍ତା ଏବଂ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି । ଏହି ଘଟଣାକୁ ନେଇ ଯୁବ କଂଗ୍ରେସ ପକ୍ଷରୁ ମେଟା ନିକଟରେ ଚାରୋଟି ପ୍ରମୁଖ ଦାବି ରଖାଯାଇଛି। ଗତ ୬ ମାସ ମଧ୍ୟରେ ସରକାରୀ ନିର୍ଦ୍ଦେଶରେ କେତୋଟି ଭାରତୀୟ ଆକାଉଣ୍ଟ ବନ୍ଦ କରାଯାଇଛି ଏବଂ ସେଥିମଧ୍ୟରୁ କେତୋଟି ଏବେ ବି ବ୍ଲକ୍ ରହିଛି ତାହା ସାର୍ବଜନୀନ କରିବାକୁ ଦାବି ହୋଇଛି। ଏହା ସହିତ ରାହୁଲ ଗାନ୍ଧୀଙ୍କ ନାମ ଉଲ୍ଲେଖ ଥିବା କିମ୍ବା ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିକୁ ସମାଲୋଚନା କରୁଥିବା ପୋଷ୍ଟଗୁଡ଼ିକ କାହିଁକି ଆପେ ଆପେ ବ୍ଲକ୍ ହେଉଛି ତାହାର ସ୍ପଷ୍ଟୀକରଣ ମଗାଯାଇଛି। 

ବିରୋଧୀ ଦଳର ନେତା, ସାମ୍ବାଦିକ ଏବଂ କ୍ରିଏଟରମାନଙ୍କ ଉପରେ ଲାଗିଥିବା ସମସ୍ତ ବେଆଇନ କଟକଣା ହଟାଇବା ସହ ବିଜେପିର ରାଜନୈତିକ ସଂସ୍ଥା ବଦଳରେ ଭାରତୀୟ ସମ୍ବିଧାନକୁ ସମ୍ମାନ ଦେବାକୁ ଯୁବ କଂଗ୍ରେସ ଦାବି କରିଛି। ସେପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ମେଟାକୁ ସମାଲୋଚନା କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ବିଦେଶୀ କମ୍ପାନୀଗୁଡ଼ିକ ଭାରତରେ ବ୍ୟବସାୟ କରିବା ଉଚିତ, ରାଜନୀତି ନୁହେଁ ।  ସରକାର ମଧ୍ୟ ସେମାନଙ୍କ ଉପରେ ଅଯଥା ଚାପ ପକାଇବା ଅନୁଚିତ।

ସମାଲୋଚନା କଲା ବିଜେପି

ଯୁବ କଂଗ୍ରେସ କର୍ମୀଙ୍କ ଏହି ଭଙ୍ଗାରୁଜା ଘଟଣାକୁ ନେଇ ବିଜେପି ଏବଂ ବିଆରଏସ୍ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କଂଗ୍ରେସକୁ ‘ଗୁଣ୍ଡାମାନଙ୍କର ଦଳ’ ବୋଲି କହିଛନ୍ତି ।  ଘରୋଇ କମ୍ପାନୀର କାର୍ଯ୍ୟାଳୟ ଭାଙ୍ଗି ସୋସିଆଲ ମିଡିଆରେ ତାହାର ପ୍ରଚାର କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ପ୍ରଦୀପ ଭଣ୍ଡାରୀ । ବିଆରଏସ୍ ନେତା କେ.ଟି. ରାମା ରାଓ ମଧ୍ୟ କଂଗ୍ରେସ କର୍ମୀଙ୍କୁ ଗୁଣ୍ଡା ବୋଲି କହିଛନ୍ତି । ଦଶନ୍ଧି ଦଶନ୍ଧି ଧରି ଶିଳ୍ପ ଅନୁକୂଳ ନୀତି ଯୋଗୁଁ ଯେଉଁ 'ବ୍ରାଣ୍ଡ ହାଇଦ୍ରାବାଦ' ଗଢ଼ି ଉଠିଛି ଏବଂ ଲକ୍ଷ ଲକ୍ଷ ପରିବାରକୁ ରୋଜଗାର ଦେଉଛି, କଂଗ୍ରେସ କର୍ମୀମାନେ ସେଠାରେ ଭଙ୍ଗାରୁଜା କରି ତାର ଛବି ମଳିନ କରୁଛନ୍ତି ବୋଲି କେଟିଆର ଅଭିଯୋଗ କରିଛନ୍ତି । ତେବେ ଯୁବ କଂଗ୍ରେସ କର୍ମୀ ନିଜର ଏହି ଦାବିକୁ ଶାନ୍ତିପୂର୍ଣ୍ଣ ଉପାୟରେ
ଉପସ୍ଥାପନ କରିପାରିଥାନ୍ତେ, କିନ୍ତୁ ବିଦେଶୀ କମ୍ପାନୀର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା କେତେଦୂର ଠିକ୍‌ ବୋଲି ଲୋକେ ମଧ୍ୟ ପ୍ରଶ୍ନ କରିଛନ୍ତି ।