ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୭ରେ ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନକୁ ସବୁଜ ସଙ୍କେତ ଦେଇଛନ୍ତି। ପରିବେଶ ଅନୁକୂଳ ଟେକ୍ନୋଲୋଜୀ ସହିତ ଏହି ଟ୍ରେନର ଆଉ ଏକ ବଡ଼ ବିଶେଷତ୍ୱ ହେଉଛି ଏହାର ସୁଲଭ ଭଡ଼ା। ଯାତ୍ରୀମାନେ ମାତ୍ର ୫ ଟଙ୍କାରୁ ୨୫ ଟଙ୍କା ମଧ୍ୟରେ ଏହି ଟ୍ରେନରେ ଯାତ୍ରା କରିପାରିବେ।

ଏହି ଟ୍ରେନରେ ୧୦ଟି ବଗି ରହିଥିବା ଏକା ସାଙ୍ଗରେ ୨୬୦୦ ଯାତ୍ରୀ ଯାତ୍ରା କରିପାରିବେ। ଟ୍ରେନଟି ହରିୟାଣାର ଜିନ୍ଦ ଓ ସୋନିପତ ମଧ୍ୟରେ ଚଳାଚଳ କରିବ। ପ୍ରାୟ ୯୦ କିଲୋମିଟର ଦୂରତାକୁ ଏହା ପ୍ରାୟ ୨ ଘଣ୍ଟାରେ ଅତିକ୍ରମ କରିବା ସହ ଏହି ରାସ୍ତାରେ ୧୧ଟି ଷ୍ଟେସନରେ ରହଣି କରିବ। ଏହି ହାଇଡ୍ରୋନ ଜେନ ଟ୍ରେନରେ ସମ୍ପୂର୍ଣ୍ଣ ସ୍ୱଦେଶୀ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି। ତେଣୁ ଏହା ପାରମ୍ପରିକ ଓଭରହେଡ୍ ବିଦ୍ୟୁତ ତାର ବିନା ଏହା ଚଳାଚଳ କରିପାରିବ।

କେବଳ ଜଳୀୟ ବାଷ୍ପ ନିର୍ଗତ କରିବ ଟ୍ରେନ୍

ଏହି ହାଇଡ୍ରୋଜେନ ଟ୍ରେନ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ହେବ। ଡିଜେଲ୍ ଟ୍ରେନ୍ ପରି କାର୍ବନ ନିର୍ଗମନ ନକରି ଏଥିରୁ କେବଳ ଜଳୀୟ ବାଷ୍ପ ନିର୍ଗତ ହେବ। ଫଳରେ ଏହା ସମ୍ପୂର୍ଣ୍ଣ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ପରିବହନ ବ୍ୟବସ୍ଥା ଭାବେ ପରିଚିତ ହେବ। ଟ୍ରେନ ପାଇଁ ଆବଶ୍ୟକ ହାଇଡ୍ରୋଜେନ୍ ଇନ୍ଧନ ଜିନ୍ଦରେ ସ୍ଥାପିତ ଏକ ସ୍ୱତନ୍ତ୍ର ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟରୁ ଯୋଗାଇ ଦିଆଯିବ। ପ୍ରକଳ୍ପରେ ଆଧୁନିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସାମିଲ କରାଯାଇଛି।

ସ୍ୱଚ୍ଛତା ଶକ୍ତି କ୍ଷେତ୍ରରେ ଐତିହାସିକ ପଦକ୍ଷେପ

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନୀ ଏହାକୁ ସ୍ୱଚ୍ଛ ଶକ୍ତି, ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ ଗଠନ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ତାଙ୍କ କହିବାନୁସାରେ, ଏହି ପ୍ରକଳ୍ପ ଅଞ୍ଚଳର ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଅର୍ଥନୈତିକ ବିକାଶକୁ ମଧ୍ୟ ଗତି ଦେବ।

ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ଆମେରିକା ପରେ ବର୍ତ୍ତମାନ ଭାରତ ମଧ୍ୟ ହାଇଡ୍ରୋଜେନ୍ ଚାଳିତ ରେଳ ଟେକ୍ନୋଲୋଜୀ ବ୍ୟବହାର କରୁଥିବା ସ୍ୱତନ୍ତ୍ର ଦେଶଙ୍କ ତାଲିକାରେ ସାମିଲ ହୋଇଛି। ଏହାକୁ ଭାରତର ସ୍ୱଚ୍ଛ ପରିବହନ ବ୍ୟବସ୍ଥା ଓ ପାରମ୍ପରିକ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।