ସୁନ୍ଦରଗଡ ୨୪।୭: ପାରିବାରିକ ବିବାଦକୁ ଗଡ଼ିଲା ମୁଣ୍ଡ । ଦୁଇ ଭାଇଙ୍କ ଝଗଡ଼ାରେ ବଳି ପଡ଼ିଲା ଜଣେ । ସାନ ଭାଇକୁ ହତ୍ୟାକଲା ବଡ଼ ଭାଇ । ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ନୂଆଡିହି ଗ୍ରାମରେ ଘଟିଛି ଏଭଳି ହତ୍ୟାକାଣ୍ଡ । ବଡ଼ ଭାଇ ବେଦ ପଟେଲକୁ ଗିରଫ କରିଛି ପୋଲିସ । ମୃତକ ସାନ ଭାଇ ହେଉଛନ୍ତି କେଲାଲ ପଟେଲ ।

ସୂଚନାଯୋଗ୍ୟ ଯେ, ସାନ ଭାଇର ମଦ୍ୟପାନକୁ ନେଇ ପ୍ରାୟ ସମୟରେ ଘରେ କଳି ଝଗଡ଼ା ଲାଗିଥାଏ । ଏମିତି କି ଘରେ ଥିବା ଜିନିଷ ସବୁକୁ ବିକି ମଦ ପିଇବା ପାଇଁ ନେଇଯାଏ ସାନ ଭାଇ । ଶୁକ୍ରବାର ମଧ୍ୟ ଘରେ ଥିବା ଜିନିଷ ନେଇଯାଉଥିବା ବେଳେ ବଡ ଭାଇ ଅଟକାଇଥିଲା । ଯାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ସାମାନ୍ୟ ଝଗଡ଼ା ଉଗ୍ର ରୂପ ନେଇଥିଲା । ଫଳରେ ନିକଟରେ ଥିବା ଏକ ଟାଙ୍ଗିଆରେ ବଡ ଭାଇ ବେଦ ସାନ ଭାଇ କେଲାଲକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ଘଟିଥିଲା ।

Also Read:- ଡିଭାଇଡରରେ ପିଟିହେଲା ୧୦୮ ଆମ୍ବୁଲାନ୍ସ, ଦୁଇ କର୍ମଚାରୀ ମେଡିକାଲରେ ଭର୍ତ୍ତି

ଏ ନେଇ ଖବର ପାଇବା ପରେ ଗାଁରେ ପହଞ୍ଚିଥିଲା ହେମଗିରି ଥାନା ପୋଲିସ । ଘଟଣାସ୍ଥଳରୁ ସାନ ଭାଇର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏହାସହ ଅଭିଯୁକ୍ତ ବଡ଼ ଭାଇ ବେଦ ପଟେଲକୁ ପୋଲିସ ଗିରଫ କରିଛି ।