ନୂଆଦିଲ୍ଲୀ: ମାତ୍ର ୫ ଟଙ୍କିଆ ଲେଜ୍ ଚିପ୍ସ ପ୍ୟାକେଟ୍ ପାଇଁ ୮ ହଜାର ଟଙ୍କାର ଫାଇନ ଗଣିଲା କମ୍ପାନୀ। ଖବରଟି ଖୁବ ରୋଚକ। ରାଜସ୍ଥାନ ଜୟପୁର ଜଣେ ଗ୍ରାହକ ୫ ଟଙ୍କିଆ ଚିପ୍ସ ପ୍ୟାକେଟ୍ କିଣି ଠକାମୀରେ ଶିକାର ହୋଇଥିଲେ। ଏହାପରେ ମାମଲା ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ ପାଖରେ ପହଞ୍ଚିଥିଲା।

ଏହି ଘଟଣାରେ ତଦନ୍ତ ପରିସରକୁ ଆସିଥିଲେ ଅଭିଯୋଗ କର୍ତ୍ତା, ଚିପ୍ସ ବିକିଥିବା ଦୋକାନୀ ଓ ଚିପ୍ସ ଉତ୍ପାଦକ କମ୍ପାନୀ। ଶେଷରେ କମ୍ପାନୀକୁ ହିଁ ଦୋଷୀ ସାବ୍ୟସ୍ତ କରି ୮ ହଜାର ଟଙ୍କାର ଫାଇନ କରିଛି ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ-୨।

ଏନଡିଟିଭି ଗୁଡ୍ସ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଜୟପୁର ଏମସ ଜାଲନ ବିଲ୍ଡିଂ ଆଣ୍ଡ ହାର୍ଡଓୟାର ମାଲିକ ଚନ୍ଦ୍ରମାନ ଜାଲାନ ଏହି ଅଭିଯୋଗ କରିଥିଲେ। 24Law.in ର ଏକ ରିପୋର୍ଟ ଅନୁଯାୟୀ, ୨୦୨୦ ମସିହା ନଭେମ୍ବର ୧୦ ତାରିଖରେ ଚନ୍ଦ୍ରମାନ ଜାଲନ ବନ୍ଧୁ ଚର୍ଚ୍ଚା ପାଇଁ ମେଟ୍ରୋ କ୍ୟାସ ଆଣ୍ଡ କ୍ୟାରି ଇଣ୍ଟିଆ ପ୍ରାଇଭେଟ ଲିମିଟେଡ୍ ଠାରୁ ଏକାଧିକ ଖାଦ୍ୟ ସାମଗ୍ରୀ କିଣିଥିଲେ। ଯେଉଁଥିରେ ୫ ଟଙ୍କିଆ ଲେଜ୍ ଆଳୁ ଚିପ୍ସ ପ୍ୟାକେଟ୍ ବି ଥିଲା।

Also read- ଲିଟର ପିଛା କ୍ଷୀର ମୂଲ୍ୟରେ ୮ ଟଙ୍କା ବୃଦ୍ଧି, ଏହି ରାଜ୍ୟର ସରକାର କଲେ ଘୋଷଣା

ଏହି ଚିପ୍ସ ପ୍ୟାକେଟ୍କୁ ସେ ଯେତେବେଳେ ବନ୍ଧୁଙ୍କୁ ଦେଲେ ସେତେବେଳେ ପ୍ୟାକେଟ୍ ଖୁବ ହାଲୁକ ଲାଗିଥିଲା। ସନ୍ଦେହରେ ଓଜନ କରିବାକୁ ଏଥିରେ ମାତ୍ର ୪ ଗ୍ରାମର ଚିପ୍ସ ଥିବା ଜଣାପଡ଼ିଥିଲା। ହେଲେ ପ୍ୟାକେଟ୍ରେ ୧୫ ଗ୍ରାମର ଚିପ୍ସ ଅଛି ବୋଲି ଲେଖାଯାଇଥିଲା। ଅଭିଯୋଗ ଅନୁସାରେ ଚନ୍ଦ୍ରମାନ ପ୍ରଥମେ ଦୋକାନୀକୁ ଘଟଣା ବିଷୟରେ କହିଥିଲେ। ହେଲେ ସେଠାରୁ ସନ୍ତୋଷମୂଳକ ଜବାବ ନ ମିଳିବାରୁ ସେ ୬ ଏପ୍ରିଲ ୨୦୨୨ରେ ଏକ ଗ୍ରାହକ ଅଭିଯୋଗ ଦାଖଲ କରିଥିଲେ। ଏଥିରେ ସେ ସେବାରେ ତ୍ରୁଟି ଏବଂ ଅନ୍ୟାୟ ବ୍ୟାପାର ଅଭ୍ୟାସ ଆପଣାଇଥିବା ଅଭିଯୋଗ ଲଗାଇଥିଲେ।

ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ-୨ର କାର୍ଯ୍ୟାନୁଷ୍ଠାନ

ଏହି ମାମଲାରେ କମିଶନ ସଭାପତି ଅଶୋକ ଶର୍ମା ଏବଂ ସଦସ୍ୟ ଅଜୟ କୁମାର ଓ ସୁପ୍ରିୟା ଅଗ୍ରୱାଲଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ୧୭ ସେପ୍ଟେମ୍ବର, ୨୦୨୬ରେ ବିକ୍ରେତାଙ୍କୁ ଏକ ଆଦେଶ ଜାରି କରିଥିଲେ। ହେଲେ ବିକ୍ରେତା ମେଟ୍ରୋ କ୍ୟାସ ଆଣ୍ଡ କ୍ୟାରି ଅଭିଯୋଗକୁ ବିରୋଧ କରିବା ସହିତ ମେନୁଫେକ୍ଚରିଂ ବେଳେ ସମସ୍ୟା ଥାଇପାରେ ବୋଲି କହିଥିଲା। ଏହାପରେ କଥା ପହଞ୍ଚିଲା ଏହାର ନିର୍ମାତା ପେପ୍ସିକୋ(PepsiCo,) ପାଖରେ।

ଗ୍ରାହକ କମିଶନ ମାମଲାରେ ପେପ୍ସିକୋକୁ ବାରମ୍ବାର ନୋଟିସ ଦେବା ସତ୍ତ୍ୱେ କମ୍ପାନୀ ହାଜର ହୋଇ ନଥିଲା। ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ମାମଲାରେ ବିକ୍ରେତା ମେଟ୍ରୋ କ୍ୟାସ ଆଣ୍ଡ କ୍ୟାରିକୁ ଦୋଷ ମୁକ୍ତ କରିବା ସହ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ପେପ୍ସିକୋକୁ ମିଳିଲା ଦଣ୍ଡ

ଏହି ମାମଲାରେ ଖାଉଟି କମିଶନ ପେପ୍ସିକୋ ଉପରେ ମୋଟା ଅଙ୍କର ଫାଇନ ଲଗାଇଛନ୍ତି। ଗ୍ରାହକଙ୍କୁ ୫ ଟଙ୍କା ଫେରାଇବା ସହିତ ଅଭିଯୋଗ ହେବା ଦନି (୨୦୨୨ ଏପ୍ରିଲ ୬) ଠାରୁ ବାର୍ଷିକ ଆଧାରରେ ୬ ପ୍ରତିଶତ ସୁଧ ସହ ପେମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ମେଣ୍ଟାଲ ହାରାସମେଣ୍ଟ ଅଭିଯୋଗରେ ୫ ହଜାର କ୍ଷତିପୂରଣ, ମକଦ୍ଦମା ଖର୍ଚ୍ଚ ପାଇଁ ୩ ହଜାର ଟଙ୍କା ସହ ମୋଟ ୮ ହଜାର କ୍ଷତିପୂରଣ ଦେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି କମିଶନ।

ଆଉ ଯଦି ସମୟ ଅନୁସାରେ ଫାଇନ ଦିଆ ନଯାଏ ତେବେ ଅର୍ଡର ଜାରି ହେବା ଠାରୁ ବାର୍ଷିକ ଆଧାରରେ ପୁଣି ୬ ପ୍ରତିଶତ ସୁଧ ସହ ପେମେଣ୍ଟ କରିବାକୁ ପଡ଼ିବ।