• ଜାତୀୟ ପରୀକ୍ଷା ଏଜେନ୍ସୀ (ଏନଟିଏ) ନିର୍ଦ୍ଧାରିତ ନିୟମରେ ଏପରି ପୋଷାକକୁ ଅନୁମତି ଦେଉଛି, କେନ୍ଦ୍ରରେ ଥିବା କର୍ମଚାରୀ ତାଙ୍କୁ ଅଟକାଇ ପାରିବେନି
  • ଏହା ପୂର୍ବରୁ ମେ ୩ ତାରିଖରେ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷା ସେ ଏହି ପୋଷାକ ପିନ୍ଧି ପରୀକ୍ଷା ଦେଇଥିଲେ
  • ଏନଟିଏ ଧାର୍ମିକ ପୋଷାକ ପିନ୍ଧୁଥିବା ଛାତ୍ରଛାତ୍ରୀଙ୍କ ଲାଗି ନିୟମ କରିଛନ୍ତି ଓ ସେମାନଙ୍କୁ ଅନୁମତି ଦେଇଛନ୍ତି

ଆଜମେର : ସାରା ଦେଶରେ ୨୧ ଜୁନ ରବିବାର ଲକ୍ଷଲକ୍ଷ ଛାତ୍ରଛାତ୍ରୀ ନିଟ୍-ୟୁଜି ପୁନଃ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଲାଗି ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଥିଲା ଓ ସବୁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ କଡ଼ା ଯାଞ୍ଚ ହେଉଥିଲା। ଏଥି ମଧ୍ୟରେ ରାଜସ୍ଥାନର ଆଜମେରରୁ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡିଆରେ ନୂଆ ବିତର୍କର କାରଣ ପାଲଟିଛି। ପରୀକ୍ଷା କେନ୍ଦ୍ରକୁ ପହଞ୍ଚିଥିବା ଜନୈକା ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବୁର୍କା ଏବଂ ଓଢଣୀରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଦିଆଯାଇ ନାହିଁ।

ଛାତ୍ରୀଙ୍କ କହିବା କଥା ହେଉଛି ଯେତେବେଳେ ଜାତୀୟ ପରୀକ୍ଷା ଏଜେନ୍ସୀ (ଏନଟିଏ) ନିର୍ଦ୍ଧାରିତ ନିୟମରେ ଏପରି ପୋଷାକକୁ ଅନୁମତି ଦେଉଛି, କେନ୍ଦ୍ରରେ ଥିବା କର୍ମଚାରୀ ତାଙ୍କୁ ଅଟକାଇ ପାରିବେନି। ଛାତ୍ରୀଙ୍କ ବୟାନ ସାମ୍ନାକୁ ଆସିବା ପରେ ଏବେ ପ୍ରସଙ୍ଗ କେବଳ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସୀମିତ ହୋଇ ନାହିଁ ବରଂ ଧାର୍ମିକ ପରିଚୟ, ବ୍ୟକ୍ତିଗତ ଅଧିକାର ଓ ପରୀକ୍ଷା ସୁରକ୍ଷାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

ସୂଚନା ଅନୁସାରେ ୟାଭରରୁ ପରୀକ୍ଷା ଦେବାକୁ ଆସିଥିବା କୁଲସୁମ ବାନୋ ଅଭିଯୋଗ କରିଛନ୍ତି ଯେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରରେ ଥିବା କର୍ମଚାରୀମାନେ ତାଙ୍କୁ ଓଢଣୀ ହଟାଇବାକୁ କହିଥିଲେ। ଛାତ୍ରୀ କହିଛନ୍ତି ଯେ କିଛି ସମୟ ପରେ ତାଙ୍କୁ ବୁର୍କା ହଟାଇବାକୁ ବି କୁହାଗଲା। ସେ କହିଛନ୍ତି ଯେ ମୁଁ ଏହାର ବିରୋଧ କରିବାରୁ ଏହି ସର୍ତ୍ତରେ କେବଳ ତାଙ୍କୁ ପ୍ରବେଶ ମିଳିପାରିବ ବୋଲି କୁହାଯାଇଥିଲା। ଏହି କଥା କୁ ନେଇ ସେଠାରେ କିଛି ସମୟ ପର୍ଯ୍ୟନ୍ତ ବାକ୍ ବିତଣ୍ଡା ମଧ୍ୟ ହୋଇଥିଲା।

