ସମ୍ବଲପୁର ୧୨।୧୧ : ମହାବଳକୁ ମାରିବାକୁ ଷଡ଼ଯନ୍ତ୍ର। ଡେବ୍ରିଗଡ଼ ଜଙ୍ଗଲରେ ମହାବଳର ଜୀବନ ପ୍ରତି ବିପଦ । ବାଘକୁ ଶିକାର କରିବାକୁ ଚାଲିଥିଲା ଯୋଜନା । ହେଲେ ବନବିଭାଗର ସତର୍କତା ଯୋଗୁଁ ପଣ୍ଡ ହୋଇଛି ଶିକାରୀଙ୍କ ଷଡ଼ଯନ୍ତ୍ର ।

ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଜଙ୍ଗଲରେ ସକ୍ରିୟ ଶିକାରୀ । ମହାବଳକୁ ସୁରକ୍ଷା ଦେବାକୁ ଅଭୟାରଣ୍ୟ କର୍ତ୍ତୃପକ୍ଷ ୧୦୦ଟି ଟ୍ରାପ କ୍ୟାମେରାରେ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ୨୭ଟି ଟିମ୍ ପାଟ୍ରୋଲିଂରେ ନିୟୋଜିତ ଅଛନ୍ତି। ତଥାପି ଜଙ୍ଗଲରେ ସକ୍ରିୟ ଅଛନ୍ତି ଶିକାରୀ । ଡେବ୍ରିଗଡ଼ ଜଙ୍ଗଲରୁ ଗିରଫ ହୋଇଛନ୍ତି ୨ ଜଣ ଶିକାରୀ । ବନ୍ୟପ୍ରାଣୀ ବିଭାଗ ଏବଂ ଜିଲ୍ଲା ପୋଲିସ ମିଳିତ ଚଢ଼ାଉ କରି ଦୁଇ ଶିକାରୀଙ୍କୁ ଗିରଫ କରିଛି। ପ୍ରାୟ ୭୦ ଜଣ ସଶସ୍ତ୍ର ଅଧିକାରୀ ଓ କର୍ମଚାରୀ ସୀମାବର୍ତ୍ତୀ ଅଞ୍ଚଳରେ ତଲାସୀ କରିଥିଲେ।

Also Read:-କୋଟି କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗ, ସମ୍ପର୍କୀୟଙ୍କ ଘରୁ ଫେରାର ହେଡ୍ କ୍ଲର୍କଙ୍କୁ ଧରିଲା ଭିଜିଲାନ୍ସ

ସେହିପରି ଗିରଫ ହୋଇଥିବା ଦୁଇ ଶିକାରୀଙ୍କ ନିକଟରୁ ଫାଶ, ବିଦ୍ୟୁତ୍ ତାର ଏବଂ ଦୁଇ ବଣ୍ଡଲ୍ ଜାଲ ଜବତ କରାଯାଇଛି।  ଏହି ଶିକାରୀମାନେ ଜଙ୍ଗଲରେ ବାଘ ଶିକାର କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରି ସେହି ଅନୁସାରେ ଫାଶ ପ୍ରସ୍ତୁତ କରିଥିଲେ। ତେବେ ବନ୍ୟପ୍ରାଣୀ ବିଭାଗର ସତର୍କତା ଯୋଗୁଁ ସେମାନଙ୍କ ଯୋଜନା ବିଫଳ ହୋଇଛି ।  ଉଭୟ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଡେବ୍ରିଗଡ଼କୁ ଏକ ମହାବଳ ବାଘ ଆସିଥିବା ବେଳେ ତାର ସୁରକ୍ଷା ନେଇ  ବନବିଭାଗ ସକ୍ରିୟ ହୋଇଛି ।  ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଜୋରଦାର କମ୍ବିଂ ଅପରେସନ୍ ଜାରି ରହିଛି।