ନୂଆଦିଲ୍ଲୀ, ୧୭|୦୭: ବିହାରର କଟିହାର ରେଳମଣ୍ଡଳ ବିଦ୍ୟୁତ ବିଭାଗ ଗ୍ରେଡ-୧ର ଟେକ୍ନିସିଆନ ଦେବକୁମାର ଗୁଞ୍ଜନଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି। ହତ୍ୟା ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ଦେବ କୁମାରଙ୍କ ପତ୍ନୀ ସ୍ମିତା କୁମାରୀ। ସୁପଲ ଜିଲ୍ଲାରେ ଏମଭିଆଇ (ମୋଟର ଯାନ ନିରୀକ୍ଷକ) ଭାବେ କାର୍ଯ୍ୟରତ ସ୍ମିତା କୁମାରୀ ନିଜ ପ୍ରେମିକ ଅଜିତ କୁମାରଙ୍କ ସହ ମିଶି ୪ ଲକ୍ଷ ଟଙ୍କାର ସୁପାରି ଦେଇ କଣ୍ଟ୍ରାକ୍ଟ କିଲର ସହାୟତାରେ ନିଜ ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ରେଲୱେ ପୋଲିସ୍ ଏହି ଘଟଣାରେ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ପୋଲିସର ସୂଚନା ଅନୁସାରେ ଦେବକୁମାର ଗତ ୧୧ ତାରିଖରେ ପତ୍ନୀ ସ୍ମିତା କୁମାରୀଙ୍କୁ ଦେଖା କରିବା ଲାଗି ଜନସାଧାରଣ ଏକ୍ସପ୍ରେସରେ ଜମୁଇରୁ ସୁପଲ ଯଉଥିଲେ। ବଦଲାଘାଟ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରେ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ଉପରେ ଗୁଳିମାଡ଼ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଯେହେତୁ ଏହି ଘଟଣା ଟ୍ରେନ ଭିତରେ ଓ ରେଲୱେ ପୋଲିସ ଅଧୀନରେ ଘଟିଛି ତେଣୁ ରେଲୱେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

Also Read :-ଚୀନ୍ ପାଖରେ ରହିଛି ୨୨ କୋଟି ଆମେରିକୀୟଙ୍କ ଡାଟା ! 'ଭୋଟ୍ ଚୋରି'ରେ CIA ଏବଂ FBI ଅଧିକାରୀ ସାମିଲ

ଘଟଣାର ତଦନ୍ତ ଲାଗି ଏକ ଏସଆଇଟି ଗଢ଼ାଯଇଥିଲା। ସିସିଟିଭି ଫୁଟେଜ, ମୋବାଇଲ୍ ଫୋନ୍ କଲ ରେକର୍ଡସ, ବୈଜ୍ଞାନିକ ଓ ଟେକ୍ନିକାଲ ଯାଞ୍ଚ ପରେ ପୁଲିସ ଏହି ଘଟଣାରେ ମୃତ ଦେବ କୁମାରଙ୍କ ପତ୍ନୀ ସ୍ମିତା କୁମାରୀ, ବିଦ୍ୟୁତ ବିଭାଗ ଟେକ୍ନିସିଆନ ଅଜିତ କୁମାର ଓ ସୁପାରି କିଲର ଜେହନାବାଦ ଅନ୍ତର୍ଗତ ଘୋସି ଅଞ୍ଚଳର ରାଜୁ କୁମାର ଓରଫ ଧିରଜଙ୍କୁ ଗିରଫ କରିଛି।

ପୋଲିସ ସୂଚନାଅନୁସାରେ ଦେବ କୁମାର, ଅଜିତ କୁମାର ଓ ସ୍ମିତା କୁମାରୀ ୨୦୧୭ରେ ସୀତାମଢ଼ି ଜିଲ୍ଲାରେ ବିଦ୍ୟୁତ ବିଭାଗରେ ନିଯୁକ୍ତି ପାଇଥିଲେ। ୨୦୧୮ରେ ଦେବକୁମାର ଓ ସ୍ମିତା କୁମାରୀଙ୍କ ବିବାହ ହୋଇଥିଲା। ସେମାନଙ୍କର ଏକ ୫-୬ ବର୍ଷର ଝିଅ ଅଛି। ୨୦୨୩ରେ ସ୍ମିତା କୁମାରୀ ଏମଭିଆଇ ଭାବେ ନିଯୁକ୍ତି ପାଇଥିଲେ। ସେବେଠାରୁ ଅଜିତ କୁମାରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

ସେମାନେ ଦେବ କୁମାରଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ । ତେଣୁ ସୁପାରି କିଲର ଧିରଜଙ୍କୁ ନିୟୋଜିତ କରିଥିଲେ। ଏଥିପାଇଁ ସେମାନେ ଧିରଜଙ୍କ ସହ ୪ ଲକ୍ଷ ଟଙ୍କାର ଡିଲ୍ କରିଥିଲେ। ଅଗ୍ରୀମ ଭାବେ ୧ ଲକ୍ଷ ୬୦ ହଜାର ଦେଇଥିଲେ। ଧିରଜ ଟ୍ରେନରେ ଦେବ କୁମାରଙ୍କୁ ଗୁଳିକରି ହତ୍ୟା କରିଥିଲା। ୩ ଅଭିଯୁକ୍ତ ମିଳିମିଶି ଏହାକୁ ଲୁଟପାଟ ଓ ହତ୍ୟା କହି ଖସିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ କଲ୍ ଡିଟେଲ୍ସ ରେଡର୍କ (ସିଡିଆର) ଓ ମୋବାଇଲ ଲୋକେସନରୁ ସେମାନଙ୍କ ଚାଲ୍ ଧରା ପଡିଯାଇଥିଲା ।