ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ବିଲ ଶୁକ୍ରବାର ପାରିତ ହୋଇ ପାରିଲାନି। ଏହି ବିଧେୟକ ଗୃହୀତ ହେବାକୁ ଦୁଇ ତୃତୀୟାଂଶ ଭୋଟର ଆବଶ୍ୟକତା ଥିଲା। ହେଲେ ବିଧେୟକକୁ ସଦନରେ ଆବଶ୍ୟକ ବହୁମତ ମିଳି ପାରିନାହିଁ। ଏଣୁ ଏହି ବିଧେୟକକୁ ନେଇ ଆଗାମୀ କାର୍ଯ୍ୟାନୁଷ୍ଠାନର କୌଣସି ସମ୍ଭାବନା ନାହିଁ। ତେବେ ବିଧେୟକ ଗୃହୀତ ନ ହୋଇ ପାରିବା ଯୋଗୁ ଶାସକ ବିଜେପି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଜାଣନ୍ତୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ କହିଛନ୍ତି କ’ଣ?

ଏହା ମହିଳା ବିଲ ନଥିଲା
ସଂସଦରେ ମହିଳା ବିଲ ଗୃହୀତ ନ ହୋଇ ପାରିବା ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ମୁଁ ସ୍ପଷ୍ଟ ଭାବେ କହିଛି ଯେ ଏହା ମହିଳା ସଂରକ୍ଷଣ ବିଲ ନଥିଲା। ଏହା ଭାରତର ରାଜନୈତିକ ଢାଞ୍ଚା ଓ ନିର୍ବାଚନୀ ଢାଞ୍ଚା ବଦଳାଇବାର ଏକ ଉଦ୍ୟମ ଥିଲା, ଯାହାକୁ ସରକାର ମହିଳା ଆରକ୍ଷଣ ବିଲ ଆଢୁଆଳରେ ଗୃହୀତ କରାଇ ନେବାକୁ ଚାହୁଁଥିଲେ। ଏଣୁ ଏହା ସମ୍ବିଧାନ ଉପରେ ଏକ ଆକ୍ରମଣ ଥିଲା ଓ ଏହାକୁ ଆମେ ହରାଇ ଦେଇଛୁ। ରାହୁଲ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମହିଳାଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଛନ୍ତି ତେବେ ୨୦୨୩ ମହିଳା ସଂରକ୍ଷଣ ବିଲ ବାହାର କରନ୍ତୁ ଓ ତାକୁ ଆଜିଠାରୁ ଦେଶରେ ଲାଗୁ କରନ୍ତୁ ପୁରା ବିରୋଧୀଦଳ ଏହି ବିଲକୁ ୧୦୦% ସମର୍ଥନ କରିବ ଏବଂ ମହିଳା ସଂରକ୍ଷଣକୁ ଆମେ ଦେଶରେ ତତ୍କାଳ ଲାଗୁ କରିବୁ।

କଥା ମହିଳା ସଂରକ୍ଷଣର ନୁହେଁ, ଦେଶର ଗଣତନ୍ତ୍ରର ଓ ଅଖଣ୍ଡତାର
ସେହିପରି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ ‘ଏହା ମହିଳା ସଂରକ୍ଷଣର କଥା ନଥିଲା, ଏହା ଦେଶର ଅଖଣ୍ଡତା ଓ ଗଣତନ୍ତ୍ରର କଥା ଥିଲା। ଆମେ ଏଥିରେ କେବେ ସହମତ ହୋଇ ପାରିବୁନି ଆପଣ ମହିଳା ସଂରକ୍ଷଣକୁ ଏଭଳି ସୀମା ପୁନଃ ନିର୍ଦ୍ଧାରଣ ସହ ଯୋଡିବେ ଓ ପୁରୁଣା ଜନଗଣନା ଅନୁସାରେ ଚାଲିବେ ଯେଉଁଥିରେ ଓବିସି ମଧ୍ୟ ସାମିଲ ନଥିଲେ । ଏହି ବିଲ ପାସ୍ ହେବା ଆଦୈ ସମ୍ଭବ ନୁହେଁ। ଦେଶର ଅଖଣ୍ଡତା ଓ ଗଣତନ୍ତ୍ର ପାଇଁ ଏହା ଏକ ବଡ଼ ବିଜୟ’।

