ଦୁବାଇ, ୧୮/୦୨ : ଚଳିତ ଡବଲୁଟିଏ ଦୁବାଇ ଓପନ ହାର୍ଡକୋର୍ଟ ଟୁର୍ଣ୍ଣାମେଣ୍ଟରେ ସିଡେଡ୍ ଖେଳାଳିମାନଙ୍କ ଆଧିପତ୍ୟ ଜାରି ରହିଛି । ଟପ୍ ସିଡ୍ ଏଲେନା ରିବାକିନା, ତୃତୀୟ ସିଡ୍ କୋକୋ ଗୌଫ୍, ଚତୁର୍ଥ ସିଡ୍ ଜେସିକା ପେଗୁଲା ଓ ସପ୍ତମ ସିଡ୍ ଏଲିନା ସ୍ୱିତୋଲିନା ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ମହିଳା ବର୍ଗ ଦ୍ୱିତୀୟ ରାଉଣ୍ଡରେ କାଜାଖସ୍ତାନର ରିବାକିନା ସିଧାସଳଖ ୬-୧, ୬-୨ ସେଟ୍ରେ ଅଷ୍ଟ୍ରେଲିଆର କିମ୍ବର୍ଲି ବିରେଲଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ତାଙ୍କୁ ୧ଘଣ୍ଟା ୨ମିନିଟ୍ ଲାଗିଥିଲା । ତୃତୀୟ ସିଡ୍ ଆମେରିକାର ଗୌଫ୍ ସିଧାସଳଖ ୬-୪, ୬-୪ ସେଟରେ ରୁଷିଆର ଆନ୍ନା କାଲିନସ୍କାୟାଙ୍କୁ ପରାଜିତ କରିଥିଲେ । ଅନ୍ୟ ମ୍ୟାଚରେ ଆମେରିକାର ପେଗୁଲା ୬-୪, ୬-୦ରେ ଫ୍ରାନ୍ସର ବାର୍ବରା ଗ୍ରାଚେଭାଙ୍କୁ, ବେଲଜିୟମର ଏଲିସ୍ ମର୍ଟେନ୍ସ ୬-୨, ୬-୨ରେ ଆମେରିକାର ଏମ୍ମା ନାଭାରୋଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ । 

ଏହି ଖବରଟି ପଢନ୍ତୁ... ବନ୍ଧୁକ ଧରି US କ୍ୟାପିଟଲ ଆଡକୁ ଧାଉଁଥିଲେ ଯୁବକ, ଧରି ପକାଇଲା ପୋଲିସ

ସେହିପରି ୟୁକ୍ରେନର ସ୍ୱିତୋଲିନା ୬-୪ରେ ପ୍ରଥମ ସେଟ୍ ଜିତିବା ପରେ ପ୍ରତିପକ୍ଷ ସ୍ପେନ ଖେଳାଳି ପାଓଲା ବଡ଼ୋଶା ଆହତ ହୋଇ ଓହରି ଯାଇଥିଲେ । ରୁଷିଆର ମୀରା ଆନ୍ଦ୍ରିଭା ଓ କାନାଡ଼ାର ବେଲିଣ୍ଡା ବେନକିକ୍ ୱାକ୍ ଓଭର ପାଇ ପ୍ରି-କ୍ୱାର୍ଟରରେ ସ୍ଥାନ ପକ୍କା କରିଥିଲେ ।