ଭୁବନେଶ୍ୱର: ୧୯୮୨, ୧୯୮୭, ୨୦୦୨ ଏବଂ ୨୦୦୯।  ଏଲ୍‌-ନିନୋ ବର୍ଷରେ ଓଡ଼ିଶା ଭୋଗିଥିଲା ଭୟଙ୍କର ମରୁଡ଼ି । ପ୍ରାୟ ସବୁ ଜିଲ୍ଲାରେ ବର୍ଷା ଅଭାବ ସହ  ପଶ୍ଚିମ ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ଭାଙ୍ଗି ପଡ଼ିଥିଲା।  ୨୦୦୨ ମସିହା ଆଧୁନିକ ଓଡ଼ିଶା ପାଇଁ ସବୁଠାରୁ  ଭୟାନକ ମରୁଡ଼ି ବର୍ଷ ଥିଲା। ଜୁଲାଇ ଏବଂ ଅଗଷ୍ଟ  ଭଳି ମୁଖ୍ୟ ବର୍ଷା ମାସରେ ସପ୍ତାହ ସପ୍ତାହ ଧରି ଆଦୌ ବର୍ଷା ହୋଇନଥିଲା । ନଦୀ-ନାଳ, ଡ୍ୟାମ୍‌ ଶୁଖିଗଲା । ଧାନ  ରୁଆ ଏବଂ ବେଉଷଣ ସମୟରେ ବର୍ଷା ନହେବାରୁ ଚାଷୀ  ବଡ଼ କ୍ଷତି ସହିଥିଲେ ।

୨୦୦୯ରେ ଶକ୍ତିଶାଳୀ ଏଲ୍‌ନିନୋ  ବର୍ଷରେ ଓଡ଼ିଶାରେ ଜଳାଶୟଗୁଡ଼ିକର ଜଳସ୍ତର ବହୁତ  କମିଯାଇଥିଲା। ପଶ୍ଚିମ ଓଡ଼ିଶାରେ ପିଇବା ପାଣି ପାଇଁ  ହାହାକାର ସ୍ଥିତି ଦେଖା ଦେଇଥିଲା । ପ୍ରବଳ ତାତି,  ମରୁଡ଼ି ଦେଖା ଦେଇଥିଲା। ତେଣୁ ୨୦୨୬ରେ ଶକ୍ତିଶାଳୀ ଏଲ୍‌-ନିନୋ ଦେଖାଦେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।  

ଏଲ୍-ନିନୋକୁ ନେଇ ବଡ଼ ଅପଡେଟ୍ ଆସିଛି। ଏଲ-ନିନୋ ବିକଶିତ ହୋଇନି, ନ୍ୟୁଟ୍ରାଲ ସ୍ଥିତିରେ ରହିଛି ବୋଲି କହିଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଜୁନରୁ ସେପ୍ଟେମ୍ବର ଏଲନିନୋ ହେବାର ସମ୍ଭାବନା ରହିଛି। ମୌସୁମୀ ବାୟୁକୁ ପ୍ରଭାବିତ କରେ ଏଲ-ନିନୋ। ପ୍ଲସ ମାଇନସ ୯୦ ପ୍ରତିଶତ କମ୍ ବର୍ଷା ହେବ ବୋଲି ସେ କହିଛନ୍ତି।

IMD DG ଆହୁରି କହିଛନ୍ତି- ଆଗାମୀ ୫ ଦିନ ରାଜ୍ୟରେ ହିଟ୍ ୱେଭ୍ ଲାଗି ରହିବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ପଶ୍ଚିମ ଓଡ଼ିଶାରେ ମଧ୍ୟ ୧/୨ଟି ଜିଲ୍ଲାରେ ପାରଦ ବଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି।

ତେବେ ଏଲ୍‌-ନିନୋ ବର୍ଷରେ ବଙ୍ଗୋପସାଗରରେ  ବାତ୍ୟା ସଂଖ୍ୟା ସାଧାରଣ ଅପେକ୍ଷା କିଛି ମାତ୍ରାରେ କମିପାରେ । କିନ୍ତୁ ବାତ୍ୟାର ଭୟ ସମ୍ପୂର୍ଣ୍ଣ ଦୂର ହୁଏନାହିଁ ।  ବଙ୍ଗୋପସାଗର ପାଣି ସବୁବେଳେ ଗରମ ରହୁଥିବାରୁ,  ଯଦି କୌଣସି ସମୟରେ ଆକାଶର ପବନ ଅନୁକୂଳ ହୋଇଯାଏ, ତେବେ ହଠାତ୍‌ ସାଧାରଣ ଲଘୁଚାପ  ମଧ୍ୟ ଭୟଙ୍କର ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ  ମୁହାଁଇପାରେ । ଏଲ୍‌-ନିନୋ ଶୀତ ଦିନକୁ ମଧ୍ୟ ପ୍ରଭାବିତ  କରେ । ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତ  କମିପାରେ । କିନ୍ତୁ ବଢ଼ିପାରେ କୁହୁଡ଼ି । ଏଲ-ନିନୋ  ପ୍ରଭାବ ୨୦୨୭ର ପ୍ରଥମ ୬ ମାସ ପର୍ଯ୍ୟନ୍ତ ରହିପାରେ ।  ତେଣୁ ଆଗାମୀ ବର୍ଷର ଜଳ ପରିଚାଳନା ଆହୁରି  ଚିନ୍ତାଜନକ ହୋଇପାରେ।