ଗ୍ଵାଲିୟର: ସ୍ଥାନ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ଵାଲିୟର ବେଞ୍ଚ। କୋର୍ଟ ରୁମ ଭିତରେ ଅଛନ୍ତି ୧୯ ବର୍ଷର ମହିଳା। ବାହାରେ ଅପେକ୍ଷା କରି ରହିଛନ୍ତି ମାଆ-ବାପା, ସ୍ଵାମୀ ଓ ପ୍ରେମିକା। ଭିତରେ ଚାଲିଥିବା ଶୁଣାଣିକୁ ସମସ୍ତେ ଚାତକ ପରି ଚାହିଁ ରହିଥାନ୍ତି। ଅଦାଲତ ସାମ୍ନାରେ ମହିଳା ଜଣକ ‘ସାଥିରେ ରହିବାର ଅଧିକାର’ର ବ୍ୟବହାର କରି କହିଛନ୍ତି ମୁଁ ସାବାଳିକା। ମୁଁ ନିଜ ଇଚ୍ଛା ଅନୁସାରେ ବଞ୍ଚିବାକୁ ଚାହେଁ। ମୁଁ ନିଜର ସ୍ଵାମୀ କିମ୍ବା ନିଜ ବାପା-ମାଆଙ୍କ ସହିତ ରହିବାକୁ ଚାହୁଁ ନାହିଁ।

ଅନ୍ୟ ବ୍ୟକ୍ତି ବେଆଇନ ଭାବେ ମୋ ପତ୍ନୀଙ୍କୁ ରଖିଛନ୍ତି

ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ଵାଲିୟର ବେଞ୍ଚରେ ଅବଧେଶ ନାମକ ଜଣେ ବ୍ୟକ୍ତି ହେବିୟସ କର୍ପସ ପିଟିସନ ଦାୟର କରିଥିଲେ। ସରଳ ଭାଷାରେ କହିବାକୁ ଗଲେ, ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଯାଉ। ଏହି ଯାଚିକା ସ୍ଵାମୀ ନିଜ ପତ୍ନୀଙ୍କ ବିରୋଧରେ ଦାୟର କରିଥିଲେ। ଯାଚିକାରେ ଅଭିଯୋଗ କରାଯାଇଥିଲା ଯେ, ତାଙ୍କ ପତ୍ନୀଙ୍କୁ ଅନୁଜ କୁମାର ନାମକ ଯୁବକ ବେଆଇନ ଭାବେ ନିଜ ପାଖରେ ରଖିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ମହିଳାଙ୍କୁ ଖୋଜି ଏକ ଆଶ୍ରୟ ସ୍ଥଳରେ ରଖିଥିଲେ ଏବଂ ପରେ କୋର୍ଟରେ ହାଜର କରାଇଥିଲେ। ଶୁଣାଣି ସମୟରେ କୋର୍ଟରେ ମାଆ-ବାପା, ସ୍ଵାମୀ ଓ ପ୍ରେମିକ ଉପସ୍ଥିତ ଥିଲେ।

Also Read: ପ୍ରେମ ପାଇଁ ମହିଳାଙ୍କ ଭୟାନକ ପ୍ଲାନ୍, ଟେଟ୍ରା ପ୍ୟାକ୍ର ମଦରେ ବିଷ ମିଶାଇ ୩ ଜଣଙ୍କୁ ମାରିଦେଲେ

ସ୍ଵାମୀ ଓ ମୋ ଭିତରେ ୨୧ ବର୍ଷର ବ୍ୟବଧାନ, ପ୍ରେମିକ ସହ ରହିବି

ଶୁଣାଣି ସମୟରେ ବିଚାରପତି ମହିଳାଙ୍କୁ ତାଙ୍କ ଇଚ୍ଛା ବିଷୟରେ ପଚାରିଥିଲେ। ମହିଳା ଜଣକ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ସେ ସାବାଳିକା ଏବଂ ନିଜ ଇଚ୍ଛାରେ ରହୁଛନ୍ତି। ନିଜ ସ୍ଵାମୀ କିମ୍ବା ବାପା-ମାଆଙ୍କ ସହିତ ରହିବାକୁ ଚାହୁଁନାହିଁ। ମହିଳା ଜଣକ କୋର୍ଟରେ କହିଛନ୍ତି ଯେ, ତାଙ୍କର ବୈବାହିକ ଜୀବନ ଠିକରେ ଚାଲୁନାହିଁ। ତାଙ୍କର ଏବଂ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ୨୧ ବର୍ଷ ବୟସର ବ୍ୟବଧାନ ରହିଛି। ତେଣୁ ଆମର ବୈବାହିକ ଜୀବନ ଦୁର୍ବିସହ ହୋଇ ପଡ଼ିଛି। ମହିଳା ଜଣକ ନିଜ ସ୍ଵାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ମଧ୍ୟ ଲଗାଇଛନ୍ତି। ଏହା ସହିତ ପ୍ରେମିକ ଅନୁଜଙ୍କ ସହ ରହିବାକୁ ଚାହୁଁଛି ବୋଲି ବିଚାରପତିଙ୍କୁ କହିଥିଲେ।