ମହିଳା ସଂରକ୍ଷଣ ନୁହେଁ ଡିଲିମିଟେସନର ବିରୋଧ କରିଛୁ ଆମେ
କଂଗ୍ରେସ ସାଂସଦ ଶଶି ଥରୁର ବିଲ୍ ପାସ ନ ହେବାକୁ ନେଇ କହିଛନ୍ତି ଯେ ଆମେ ମହିଳା ସଂରକ୍ଷଣର ପୂର୍ଣ୍ଣ ସମର୍ଥନ କରୁଛୁ, ହେଲେ ଡିଲିମିଟେସନ ସହ ଏହାର କୌଣସି ନେଣଦେଣ ନାହିଁ। ସେ କହିଛନ୍ତି ତାଙ୍କ ଭୋଟ ମହିଳା ସଂରକ୍ଷଣ ବିରୋଧରେ ନୁହେଁ ଡି ଲିମିଟେସନ ବିରୋଧରେ ଥିଲା। ସରକାର ଯଦି ମହିଳା ସଂରକ୍ଷଣ ଚାହୁଁଛନ୍ତି ପୃଥକ ବିଲ୍ ଆଣନ୍ତୁ ଲୋକସଭା ନିର୍ବାଚନମଣ୍ଡଳି ସୀମା ପୁନଃ ନିର୍ଦ୍ଧାରଣ ସହ ଏହାର ସମ୍ପର୍କ କ’ଣ?

୨୦୨୩ରେ ଗୃହୀତ ହୋଇସାରିଛି ମହିଳା ସଂରକ୍ଷଣ ବିଲ
କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ ଆମେ ମହିଳା ସଂରକ୍ଷଣ ବିଲକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲୁ, ଯାହା ୨୦୨୩ରେ ଗୃହୀତ ହୋଇଥିଲା, ତେବେ ଆଜି ଯେଉଁ ବିଲ୍ ହାରିଛି ତାହା ଡିଲିମିଟେସନ ବିଲ୍। ମହିଳା ସଂରକ୍ଷଣ ପାଇଁ ଆମର ସମର୍ଥନ ଆଜି ବି ରହିଛି। ତେବେ ବିଲ୍ ଗୃହୀତ ନ ହୋଇ ପାରିବାରୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି ଯେ କଂଗ୍ରେସ ଓ ବିରୋଧୀ ଦଳ ମହିଳାଙ୍କୁ ସମର୍ଥନ କରନ୍ତିନି। ଏହା ଗଣତନ୍ତ୍ର ଲାଗି ଦୁଃଖଦ। ଆଠବଲେ କହିଛନ୍ତି ଯେ ବିରୋଧୀ ପ୍ରଥମେ ବିଲକୁ ସମର୍ଥନ କରିଥିଲେ, ହେଲେ ଏବେ ରାଜନୀତି କରି ସଂରକ୍ଷଣରେ ଅବରୋଧ ସୃଷ୍ଟି କରିଛନ୍ତି।

ସେହିପରି ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତିଯେ ରାହୁଲ ଗାନ୍ଧି ସବୁ କଥାକୁ ବିରୋଧ କରୁଛନ୍ତି। ଏମାନେ ନାରୀ ବିକାଶ, ନାରୀ ବନ୍ଦନ ଓ ନାରୀ ପ୍ରତିନିଧିତ୍ୱକୁ ବିରୋଧ କରନ୍ତି। ସେହିପରି ବିଜେପି ସାଂସଦ କଙ୍ଗନା ରନୌତ କହିଛନ୍ତି ଯେ ସବୁ ଝିଅ ଓ ମହିଳାଙ୍କ ମନବଳକୁ ଭାଙ୍ଗି ଦିଆଯାଇଛି। ମୋତେ ଏହା ବ୍ୟକ୍ତିଗତ କ୍ଷତି ଭଳି ଲାଗୁଛି। ତେବେ ପ୍ରଧାନମନ୍ତ୍ରୀ ଯେପରି କହିଛନ୍ତି ଆମେ ମହିଳାଙ୍କୁ ସେମାନଙ୍କ ହକ୍ ଦେଇକରି ହିଁ ରହିବୁ ବୋଲି କହିଛନ୍ତି। ଏହା ଛଡା ହେମା ମାଲିନୀ କହିଛନ୍ତି ଯେ ଏତେ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହୀତ ନ ହୋଇ ପାରିବା ବାସ୍ତବିକ ଚିନ୍ତାଜନକ।

Also Read..ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ବିଲ୍: ବିପକ୍ଷରେ ପଡ଼ିଲା ୨୩୦ ଭୋଟ୍