କୁଲସୁମ ବାନୋ କହିଛନ୍ତି ଯେ ଏହା ପୂର୍ବରୁ ମେ ୩ ତାରିଖରେ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷା ସେ ଏହି ପୋଷାକ ପିନ୍ଧି ପରୀକ୍ଷା ଦେଇଥିଲେ। ସେତେବେଳେ ତାଙ୍କୁ ଏପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥିଲା। ତାଙ୍କ କହିବା କଥା ହେଉଛି ଏନଟିଏ ଧାର୍ମିକ ପୋଷାକ ପିନ୍ଧୁଥିବା ଛାତ୍ରଛାତ୍ରୀଙ୍କ ଲାଗି ନିୟମ କରିଛନ୍ତି ଓ ସେମାନଙ୍କୁ ଅନୁମତି ଦେଇଛନ୍ତି ତେବେ ପରୀକ୍ଷା କେନ୍ଦ୍ରର କର୍ମଚାରୀ ଅଲଗା ନିୟମ କରିପାରିବେନି। ଛାତ୍ରୀଙ୍କ ବୟାନ ଏବେ ସୋସିଆଲ ମିଡିଆରେ ଦ୍ରୁତ ସେୟାର କରାଯାଉଛି। ସେ କହିଛନ୍ତି ଯେ ଯଦି ତାଙ୍କୁ ବୁର୍କା ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ନ ମିଳେ, ତେବେ ସେ ପରୀକ୍ଷା ଦେବେ ନାହିଁ।

କୁଲସୁମ କହିଛନ୍ତି ଯେ ମୋ ପାଇଁ ପରୀକ୍ଷାଠୁ ଅଧିକ ମୋର ପରିଚୟ ଓ ମୋ ବୁର୍କା। ଯଦି ମୋତେ ଏହି ପୋଷାକରେ ପରୀକ୍ଷା ଦେବାକୁ ଅନୁମତି ନ ଦିଆଯାଉଛି, ତେବେ ମୁଁ ପରୀକ୍ଷା ଦେବି ନାହିଁ। ସେ କହିଛନ୍ତି ଯେ ଜଣେ ୧୮ ବର୍ଷ ବୟଷ୍କା ଛାତ୍ରୀଙ୍କ ସହିତ ଏପରି ବ୍ୟବହାର କରାଯିବା ଲଜ୍ଜାଜନକ। ନିଟ୍ ଭଳି ଜାତୀୟ ସ୍ତରର ପରୀକ୍ଷା ପାଇଁ ସୁରକ୍ଷା ଯାଞ୍ଚ ଅତ୍ୟତନ୍ତ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ପୂର୍ବରୁ ପ୍ରାର୍ଥୀଙ୍କ ଯାଞ୍ଚ କରାଯାଉଛି ଏଥିରେ ଡ୍ରେସ କୋଡ ଅନିବାର୍ଯ୍ୟ। ତେବେ ଧାର୍ମିକ ଓ ପାରମ୍ପରିକ ପୋଷାକ ପିନ୍ଧୁଥିବା ପ୍ରାର୍ଥୀଙ୍କ ଲାଗି ଅଲଗା ଗାଇଡଲାଇନ ଜାରି କରାଯାଇଛି।

ସାଧାରଣତଃ ଏପରି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ ପହଞ୍ଚିବାକୁ ପରାମର୍ଶ ଦିଆଯାଉଛି, ଯାହାଦ୍ୱାରା ଅତିରିକ୍ତ ଯାଞ୍ଚ ପ୍ରକ୍ରିୟା ପୁରା କରାଯାଇ ପାରିବ ଓ ଠିକ୍ ସମୟରେ ପରୀକ୍ଷା ଆରମ୍ଭ ହୋଇ ପାରିବ। ତେବେ ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକଙ୍କ ଅଲଗା ଅଲଗା ପ୍ରତିକ୍ରିୟା ଆସିବାରେ ଲାଗିଛି। ଅନେକ ଲୋକ ଛାତ୍ରୀଙ୍କ ସପକ୍ଷରେ ସେମାନଙ୍କ ରାୟ ରଖୁଛନ୍ତି। ତେବେ କିଛି ଲୋକଙ୍କ କହିବା କଥା ହେଉଛି ପରୀକ୍ଷାର ସୁରକ୍ଷା ଓ ନିରପେକ୍ଷତା ସବୁଠୁ ଉପରେ ରହିବା ଆବଶ୍ୟକ। ଏପରି ଲୋକଙ୍କ ଅନୁସାରେ ଯାଞ୍ଚ ନିୟମ ସବୁ ପ୍ରାର୍ଥୀଙ୍କ ଲାଗି ସମାନ ରୂପେ ଲାଗୁ ହେବା ଆବଶ୍ୟକ, ତେଣିକି ସେ ଯେଉଁ ଧର୍ମର ବି ହୋଇଥାନ୍ତୁ ନା କାହିଁକି।

ତେବେ ଏହି ପୁରା ପ୍ରକରଣରେ ପରୀକ୍ଷା କେନ୍ଦ୍ର ପ୍ରଶାସନ ପକ୍ଷରୁ କୌଣସି ବିସ୍ତୃତ ଅଧିକାରୀକ ବୟାନ ସାମ୍ନାକୁ ଆସି ନାହିଁ। ସେହିପରି ଛାତ୍ରୀଙ୍କ ଭିଡିଓ ଏବଂ ବୟାନ ସୋସିଆଲ ମିଡିଆରେ ଲଗାତାର ଭାଇରାଲ ହେବାରେ ଲାଗିଛି। ଏଣୁ ଏହା ଏବେ ଦେଶରେ ପ୍ରସଙ୍ଗ ପାଲଟିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି।