ଇସ୍ଲାମାବାଦ: ଆମେରିକା ଓ ଇରାନ ମଧ୍ୟରେ ପାକିସ୍ତାନ ଶାନ୍ତି ବାର୍ତ୍ତାକୁ ନେଇ ଆଶା ଢେର ବଢି ଯାଇଛି।  ଆମେରିକା ୧୧ ଏପ୍ରିଲ ଶନିବାର ବୈଠକ ପୂର୍ବରୁ ଇରାନର ଗୋଟିଏ ସର୍ତ୍ତକୁ ସ୍ୱୀକାର କରିଛି। ନ୍ୟୁଜ୍ ଏଜେନ୍ସୀ ରଏଟର୍ସ ମୁତାବକ ଇରାନ ସୂତ୍ର ସୂଚିତ କରିଛି ଯେ କତାର ଓ ଅନ୍ୟ ବ୍ୟାଙ୍କମାନଙ୍କରେ ଜମା ଇରାନୀ ସମ୍ପତ୍ତି ଜାରି କରିବାକୁ ଆମେରିକା ସହମତ ହୋଇଛି। ସୂତ୍ର ଏହି ପଦକ୍ଷେପକୁ ସ୍ୱାଗତ କରି ଏହାକୁ ଇସ୍ଲାମାବାଦରେ ଆମେରିକା ସହିତ ଆଲୋଚନା ମାଧ୍ୟମରେ କୌଣସି ବୁଝାମଣାରେ ପହଞ୍ଚିବା ଦିଗରେ ଏକ ବଡ ପଦକ୍ଷେପ ମନେ କରାଯାଉଛି। ଯଦି ଇରାନ ଉପରେ ଜାରି କଟକଣା ହଟି ଯାଏ ତେବେ ହର୍ମୁଜ ଖୋଲିବାର ସମ୍ଭାବନା ମଧ୍ୟ ବଢିଯିବ। ଇରାନ ହର୍ମୁଜ ଉପରେ ତାର ନିୟନ୍ତ୍ରଣ ଓ ଯୁଦ୍ଧରେ ହୋଇଥିବା କ୍ଷତିଭରଣା ଦାବି କରୁଛି।  

ଦୁଇଦେଶଙ୍କ ପ୍ରତିନିଧି ମଣ୍ଡଳ ପାକିସ୍ତାନ ରାଜଧାନୀରେ ଚଳାଇଛନ୍ତି ଆଲୋଚନା
ଏହା ପୂର୍ବରୁ ୬ ସପ୍ତାହ ଧରି ଜାରି ଯୁଦ୍ଧକୁ ସମାପ୍ତ କରିବାକୁ ଇରାନ ଓ ଆମେରିକାର ବରିଷ୍ଠ ନେତା ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ପହଞ୍ଚିଥିଲେ। ତେବେ ଇରାନ ପୂର୍ବରୁ  ଲେବାନନ ଓ କଟକଣା ପ୍ରସଙ୍ଗରେ ମଜଭୁତ ସଂକଳ୍ପ ବିନା ଆଲୋଚନା ସମ୍ଭବ ନୁହେଁ କହି ଶାନ୍ତିବାର୍ତ୍ତାକୁ ନେଇ ସନ୍ଦେହ ସୃଷ୍ଟି କରିଥିଲା। ଶାନ୍ତି ବାର୍ତ୍ତାରେ ଆମେରିକା ପ୍ରତିନିଧି ମଣ୍ଡଳର ନେତୃତ୍ୱ ଉପରାଷ୍ଟ୍ରପତି ଜେ.ଡି ଭେନ୍ସ ନେଉଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଶେଷ ଦୂତ ଷ୍ଟିଭ ଭିଟକଫ ଓ ଜେରେଡ କୁଶନର ମଧ୍ୟ ଉପସ୍ଥିତ ଅଛନ୍ତି।ସେହିପରି ଇରାନ ପକ୍ଷରୁ ସଂସଦ ବାଚସ୍ପତି ମହମଦ ବାକିର କାଲିବଫ ନେତୃତ୍ୱ ନେଉଥିବା ବେଳେ ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀ ଆଲୋଚନାରେ ଅଂଶଗ୍ରହଣ କରିବେ। ୧୯୭୯ ଇସ୍ଲାମ କ୍ରାନ୍ତି ପରେ ଏହା ଆମେରିକା ଓ ଇରାନ ମଧ୍ୟରେ ଏପର୍ଯ୍ୟନ୍ତର ସବୁଠୁ ଉଚ୍ଚସ୍ତରୀୟ ଆଲୋଚନା ହେବ। ଏହା ପୂର୍ବରୁ ୨୦୧୫ ମସିହାରେ ଆମେରିକା ଓ ଇରାନ ସାମ୍ନାସାମ୍ନି ବସି ଇରାନ ପରମାଣୁ କାର୍ଯ୍ୟକ୍ରମ ବୁଝାମଣା କରିଥିଲେ। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳ ୨୦୧୮ରେ ଏହି ବୁଝାମଣାକୁ ବାତିଲ କରିଦେଇଥିଲେ।

ଆଲୋଚନା ନେଇ ସୋସିଆଲ ମିଡିଆରେ ସୂଚନା ଦେଲେ କାଲିବଫ
ଇରାନ ନେତା କାଲିବଫ ଆଲୋଚନା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଥମେ ଇରାନର ସମ୍ପତ୍ତି ଉପରୁ କଟକଣା ହଟାଇବାକୁ ଓ ଲେବାନନରେ ଯୁଦ୍ଧବିରାମ ଲାଗି ଆମେରିକା ସହମତ ହୋଇଯାଇଥିଲା। ମାର୍ଚ୍ଚ ମାସରେ ଯୁଦ୍ଧ ଆରମ୍ଭ ହେବା ପରେ ଇରାନ ସମର୍ଥନରେ ହିଜବୁଲ୍ଲାହ ଯୋଦ୍ଧାଙ୍କ ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ୨ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। କାଲିବଫ ଉଲ୍ଲେଖ କରିଥିଲେ ଯେ ପର୍ଯ୍ୟନ୍ତ ଏ ବାବଦେ ଆମେରିକା ସ୍ପଷ୍ଟ ପ୍ରତିଶ୍ରୁତି ନ ଦେଇଛି ସେ ପର୍ଯ୍ୟନ୍ତ ଆଲୋଚନା ଆରମ୍ଭ ହୋଇ ପାରିବ ନାହିଁ। ବରିଷ୍ଠ ଇରାନୀ ନେତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଇରାନର ଦାବି ଉପରେ ଆମେରିକାର ପ୍ରାରମ୍ଭିକ ପ୍ରତିକ୍ରିୟା ପାକିସ୍ତାନ ଜଣାଇବ। ଯଦି ଇରାନ ଏହାକୁ ମାନି ନିଏ ତେବେ ଦୁଇ ପକ୍ଷଙ୍କ ମଧ୍ୟରେ ସିଧା କଥାବାର୍ତ୍ତା ହେବ। ତେବେ ଇରାନର ଦାବି ଉପରେ ଆମେରିକା ତୁରନ୍ତ କୌଣସି ଟିପ୍ପଣୀ କରି ନାହିଁ।  

      

 ​​​​​​​ଖବର ଅପଡେଟ ଜାରି ରହିଛି...