ଭୁବନେଶ୍ବର ୧।୭: ରାଜ୍ୟର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଯୋଗାଇବା ଲକ୍ଷ୍ୟରେ ମୋହନ ସରକାରଙ୍କ ମହତ୍ୱାକାଙ୍କ୍ଷୀ ଯୋଜନା ଏବେ ଧୀରେ ଧୀରେ ବାସ୍ତବ ରୂପ ନେବାକୁ ଯାଉଛି । ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ଘୋଷଣା କରିଥିଲେ । ଏଥିପାଇଁ ୨୭୮ କୋଟି ଟଙ୍କାର ଘୋଷଣା ହୋଇଥିଲା । ବଜେଟ୍‌ର ସେହି ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉଭୟ ସ୍ଥାନରେ ଜମି ଚିହ୍ନଟ କରି ଭୂମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ବିଭାଗ ପକ୍ଷରୁ ଗଞ୍ଜାମ ଏବଂ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀଙ୍କୁ ପୃଥକ ନିର୍ଦ୍ଦେଶ ଜାରି କରାଯାଇଛି । 

ଭୁବନେଶ୍ୱରରେ ସଫଳତାର ସହ କାର୍ଯ୍ୟ କରୁଥିବା ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ଢାଞ୍ଚାକୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବିସ୍ତାର କରିବା ସରକାରଙ୍କ ଲକ୍ଷ୍ୟ । ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ଆନ୍ତର୍ଜାତିକ ମାନର ଦକ୍ଷତା ପ୍ରଶିକ୍ଷଣ ସୁବିଧା ଯୋଗାଇବା ପାଇଁ ବ୍ରହ୍ମପୁର ଓ ସମ୍ବଲପୁରରେ ନୂଆ କ୍ୟାମ୍ପସ ସ୍ଥାପନ କରାଯାଉଛି ।

ବ୍ରହ୍ମପୁର କ୍ୟାମ୍ପସ ପାଇଁ ଗଞ୍ଜାମ ଜିଲ୍ଲା କନିଶି ତହସିଲ ଅଧୀନ ଲଉଡ଼ିଗାଁ ମୌଜାକୁ ଚୂଡ଼ାନ୍ତ ଭାବେ ଚୟନ କରାଯାଇଛି। ଏହି ସ୍ଥାନ ଚୟନ ପୂର୍ବରୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ବିଶେଷଜ୍ଞ ଦଳ ଲଉଡ଼ିଗାଁ ଓ ସୀତଳାପଲ୍ଲୀର ଦୁଇଟି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ପ୍ରାୟ ୪୦ ଏକର ଜମିର ଉପଲବ୍ଧତା, "ଆଇଜର୍" ବ୍ରହ୍ମପୁରର ନିକଟତା ଏବଂ ସମୁଦ୍ର ଉପକୂଳ ପାଖରେ ଥିବାରୁ ଭବିଷ୍ୟତରେ ମେରିନ୍ ଇଞ୍ଜିନିୟରିଂ ଓ ହସ୍ପିଟାଲିଟି ପରି ଆଧୁନିକ ପାଠ୍ୟକ୍ରମ ଆରମ୍ଭ କରିବାର ସୁବିଧା ଦୃଷ୍ଟିରୁ ଲଉଡ଼ିଗାଁକୁ ସର୍ବାଧିକ ଉପଯୁକ୍ତ ସ୍ଥାନ ବୋଲି ସୁପାରିସ କରାଯାଇଥିଲା । ବର୍ତ୍ତମାନ ଏହି ଜମିକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବା ପାଇଁ ଭୂମି ଅଲଗାକରଣ ପ୍ରସ୍ତାବ ଦାଖଲ କରିବାକୁ ବ୍ରହ୍ମପୁରସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଉପନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।

ସେହିପରି ସମ୍ବଲପୁରରେ ସଦର ତହସିଲ ଅଧୀନ ବଡ଼ସିଂହାରି ମୌଜାରେ ପ୍ରାୟ ୧୫ ଏକର ସରକାରୀ ଜମିକୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପାଇଁ ଉପଯୁକ୍ତ ବୋଲି ବିଭାଗ ଚିହ୍ନଟ କରିଛି । ଉକ୍ତ ଜମି ବର୍ତ୍ତମାନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ନାମରେ ରହିଥିବାରୁ ଏହାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଏଥିସହ ଭୂମି ଅଲଗାକରଣ ପ୍ରସ୍ତାବ ଦାଖଲ କରିବାକୁ ସମ୍ବଲପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଉପନିର୍ଦ୍ଦେଶକଙ୍କୁ ଅଧିକୃତ କରାଯାଇଛି ।

ସରକାରଙ୍କ ଏହି ପଦକ୍ଷେପ ଫଳରେ ରାଜ୍ୟର ଦୁଇ ପ୍ରମୁଖ ଅଞ୍ଚଳରେ ୱର୍ଲ୍ଡ ସ୍କିଲ୍ ସେଣ୍ଟର ସ୍ଥାପନ ଦିଗରେ ପ୍ରଶାସନିକ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଛି । ଭୂମି ହସ୍ତାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କ୍ୟାମ୍ପସ ନିର୍ମାଣ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।