ନୂଆଦିଲ୍ଲୀ: ରବିବାର ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପୁଣି ଥରେ NEET- UG 2026 ପରୀକ୍ଷା ଦେଉଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ଦ୍ବାରା ନଜର ରଖାଯାଉଛି। ଏହାରି ମଧ୍ୟରେ ପିଏମ ନରେନ୍ଦ୍ର ମୋଦୀଙ୍କ ଏକ ପଦକ୍ଷେପକୁ ନେଇ ଚର୍ଚ୍ଚା ହେଉଛି। ପଶ୍ଚିମବଙ୍ଗ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ଦ୍ବିପ୍ରହର ୧ଟା ୧୫ ମିନିଟରେ ଦିଲ୍ଲୀ ପହଞ୍ଚିଥିଲେ। ଏହା ପରେ ସେଠାରୁ ସେ ନିଜ ବାସଭବନ ଯାଇଥାନ୍ତେ। ମାତ୍ର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସେ ଏୟାରପୋର୍ଟରେ ହିଁ ଅଟକିଥିଲେ।

କୁହାଯାଉଛି ଯେ, ପ୍ରାଧାନମନ୍ତ୍ରୀଙ୍କ କାରକେଡ ଯୋଗୁ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଆଶାୟୀଙ୍କୁ ଯେପରି କୌଣସି ପ୍ରକାରର ଟ୍ରାଫିକ୍ ଜାମର ଅସୁବିଧା ନହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ଦିନ ୨ଟା ପର୍ଯ୍ୟନ୍ତ ଏୟାରପୋର୍ଟରେ ରହିଥିଲେ। ଆଉ ଦିନ ୨ଟାରେ ପରୀକ୍ଷା ଆରମ୍ଭ ହେବା ପରେ ପିଏମ ମୋଦୀ ନିଜ ବାସଭବନକୁ ଯାଇଥିଲେ।

Also Read:NEET Re Exam ରେ ବୁର୍କା କୁ ନେଇ ଉତ୍ତେଜନା, ପରୀକ୍ଷା କେନ୍ଦ୍ରରୁ କୁଲସୁମ ବାନୋଙ୍କ Video Viral

କଡ଼ା ସୁରକ୍ଷା ମଧ୍ୟରେ ହେଉଛି ପୁନଃ ପରୀକ୍ଷା

ସୂଚନାଥାଉକି, ଦେଶରେ ରବିବାର ଦ୍ବିପ୍ରହର ୨ଟାରୁ NEET- UG 2026ର ପୁନଃ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବରେ ହେଉଛି। ପରୀକ୍ଷା ସନ୍ଧ୍ୟା ୫ଟା ୧୫ ପର୍ଯ୍ୟନ୍ତ ଚାଲିବ। ଏଥର ଆଶାୟୀଙ୍କୁ ସାମାନ୍ୟ ସମୟରୁ ୧୫ ମିନିଟ୍ ଅଧିକ ମିଳିବ। ଏହାଦ୍ବାରା ସମୁଦାୟ ପରୀକ୍ଷା ଅବଧି ବଢ଼ି ୩ ଘଣ୍ଟା ୧୫ ମିନିଟ୍ ହୋଇଛି। ପରୀକ୍ଷା ସୁଚାରୁ ରୂପେ ପରିଚାଳନା ପାଇଁ ଦେଶରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନଟିଏ ପକ୍ଷରୁ ଦେଶର ୫୫୧ ସହରର ୫୪୪୦ ପରୀକ୍ଷା କେନ୍ଦ୍ର ଏବଂ ବିଦେଶର ୧୪ କେନ୍ଦ୍ରରେ ପରୀକ୍ଷା ଆୟୋଜିତ କରଯାଉଛି। ପରୀକ୍ଷା ଇଂରାଜୀ ବ୍ୟତୀତ ୧୨ ଭାରତୀୟ ଭାଷାରେ ମଧ୍ୟ ଉପଲବ୍ଧ କରାଯାଇଛି।

ଏନଟିଏ ପରୀକ୍ଷାରେ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମୁଦାୟ ୯୫ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାର ଲାଇଭ ମନିଟରିଂ, ରାଜ୍ୟ ଏବଂ ଶିକ୍ଷା ମନ୍ତ୍ରାଳୟ ସ୍ତରରେ ଭର୍ଚୁଆଲ କଣ୍ଟ୍ରୋଲ ରୁମରୁ କରାଯାଉଛି। ଏତିକି ନୁହେଁ କୌଣସି ପ୍ରକାର ଡିଜିଟାଲ ଫ୍ରଡ୍‌କୁ ସଂପୂର୍ଣ୍ଣ ଭାବରେ ରୋକିବା ପାଇଁ ୫୧, ୩୧୧ ଜାମର ଉପକରଣ ନିୟୋଜିତ କରାଯାଇଛି। ପରୀକ୍ଷା କେନ୍ଦ୍ରର ନିକଟରେ ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ବ୍ୟାପକ ପୋଲିସ ଫୋର୍ସ, ଅର୍ଦ୍ଧସାମରିକ ବଳ ଏବଂ ଡ୍ରୋନ ସାହାଯ୍ୟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୌଣସି ସଦିଗ୍ଧ ଗତିବିଧି ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି।

Also Read:୧.୩୮ ଲକ୍ଷ କ୍ୟାମେରା, ୫୧ ହଜାର ଜାମର୍, ପେପର ଲିକ୍ ରୋକିବାକୁ ଦେଶବ୍ୟାପୀ କଡ଼ା ସୁରକ୍ଷା

କ’ଣ ଥିଲା ପୂରା ଘଟଣା ?

ସୂଚନାଥାଉକି, NEET- UG 2026 ପରୀକ୍ଷା ୨୦୨୬ ମେ ୩ରେ ଆୟୋଜିତ ହୋଇଥିଲା। କିନ୍ତୁ ପେପର ଲିକ୍ ଭଳି ସଂଗୀନ ଅଭିଯୋଗ ପରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଏବଂ ଅନ୍ତରୀଣ ଯାଞ୍ଚ ପରେ ଏନଟିଏ ମେ ୧୨ରେ ପରୀକ୍ଷା ରଦ୍ଦ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ପରେ ସମଗ୍ର ଦେଶର ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହା ପରେ ମେ ୧୫ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶିକ୍ଷା ଧମେନ୍ଦ୍ର ପ୍ରଧାନ ଘୋଷଣା କରିଥିଳେ ଯେ, NEET- UG ପୁନଃ ପରୀକ୍ଷା ୨୦୨୬ ଜୁନ୍ ୨୧ରେ ଆୟୋଜିତ କରାଯିବ।