କାଉନସେଲିଂ ପରେ ବି ନିଜ କଥାରେ ଅଟଳ ରହିଲେ ମହିଳା

କୋର୍ଟ ମହିଳାଙ୍କୁ କାଉନସେଲିଂ ପାଇଁ ପଠାଇଥିଲେ, ଯଦ୍ଵାରା ମହିଳା ଜଣକ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରି ପାରିବେ। ହେଲେ କାଉନସେଲିଂ ପରେ ବି ମହିଳା ଜଣକ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ତାଙ୍କ ପ୍ରେମିକ ମଧ୍ୟ କୋର୍ଟକୁ ଭରସା ଦେଇଛନ୍ତି ଯେ, ସେ ମହିଳାଙ୍କ ଉଚିତ୍ ଯତ୍ନ ନେବେ ଏବଂ ସୁରକ୍ଷା ସୁନିଶ୍ଚିତ କରିବେ। ସବୁ ତର୍କ ଶୁଣିବା ପରେ ବିଚାରପତି ଆନନ୍ଦ ପାଠକ ଓ ବିଚାରପତି ପୁଷ୍ପେନ୍ଦ୍ର ଯାଦବଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହା ସ୍ପଷ୍ଟ ହୋଇଛି ଯେ, ମହିଳାଙ୍କୁ କୌଣସି ପ୍ରକାରର ବେଆଇନ ଭାବେ ରଖାଯାଇ ନ ଥିଲା। ତେଣୁ ଏହି ଯାଚିକାର କୌଣସି ତାତ୍ପର୍ଯ୍ୟ ହିଁ ନାହିଁ। କୋର୍ଟ ମହିଳାଙ୍କୁ ଆଶ୍ରୟ କେନ୍ଦ୍ରରୁ ମୁକ୍ତ କରି ପ୍ରେମିକ ସହ ଯିବାକୁ ଅନୁମତି ଦେଇଛନ୍ତି।

Also  Read: ଦେହ ସୁଖ ପାଇଁ ଡ୍ୟୁଟି ଛାଡ଼ି ଚାଲି ଆସିଲେ ହେଡ୍ କନଷ୍ଟେବଳ, ମହିଳା ସିପାହୀଙ୍କୁ କାରକୁ ଟାଣିନେଲେ, କିନ୍ତୁ CCTVରେ...

୬ ମାସ ପର୍ଯ୍ୟନ୍ତ ମହିଳାଙ୍କୁ ମିଳିଲା ସୁରକ୍ଷା

କୋର୍ଟ ମହିଳାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଛଅ ମାସ ପର୍ଯ୍ୟନ୍ତ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୌର୍ଯ୍ୟ ଦିଦି ନାମକ ଅଧିକାରୀ ଏହି ସମୟରେ ମହିଳାଙ୍କ ସହ ଯୋଗାଯୋଗରେ ରହିବେ ଏବଂ ତାଙ୍କର ସୁରକ୍ଷା ସୁନିଶ୍ଚିତ କରିବେ।

ସୂଚନାଯୋଗ୍ୟ, ନିକଟରେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏକ ମାମଲାରେ କହିଥିଲେ ଯେ, ଯଦି ଜଣେ ବିବାହିତ ପୁରୁଷ କୌଣସି ମହିଳାଙ୍କ ସହ ତାଙ୍କ ସହମତିରେ ଲିଭ ଇନ ରିଲେସନଶିପରେ ରହୁଛନ୍ତି, ତେବେ ଏହାକୁ ଅପରାଧ ରୂପେ ବିବେଚନା କରାଯାଇ ପାରିବ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସାମାଜିକ ନୈତିକତା ଓ ଆଇନ ଭିନ୍ନ ଭିନ୍ନ ଦିଗ ଏବଂ ଅଦାଲତ ନାଗରିକଙ୍କ ଅଧିକାରର ରକ୍ଷା କରିଥାଏ।