ନୂଆଦିଲ୍ଲୀ: ମୋଦୀ ସରକାର ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବା କଥା ବାରମ୍ବାର ଦୋହରାଉଛନ୍ତି। ଏଥିପାଇଁ ସରକାର ଜୋରସୋର୍ରେ କାମ ମଧ୍ୟ ଜାରି ରଖିଛନ୍ତି। ହେଲେ ଏହି ବିକାଶ ପଥରେ ଏକାଧିକ ବାଧକ ରହିଛି। ଯାହାକୁ ସୂଚାଇ ଦେଇଛି ବିଶ୍ୱ ବାଣିଜ୍ୟ ସଂଗଠନ ବା ଡବ୍ଲୁଟିଓ। ବିଶ୍ୱ ବାଣିଜ୍ୟ ସଂଗଠନ (WTO) ଭାରତକୁ ନିଜର ବ୍ୟବସାୟିକ ପରିବେଶକୁ ଅଧିକ ସୁଧାରିବା ଏବଂ ଉଚ୍ଚ ଶୁଳ୍କ, ଆମଦାନୀ-ରପ୍ତାନୀ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ବାଣିଜ୍ୟ-ପ୍ରତିବନ୍ଧକ ବ୍ୟବସ୍ଥା ଉପରେ ନିର୍ଭରଶୀଳତା କମାଇବାକୁ ପରାମର୍ଶ ଦେଇଛି। WTOର ଅଷ୍ଟମ ଟ୍ରେଡ୍ ପଲିସି ରିଭ୍ୟୁ (TPR) ଅବସରରେ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ, ଭାରତ ଯଦି ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟରେ ନିଜର ଭୂମିକା ବଢ଼ାଇବାକୁ ଓ ଅଧିକ ବିଦେଶୀ ନିବେଶ ଆକର୍ଷିତ କରିବାକୁ ଚାହୁଁଛି, ତେବେ ତାକୁ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ସଂସ୍କାର କରିବାକୁ ପଡ଼ିବ।

ଡବ୍ଲୁଟିଓ ରିପୋର୍ଟରେ ଉଲ୍ଲେଖ କରିଛି ଯେ ବାଣିଜ୍ୟ ପାଇଁ ଭାରତର ନୀତିଗତ ଢାଞ୍ଚା ଏବେ ମଧ୍ୟ ତୁଳନାମୂଳକ ଭାବେ ଉଚ୍ଚ ଆମଦାନୀ ଶୁଳ୍କ, ଆମଦାନୀ-ରପ୍ତାନୀ ନିୟନ୍ତ୍ରଣ, ରାଜ୍ୟ ନିୟନ୍ତ୍ରିତ ବାଣିଜ୍ୟ ସଂସ୍ଥା ଏବଂ ବିଭିନ୍ନ ସରକାରୀ ସହାୟତା କାର୍ଯ୍ୟକ୍ରମ ଉପରେ ଭରସା କରୁଛି। ଏହା ଦେଶୀୟ ଶିଳ୍ପକୁ ସୁରକ୍ଷା ଦେଉଥିବା ସତ୍ତ୍ୱେ ବିଶ୍ୱ ପ୍ରତିସ୍ପର୍ଧାରେ ଭାରତର ସ୍ଥିତିକୁ ପ୍ରଭାବିତ କରିପାରେ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାରତ ବିଶ୍ୱ ବାଣିଜ୍ୟରେ ନିଜର ଅଂଶୀଦାରି ବଢ଼ାଇବା, ରପ୍ତାନିକୁ ଡାଇଭର୍ସିଫାଏ(ବିବିଧକରଣ) କରିବା ଏବଂ ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ ପୂରଣ କରିବାକୁ ଚେଷ୍ଟା କରୁଥିବା ବେଳେ ‘ଆତ୍ମନିର୍ଭରତା’ ଓ ‘ବିଶ୍ୱ ଅର୍ଥନୀତି ପ୍ରତି ଖୋଲା ମନୋଭାବ’ ରଖିବା ନିହାତି ଜରୁରୀ। ଏହା ସହିତ WTO ର ନିୟମାଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାରେ ଭାରତର ସକ୍ରିୟ ଭୂମିକା ଆଗାମୀ ଆର୍ଥିକ ବୃଦ୍ଧି ଓ ସ୍ଥିରତାର ମୁଖ୍ୟ ନିର୍ଣ୍ଣାୟକ ହେବ।

୨୦୨୧-୨୦୨୫ ମଧ୍ୟର ବାଣିଜ୍ୟ ନୀତିର ସମୀକ୍ଷା

ଜେନିଭାରେ ଅନୁଷ୍ଠିତ ଭାରତର ଅଷ୍ଟମ ଟ୍ରେଡ୍ ପଲିସି ରିଭ୍ୟୁରେ ୨୦୨୧ ଜାନୁଆରୀ ୧ ରୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶର ବାଣିଜ୍ୟ ନୀତି ଓ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଉଛି। ଡବ୍ଲୁଟିଓ ସଦସ୍ୟ ଦେଶଗୁଡ଼ିକ ତିନି ଦିନ ଧରି ଭାରତର ବାଣିଜ୍ୟ ପ୍ରଦର୍ଶନ, ନୀତି ଓ ସଂସ୍କାରକୁ ମୂଲ୍ୟାୟନ କରୁଛନ୍ତି। ଏହି ସମୀକ୍ଷା WTO ସଚିବାଳୟର ରିପୋର୍ଟ ଏବଂ ଭାରତ ସରକାରଙ୍କ ଅଲଗା ରିପୋର୍ଟ ଆଧାରରେ କରାଯାଉଛି।

ଭାରତର ଜବାବ: ବାହ୍ୟ ପରିସ୍ଥିତି ଓ ଅଣଶୁଳ୍କ ବାଧା ଦାୟୀ

WTO କୁ ଦାଖଲ କରାଯାଇଥିବା ନିଜ ରିପୋର୍ଟରେ ଭାରତ କହିଛି ଯେ ଗତ କିଛି ବର୍ଷ ଧରି ଦେଶର ବାଣିଜ୍ୟ କାର୍ଯ୍ୟଦକ୍ଷତା ବହୁ ବାହ୍ୟ ଚ୍ୟାଲେଞ୍ଜ ଦ୍ୱାରା ପ୍ରଭାବିତ ହୋଇଛି। ଏଥିରେ ଭୂ-ରାଜନୈତିକ ଉତ୍ତେଜନା, କୋଭିଡ୍ ମହାମାରୀ ପରବର୍ତ୍ତୀ ବିଶ୍ୱ ଯୋଗାଣ ଶୃଙ୍ଖଳାର ବାଧା, ଜଳବାୟୁଜନିତ ଘଟଣା ଓ କିଛି ଦେଶର ରପ୍ତାନୀ ନିୟନ୍ତ୍ରଣ ସାମିଲ ଅଛି। ଏହି କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଓ ଉତ୍ପାଦନ ଉପାଦାନର ଉପଲବ୍ଧତା ଓ ମୂଲ୍ୟ ଉପରେ ଖରାପ ପ୍ରଭାବ ପଡ଼ିଛି। ଭାରତ ଆହୁରି କହିଛି ଯେ କେତେକ କ୍ଷେତ୍ରରେ ଅତ୍ୟଧିକ ଉତ୍ପାଦନ କ୍ଷମତା ଓ ଅଧିକ ଉତ୍ପାଦନ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ଅସ୍ଥିରତା ଓ ବାଣିଜ୍ୟିକ ସମସ୍ୟା ସୃଷ୍ଟି କରିଛି।

