ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ସୃଷ୍ଟି କରିଥିବା କ୍ଷୟକ୍ଷତି ଏବଂ ପରବର୍ତ୍ତୀ ବନ୍ୟା ସ୍ଥିତିକୁ ନେଇ ଗଭୀର ଚିନ୍ତାପ୍ରକଟ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ରାଷ୍ଟ୍ରପତି ଟେଲିଫୋନ୍ ଯୋଗେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହୋଇ ରାଜ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଆଲୋଚନା ସମୟରେ ରାଷ୍ଟ୍ରପତି ବାତ୍ୟା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରେ ଲୋକଙ୍କ କଲ୍ୟାଣ, ସୁରକ୍ଷା ଏବଂ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା ବିସ୍ଥାପିତଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଓଡ଼ିଶାବାସୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ତେବେ ରାଷ୍ଟ୍ରପତିଙ୍କ ସହ ଆଲୋଚନା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ‘‘ରାଷ୍ଟ୍ରପତିଙ୍କୁ ରାଜ୍ୟର ସାମ୍ପ୍ରତିକ ସ୍ଥିତି ଏବଂ ସରକାରଙ୍କ ପକ୍ଷରୁ ନିଆଯାଇଥିବା ତୁରନ୍ତ ପଦକ୍ଷେପ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଛି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଓଡ଼ିଶାରେ ସୃଷ୍ଟି ହୋଇଥିବା ସ୍ଥିତି ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଜଣାଇଲି। ଏହି କଠିନ ସମୟରେ ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ଗଭୀର ଚିନ୍ତା ଏବଂ ଆଶ୍ୱାସନା ଆମ ମନୋବଳକୁ ବହୁଗୁଣିତ କରିଛି।"

Also Read: ଗଞ୍ଜାମ-ଗଜପତି ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ ଦେଖିଲେ କ୍ଷୟକ୍ଷତି

ସରକାରଙ୍କ ପ୍ରଶାସନିକ କଳ ସମ୍ପୂର୍ଣ୍ଣ ସଜାଗ ରହି ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ, ପାନୀୟ ଜଳ ଯୋଗାଣ ଏବଂ ରାସ୍ତାଘାଟ ସଫେଇ କାର୍ଯ୍ୟ କରୁଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।