ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ ପେମେଣ୍ଟର ଏକ ବଡ଼ ମାଧ୍ୟମ ପାଲଟିଛି ୟୁପିଆଇ। ପ୍ରତିଦିନ ଦେଶରେ କୋଟି- କୋଟି ୟୁପିଆଇ ଟ୍ରାଞ୍ଜାକ୍ସନ ହେଉଛି। ଏହି ୟୁପିଆଇ ଭାରତର ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏକ ବଡ଼ କ୍ରାନ୍ତି ଆଣିଛି କହିଲ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ଆଗକୁ ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ବର୍ତ୍ତମାନ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ (UPI) କାରବାର ଉପରେ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍’ (MDR) ବା ମର୍ଚ୍ଚାଣ୍ଟ ଫି’ ଲାଗୁ କରିବା ପ୍ରସ୍ତାବ ଉପରେ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଏହି ପ୍ରସ୍ତାବିତ ଶୁଳ୍କ ୦.୫ ପ୍ରତିଶତରୁ କମ୍ ହୋଇପାରେ ବୋଲି ଜଣାପଡ଼ିଛି।

ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବ କି ପ୍ରଭାବ?

ଏହି ଖବର ସାମ୍ନାକୁ ଆସିବା ପରେ ସାଧାରଣ ଗ୍ରାହକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନୂଆ ନିୟମ ଦ୍ବାରା ସାଧାରଣ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି ମର୍ଚ୍ଚାଣ୍ଟ ଫି’ କେବଳ ବଡ଼ ବ୍ୟବସାୟୀ ଏବଂ କର୍ପୋରେଟ୍ ପ୍ରତିଷ୍ଠାନଗୁଡ଼ିକ ଉପରେ ହିଁ ଲାଗୁ କରାଯିବ। ତେଣୁ ସାଧାରଣ ଲୋକ ପୂର୍ବପରି ମାଗଣାରେ ୟୁପିଆଇ ସେବାର ଲାଭ ଉଠାଇପାରିବେ।

Also Read: ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଶେଷରେ ଭାରତ ବି ସାମିଲ: ଦୈଶରେ ଦୌଡ଼ିଲା ପ୍ରଥମ ହାଇଡ୍ରୋଜେନ ଟ୍ରେନ, ଭଡ଼ା ମାତ୍ର ୫ ଟଙ୍କାରୁ ଆରମ୍ଭ

କାହିଁକି ନିଆଯାଉଛି ଏଭଳି ନିଷ୍ପତ୍ତି?

ୟୁପିଆଇ ବ୍ୟବସ୍ଥାର ବ୍ୟାପକ ସଫଳତା ସହ ଏହାର ଭିତ୍ତିଭୂମି ବଜାୟ ରଖିବା ପାଇଁ ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ଖର୍ଚ୍ଚ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଡିଜିଟାଲ୍ ଇକୋସିଷ୍ଟମକୁ ଦୀର୍ଘସ୍ଥାୟୀ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଏହି ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ସଂସଦୀୟ ସ୍ଥାୟୀ କମିଟି ମଧ୍ୟ ଏକ ରିପୋର୍ଟରେ ଚେତାବନୀ ଦେଇଥିଲେ ଯେ, ଶୂନ୍ୟ ଏମଡିଆର (Zero MDR) ଯୋଗୁ ୟୁପିଆଇ ଭିତ୍ତିଭୂମିର ବିକାଶ ଓ ସୁରକ୍ଷା କ୍ଷେତ୍ରରେ ବିନିଯୋଗ ସୀମିତ ହୋଇଯାଉଛି। ଏହି ପ୍ରସ୍ତାବ ଉପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।