ସୋର : ଋଣ ଶୁଝି ନପାରି ଗାଁ ଛାଡ଼ିଛନ୍ତି। ୪ ବର୍ଷ ହେଲା ଘଞ୍ଚ ଜଙ୍ଗଲରେ ଦିନ ବିତାଉଛନ୍ତି। ସାଥୀରେ ଶିଶୁକନ୍ୟା ସହ ମଞ୍ଚାରେ ଜୀବନ କାଟୁଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଔପଦା-ମୟୂରଭଞ୍ଜ ରାସ୍ତାର ବାବା ସୁନ୍ଦର ପଶ୍ଚିମା ମନ୍ଦିର ନିକଟସ୍ଥ ଜଙ୍ଗଲରେ। କୁଲଡିହା ଅଭୟାରଣ୍ୟ ଅଧୀନ ଏହି ଘଞ୍ଚ ଜଙ୍ଗଲରେ ୬ବର୍ଷର କୁନି ଝିଅକୁ ଧରି ଜଣେ ଆଦିବାସୀ ମହିଳା ଗଛର ମଞ୍ଚା ଉପରେ ଏମିତି ବିପଦସଙ୍କୁଳ ଅବସ୍ଥାରେ ଦିନ କାଟୁଛନ୍ତି। ସମ୍ପୃକ୍ତ ମହିଳା ହେଲେ, ବାଲେଶ୍ବର ଜିଲା ଔପଦା ବ୍ଳକ ଗଡ଼ସାହି ପଞ୍ଚାୟତ ଜାନିକାପାଳ ପଣ୍ଡୁଆ ଗାଁର ମହେଶ୍ବର ଖଟୁଆଙ୍କ ସ୍ତ୍ରୀ ଲକ୍ଷ୍ମୀ ଖଟୁଆ। ପରିସ୍ଥିତି ଏମିତି ଯେ ଲକ୍ଷ୍ମୀ ଏବେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ରାତି ହେଲେ ମାଆ ଓ କୁନି ଝିଅ ମଞ୍ଚାରେ ରହୁଥ‌ିବା ବେଳେ ଦିନରେ ତଳକୁ ଓହ୍ଲାଇ ଆସି ନିକଟସ୍ଥ ରାସ୍ତା କଡ଼ରେ ବସିଥାନ୍ତି। ରାସ୍ତାରେ ଯିଏ ଯାହା ଦିଅନ୍ତି ତାକୁ ଖାଇ ମା'-ଝିଅ ଜୀବନ ବିତାଉଛନ୍ତି।

ସୂଚନା ଥାଉକି, ୧୫ବର୍ଷ ତଳେ ପଣ୍ଡୁଆ ଗାଁର ମହେଶ୍ବର ଗଡ଼ସାହି ଗାଁର ବିଦେଶୀ ଗିରିଙ୍କ ଝିଅ ଲକ୍ଷ୍ମୀକୁ ବିବାହ କରିଥିଲେ। ସେମାନଙ୍କର ପୁଅଟିଏ ହୋଇଥିଲା। ମାତ୍ର ବର୍ଷକରେ ଶିଶୁପୁତ୍ରର ମୃତ୍ୟୁ ହେବା ପରେ ସ୍ବାମୀ-ସ୍ତ୍ରୀ ପଣ୍ଡୁଆରେ ଶ୍ୱଶୁରଘର ବିଦେଶୀ ଗିରିଙ୍କ ଘରେ ରହିଥିଲେ। ସେଠାରେ ସେମାନଙ୍କର ଏକ କନ୍ୟାସନ୍ତାନ ଜନ୍ମ ନେଇଥିଲା। ପରିବାର ଚଳାଇବା ପାଇଁ ଲକ୍ଷ୍ମୀ ଋଣ କରି ଦରଖୋଳୀ ହାଟରେ ଏକ ଜଳଖିଆ ଦୋକାନ କରିଥିଲେ। ତେବେ ମୟୂରଭଞ୍ଜ ଅଞ୍ଚଳର ଜଣେ ବ୍ୟକ୍ତି ଲକ୍ଷ୍ମୀଙ୍କ ସରଳତାର ସୁଯୋଗ ନେଇ ପର୍ଯ୍ୟାୟକ୍ରମେ ରଣ ଟଙ୍କା ଧରି ଫେରାର ହୋଇଯାଇଥିଲେ। ଏହା ପରେ ଲକ୍ଷ୍ମୀ ଋଣ ଟଙ୍କା ଶୁଝି ପାରି ନଥିଲେ। ଋଣ ଦେଇଥିବା ସଂସ୍ଥାର କର୍ମକର୍ତ୍ତା ତାଙ୍କୁ ଟଙ୍କା ମାଗିବା ସହ ଲକ୍ଷ୍ମୀଙ୍କ ଘରେ ଥ‌ିବା ଛେଳି କୁକୁଡ଼ା ନେଇଯାଇଥିଲେ। ଏହି ଚିନ୍ତାରେ ଲକ୍ଷ୍ମୀ ମାନସିକ ଭାରସାମ୍ୟ ହରାଇ ଘର ଛାଡ଼ି ଜଙ୍ଗଲକୁ ପଳାଇଥିଲେ। ଏହା ଭିତରେ ୪ ବର୍ଷ ବିତିଲାଣି, ଲକ୍ଷ୍ମୀ ୬ ବର୍ଷର କୁନି ଝିଅକୁ ଧରି ଜଙ୍ଗଲରେ ରହୁଛନ୍ତି।

Also Read- Chhadakhai 2026 : ଛାଡ଼ଖାଇରେ ବୋହିନେଲେ ଟନ ଟନ ମଟନ , ଚିକେନ, ମାଛ , କଙ୍କଡା ଓ ଚିଙ୍ଗୁଡି; ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆମିଷ ବିକ୍ରି

 ମଞ୍ଚା ଭାଙ୍ଗି ପଡ଼ିଲେ ମା'-ଝିଅଙ୍କ ଜୀବନ ପ୍ରତି ବିପଦ ରହିଛି। ମଞ୍ଚା ନିକଟକୁ ସମ୍ପର୍କୀୟଙ୍କ ସହ କେହି ଗଲେ ଲକ୍ଷ୍ମୀ କଥାବାର୍ତ୍ତା କରୁ ନଥିବା ବେଳେ ରାଗି ଖପ୍ପା ହୋଇ ଯାଉଛନ୍ତି। ମାତ୍ର ଋଣ ଟଙ୍କା ହରାଇବା ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଛି। ଦୀର୍ଘ ୪ ବର୍ଷ ଧରି ମା'- ଝିଅ ଜଙ୍ଗଲରେ ରହୁଛନ୍ତି; ଘରକୁ ନେବା ପାଇଁ ଚେଷ୍ଟା କଲେ ବି ସେ ବୁଝୁନାହିଁ। ଋଣ ଟଙ୍କାକୁ ନେଇ ଏପରି ସମସ୍ୟା ହୋଇଛି ବୋଲି କହିଛନ୍ତି । ପୂର୍ବତନ ନାଏବ ସରପଞ୍ଚ ସିଦ୍ଧେଶ୍ବର ସାହୁ ମାଆ-ଝିଅଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଗାଁ ଫେରାଇ ଆଣିବା ପାଇଁ ପ୍ରଶାସନ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି।