ବାରଙ୍ଗ ୨୪।୫: କଟକ ବ୍ରହ୍ମୁଣିଗାଁ ନିକଟ କାଠଯୋଡ଼ି ନଦୀପଠାରେ ଅଧା ପୋତା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାକୁ ୪ ଦିନ ବିତିଗଲାଣି । କିନ୍ତୁ ପୋଲିସକୁ ଏଯାଏଁ ମହିଳାଙ୍କ ପରିଚୟ ପାଇପାରିନାହିଁ । ପୋଲିସ କେବଳ ଅନ୍ଧାରରେ ବାଡ଼ି ବୁଲାଉଛି । ଯେଉଁଥି ପାଇଁ ଦୁଇ ନିରୀହ ଛୁଆ ବାପା-ମା’କୁ କେବଳ ଖୋଜୁଛନ୍ତି ।

ଗତ ୧୫ ତାରିଖ ଶୁକ୍ରବାର ଦିନ ବାରଙ୍ଗ ଥାନା ଚଣ୍ଡିପ୍ରସାଦ ଗ୍ରାମର ରାକେଶ ବେହେରାଙ୍କ ସ୍ତ୍ରୀ ଦିନ ୧୦ଟା ବେଳେ ଦୁଇ ଛୋଟ ଛୋଟ ଛୁଆଙ୍କୁ ଛାଡି କେଉଁଆଡେ ଚାଲିଯାଇଥିଲେ । ରାକେଶ ବହୁ ଖୋଜାଖୋଜ କରି ନିରାଶ ହେବାପରେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ଘର ଲୋକଙ୍କୁ ବିଭିନ୍ନ ସ୍ଥାନକୁ ଯିବାପାଇଁ କହି ନିଜେ ଚୁପ ବସିଥିଲା । ଗତ ଗୁରୁବାର ସକାଳୁ ବ୍ରହ୍ମୁଣିଗାଁ ନିକଟ କାଠଯୋଡ଼ି ନଦୀ ପଠାରୁ ଅଧାପୋତା ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପରେ ପୋଲିସ ମହିଳାଙ୍କ ପରିଚୟ ଖୋଜିଥିଲା । ମହିଳା ନିଖୋଜ ଘଟଣାରେ ପୋଲିସ ଶୁକ୍ରବାର ରାକେଶ, ତାଙ୍କ ବୋଉ ଲକ୍ଷ୍ମୀପ୍ରିୟା ବେହେରା ଓ ତାଙ୍କ ସାଙ୍ଗ ମିଥୁନ ବେହେରାକୁ ଥାନାକୁ ଡାକିଥିଲା । ବିଳମ୍ବିତ ରାତିରେ ରାକେଶକୁ ରଖି ଅନ୍ୟ ମାନଙ୍କୁ ଛାଡ଼ିଦେଇଥିଲା । ରାକେଶକୁ ୩ ଦିନ ହେଲାଣି ପୋଲିସ ଅଟକ ରଖିଛି ।

Also Read:- ଏଲ୍‌ ନିନୋ ଆସିନି କିନ୍ତୁ ଆସିବ ! ପାଣିପାଗକୁ ନେଇ ବଡ଼ ସୂଚନା ଦେଲେ IMD DG ମୃତ୍ୟୁଞ୍ଜୟ ମହାପାତ୍ର

ସେପଟେ ସ୍ତ୍ରୀ ଯିବାପରେ ଘରେ ୮ ବର୍ଷର ଝିଅ ଓ ୬ ବର୍ଷର ପୁଅ ସବୁବେଳେ ବାପା ଓ ମା’ଙ୍କୁ ଖୋଜୁଛନ୍ତି । ବାପା ଘରେ ଥିଲେ ହୁଏତ ଛୁଆଙ୍କୁ ବୁଝାଇ ପାରନ୍ତେ । ପୋଲିସ ମୃତ ମହିଳାଙ୍କ ଫଟୋ ରାକେଶକୁ ଚିହ୍ନଟ ପାଇଁ ଦେଖାଇଥିଲା । ମୃତଦେହ ତାଙ୍କ ସ୍ତ୍ରୀଙ୍କର ନୁହେଁ ବୋଲି ମନା କରିଥିଲେ ରାକେଶ । ଏହାପରେ ମଧ୍ୟ ପୋଲିସ ରାକେଶକୁ ଛାଡୁନଥିବା ଜଣାପଡ଼ିଛି ।