ମିରଟ ୦୬।୦୪ : ମିରଟର ବହୁଚର୍ଚ୍ଚିତ ମଦକାଣ୍ଡରେ ପୋଲିସର ନୂଆ ଖୁଲାସା । ପ୍ରେସମିଟରେ ପୋଲିସ ଯାହା ତଥ୍ୟ ରଖିଛି । ତାହା ସମସ୍ତଙ୍କୁ ଚକିତ କରିଦେଇଛି । ବିଶାକ୍ତ ମଦ ପିଇ ତିନି ଜଣଙ୍କ ମୃତ୍ୟୁ ପଛରେ ଲୁଚିଛି ସାଂଘାତିକ ଷଡ଼ଯନ୍ତ୍ର। ଅଭିଯୁକ୍ତଙ୍କ ମଧ୍ୟରେ ମୃତ ଅଙ୍କିତଙ୍କ ଭଉଣୀ ଅଳକା, ତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ବ୍ୟକ୍ତି ସାମିଲ ଅଛନ୍ତି। ପୋଲିସ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସ ମୁତାବିକ, ମୃତ ଅଙ୍କିତାଙ୍କ ଭଉଣୀ ଅଳକାଙ୍କର ପବନ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସଂପର୍କ ରହିଥିଲା । ଅଙ୍କିତ ପ୍ରାୟତଃ ଭଉଣୀ ଅଳକାଙ୍କୁ ମାର୍‌ପିଟ୍‌ କରୁଥିଲେ । ଏପିରିକି ତାଙ୍କ ପ୍ରେମ ସଂପର୍କକୁ ମଧ୍ୟ ବିରୋଧ କରିଆସୁଥିଲେ । ଏହିସବୁ ଘଟଣା ସଂପର୍କରେ ଅଳକା ପ୍ରେମିକ ପବନଙ୍କୁ କହିଥିଲେ । ପରେ ଉଭୟ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର । କିପରି ଅଙ୍କିତକୁ ରାସ୍ତାରୁ ହଟାଇବେ, ସେନେଇ ଆରମ୍ଭ କରିଥିଲେ ଯୋଜନା । ଷଡ଼ଯନ୍ତ୍ର ମୁତାବିକ ପବନ ତାଙ୍କ ପରିଚିତ  ଅଶୋକଙ୍କ ଠାରୁ ସାଇନାଇଡ୍‌ ନାମକ ଏକ ବିଷ ମଗାଇଥିଲେ । ପବନ ସେହି ବିଷକୁ ଟେଟ୍ରାପ୍ୟାକ୍‌ ମଦରେ ମିଶାଇ ଅଙ୍କିତକୁ ପିଇବାକୁ ଦେଇଥିଲେ । ଅଙ୍କିତ ଓ ତାର ସହଯୋଗୀ ମିଶି ବିଷାକ ମଦକୁ ପିଇଥିଲେ । ମଦ୍ୟପାନ ପରେ ତିନି ଜଣ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ସେମାନଙ୍କ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

ସେପଟେ ଏହି ଘଟଣା ପରେ ପୋଲିସ ଆରମ୍ଭ କରିଥିଲେ ତଦନ୍ତ । ଅନେକ ଲୋକଙ୍କୁ ପଚରାଉଚରା ଏବଂ ସଂଗ୍ରୃହୀତ ତଥ୍ୟକୁ ଆଧାର କରି ପୋଲିସ ଏହି ହତ୍ୟା ଷଡ଼ଯନ୍ତ୍ରର ଖୁଲାସା କରିଥିଲା । ଯେଉଁଥିରେ ଅଙ୍କିତର ଭଉଣୀ ଅଳକା ଏବଂ ତାଙ୍କ ପ୍ରେମିକ ପବନକୁ ଗିରଫ କରିଛି । ଏହାସହ ବିଷ ଯୋଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ଅଭିଯୁକ୍ତ ନିକଟରୁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଲିସକୁ ମିଳିଛି ।