ଛତ୍ରପୁର: ବୈବାହିକ ୱେବସାଇଟ୍ ମାଧ୍ୟମରେ ପ୍ରେମ ଓ ବିବାହର ଜାଲ ବିଛାଇ ଜଣେ ବିଧବା ମହିଳାଙ୍କଠାରୁ ୬୦ ଲକ୍ଷ ଟଙ୍କା ଠକିନେବା ମାମଲାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସାଇବର ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଅନ୍ତର୍ଜିଲ୍ଲା ସାଇବର ଠକେଇ ରୋକିବାକୁ ଯାଇ ପୁଲିସ ଜଣେ ସହ-ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଗିରଫ ହୋଇଥିବା ଯୁବକଜଣକ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳର ଉତ୍ତମ କୁମାର ସାହୁ ଓରଫ ମିକି (୩୨) ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ନଗଦ ୧୦ ହଜାର ଟଙ୍କା, ୬ଟି ଏଟିଏମ୍ କାର୍ଡ ଏବଂ ଗୋଟିଏ ସ୍ମାର୍ଟଫୋନ୍ ଜବତ କରାଯାଇଥିବା ନେଇ ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି। ତେବେ ଘଟଣାର ମୁଖ୍ୟ କାର୍ପଟଦାର ଏବେ ବି ଫେରାର ଅଛନ୍ତି।

ନକଲି ପ୍ରୋଫାଇଲ୍, ମନଗଢ଼ା କାହାଣୀ

ପୁଲିସର ସୂଚନାନୁସାରେ, ମୁଖ୍ୟ ଅଭିଯୁକ୍ତ ରାକେଶ ରାଜପୁତ ପ୍ରସିଦ୍ଧ ବୈବାହିକ ୱେବସାଇଟ୍ 'ଜୀବନସାଥୀ ଡଟ୍ କମ୍' (Jeevansathi.com) ରେ ନିଜକୁ ଭୁବନେଶ୍ୱରର 'ସାଇ କୃପା ଦାସ' ବୋଲି ପରିଚୟ ଦେଇ ଏକ ଜାଲ ପ୍ରୋଫାଇଲ୍ ତିଆରି କରିଥିଲା। ଏହି ନକଲି ଆକାଉଣ୍ଟ ମାଧ୍ୟମରେ ସେ ଭଞ୍ଜନଗର ଅଞ୍ଚଳର ଜଣେ ବିଧବା ମହିଳାଙ୍କ ସହ ଆଲୋପଚାଲୋପ କରି ପୁନଃବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା।

Also Read: ​​​​​​​ରାଜଧାନୀରେ ଲଭ୍-ସେକ୍ସ-ଧୋକା ! ବିବାହ ପ୍ରତିଶ୍ରୁତି ଦେଇ ଷ୍ଟାଫ୍ ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗ, ପ୍ରେମିକ ଗିରଫ

ଧୀରେ ଧୀରେ ମହିଳାଙ୍କ ବିଶ୍ୱାସ ହାସଲ କରିବା ପରେ ଠକ୍ ଜଣକ ନିଜ ପିତାଙ୍କ ଗୁରୁତର ଅସୁସ୍ଥତା ଓ ମୃତ୍ୟୁର ମିଥ୍ୟା କାହାଣୀ ଶୁଣାଇଥିଲା। ପରବର୍ତ୍ତୀ ସମୟରେ ସେ ନିଜେ 'ସୋରିଆସିସ୍' ଭଳି ଚର୍ମରୋଗରେ ପୀଡ଼ିତ ବୋଲି କହି ମହିଳାଙ୍କଠାରୁ ଆର୍ଥିକ ସହାୟତା ମାଗିଥିଲା। ମହିଳାଙ୍କୁ ସମ୍ପୂର୍ଣ୍ଣ ଆସ୍ଥାକୁ ନେବା ପାଇଁ ହ୍ୱାଟସ୍‌ଆପ୍‌ରେ ନକଲି ଭିଡିଓ କଲ୍, ଜାଲ ଫଟୋ ଓ ନକଲି ଡାକ୍ତରୀ କାଗଜପତ୍ର ପଠାଉଥିଲା।

୬୦ ଲକ୍ଷର ମହାଠକେଇ

ଅଭିଯୁକ୍ତଙ୍କ ଜାଲରେ ଫସି ମହିଳାଜଣକ ବିଭିନ୍ନ ବ୍ୟାଙ୍କ କାରବାର ମାଧ୍ୟମରେ ପର୍ଯ୍ୟାୟକ୍ରମେ ପ୍ରାୟ ୬୦ ଲକ୍ଷ ଟଙ୍କା ପଠାଇ ଦେଇଥିଲେ। ଗିରଫ ହୋଇଥିବା ଉତ୍ତମ କୁମାର ସାହୁ ମୁଖ୍ୟ ଅଭିଯୁକ୍ତ ରାକେଶକୁ ନକଲି ବ୍ୟାଙ୍କ ଆକାଉଣ୍ଟ ସିମ୍ କାର୍ଡ ଏବଂ ଟଙ୍କା ଆଦାୟରେ କମିଶନ୍ ନେଇ ସାହାଯ୍ୟ କରୁଥିଲା। ଏହି ସାଇବର ଠକେଇ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରାକେଶ ରାଜପୁତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସାଇବର ଥାନା ପୁଲିସ ପ୍ରତିଶ୍ରୁତି ଦେଇଛି।