ବ୍ରହ୍ମପୁର: ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥକୁ ମାରଣାତ୍ମକ ଆକ୍ରମଣ ଘଟଣାରେ ବଢ଼ିଲା ଗିରଫଦାରୀ। ଗୁରୁବାର ବ୍ରହ୍ମପୁର ଟାଉନ ଥାନା ପୋଲିସ ଆଉ ଦୁଇ ଅଭିଯୁକ୍ତ ଆଶିଷ ସାହୁ ଓ ଦୀନେଶ କୁମାର ପଣ୍ଡାକୁ ଗିରଫ କରିଛି। ଏହାସହ ଦୁଇଟି ସ୍କୁଟି, ଦୁଇଟି ମୋଟର ସାଇକେଲ, ଗୋଟିଏ ମୋବାଇଲ ଫୋନ ଏବଂ ଗୋଟିଏ ବାଉଁଶ ବାଡ଼ି ଜବତ କରିଛି। ତେବେ ଏହି ଦୁଇ ଜଣଙ୍କ ଗିରଫ ପରେ ମାମଲାରେ ମୋଟ ଗିରଫଦାରୀ ୪କୁ ବୃଦ୍ଧି ହୋଇଛି।

ଏହା ପୂର୍ବରୁ ପୋଲିସ ବୁଧବାର ଦୁଇ ଅନ୍ୟ ଅଭିଯୁକ୍ତ ଶ୍ରୀରାମନଗର ଅଞ୍ଚଳର ଲିଙ୍ଗରାଜ ସାମଲ ଓ ବୈଦ୍ୟନାଥପୁର ଥାନା ଅଞ୍ଚଳର ରାଜ ମାଲହୋତ୍ରାକୁ ଗିରଫ କରିଥିଲା। ସେହିଭଳି ଅନ୍ୟତମ ଅଭିଯୁକ୍ତ ମୁକେଶ ସାହୁକୁ ବିଳମ୍ବିତ ରାତିରେ ଏନକାଉଣ୍ଟର କରିଥିଲା। ମୁକେଶ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି।

Also Read: ବ୍ରହ୍ମପୁର ପୋଲିସର ଏନ୍କାଉଣ୍ଟର ପରେ ଛାନିଆ ଅପରାଧୀ, ଆପେ ଆପେ ଆସି କଲେ ଆତ୍ମସମର୍ପଣ

ସୂଚନାଥାଉକି, ଗତ ୧୮ ତାରିଖ ରାତିରେ ଉମେଶ ରଥକୁ ବିଚ୍ ରାସ୍ତାରେ ନିର୍ଧୁମ ମାଡ଼ ମାରି ଦରମରା କରିଦେଇଥିଲେ ମୁଖ୍ୟ ଅଭିଯକ୍ତ ମୁକେଶ ସମେତ ଏହି ଅଭିଯୁକ୍ତମାନେ। ଏହି ସମୟରେ ତାଙ୍କ ବାନ୍ଧବୀ ମଧ୍ୟ ସେଠାରେ ଥିଲେ ଏବଂ ସେ ଉମେଶଙ୍କୁ ବଞ୍ଚାଇବାକୁ ମଧ୍ୟ ଉଦ୍ୟମ କରି ଆହତ ହୋଇଥିଲେ। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଥିବା ବେଳେ, ଶହ ଶହ ଲୋକଙ୍କ ଉପସ୍ଥିତିରେ ଉମେଶଙ୍କୁ ମାଡ଼ ବେଳର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ ରାଜନୀତି ମଧ୍ୟ ତେଜିଥିଲା।