ବିଦେଶମାନଙ୍କ ଅଣଶୁଳ୍କ ବାଧା ଉପରେ ଭାରତର ଅଭିଯୋଗ

ଭାରତ WTO କୁ କହିଛି ଯେ ଅନେକ ବାଣିଜ୍ୟ ସହଭାଗୀ ଦେଶଗୁଡ଼ିକ ଅଣ-ଶୁଳ୍କ ଉପାୟ (Non-Tariff Measures) ଲାଗୁ କରୁଛନ୍ତି। ଏଥିରେ ଜଟିଳ ଟେକ୍ନୋଲୋଜୀ ମାନଦଣ୍ଡ, ଅନରୂପ ମୂଲ୍ୟାୟନ ପ୍ରକ୍ରିୟା (Conformity Assessment Procedures), ସାର୍ଟିଫିକେସନ ଆବଶ୍ୟକତା ଏବଂ ବିଭିନ୍ନ ନିୟାମକ ଶର୍ତ୍ତ ସାମିଲ ରହୁଛି। ତେଣୁ ଭାରତୀୟ ଉତ୍ପାଦକ ଓ ରପ୍ତାନିକାରୀଙ୍କ ପାଇଁ ବିଦେଶ ବଜାରକୁ ପ୍ରବେଶ କରିବା କଷ୍ଟକର ହୋଇପଡ଼ୁଛି।

୨୦୪୭ ଲକ୍ଷ୍ୟ ଉପରେ ଜୋର

ଭାରତ କହିଛି ଯେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୪୭ ସୁଦ୍ଧା ଦେଶ ଉଚ୍ଚ-ମଧ୍ୟମ ଆୟ (High Middle Income) ଅର୍ଥନୀତି ହେବାକୁ ଲକ୍ଷ୍ୟ ରଖିଛି। ଏହା ସହିତ ଭାରତ ବିଶ୍ୱ ଦକ୍ଷିଣ (Global South)ର ବିକାଶମୂଳକ ସ୍ୱାର୍ଥ ଓ ନୀତିଗତ ସ୍ୱାଧୀନତାକୁ ସୁରକ୍ଷା ଦେବାକୁ ଚାହୁଁଛି।

WTO ପକ୍ଷରୁ ମଧ୍ୟ ସତର୍କ କରାଯାଇଛି ଯେ ଭାରତର ଅର୍ଥନୀତି ଶକ୍ତିଶାଳୀ ରହିଥିଲେ ମଧ୍ୟ ଉଚ୍ଚ ବାଣିଜ୍ୟ ଖର୍ଚ୍ଚ, ନିୟାମକ ଜଟିଳତା, ଭିତ୍ତିଭୂମି ସମସ୍ୟା ଓ ବିଶ୍ୱ ଅର୍ଥନୀତି ସହ ସୀମିତ ଏକୀକରଣ(ଇଣ୍ଟିଗ୍ରେସନ) ଭଳି ଚ୍ୟାଲେଞ୍ଜ ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ ପାଇଁ ବାଧା ହୋଇପାରେ। ମୋଟ ଉପରେ କହିଲେ WTO ଭାରତକୁ ଅଧିକ ଖୋଲା ଓ ପ୍ରତିଯୋଗିତାମୂଳକ ବାଣିଜ୍ୟ ବ୍ୟବସ୍ଥା ଦିଗରେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛି। ଭାରତ ନିଜ ପକ୍ଷରୁ କହିଛି ଯେ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ସମସ୍ୟା, ଭୂ-ରାଜନୈତିକ ଅସ୍ଥିରତା ଓ ବିଦେଶୀ ଦେଶମାନଙ୍କ ଅଣ-ଶୁଳ୍କ ବାଧା ଦେଶର ବାଣିଜ୍ୟ କ୍ଷମତାକୁ ପ୍ରଭାବିତ କରୁଛି। ଏହି ଦୁଇ ଦୃଷ୍ଟିକୋଣ ମଧ୍ୟରେ ସନ୍ତୁଳନ ରଖିବା ଭାରତର ଆଗାମୀ ବାଣିଜ୍ୟ ନୀତିର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ।