ଭୁବନେଶ୍ୱର : ବିସ୍କୁଟ୍, ନୁଡୁଲ୍ସ, କେକ୍, ଚିପ୍ସଠାରୁ ଆରମ୍ଭ କରି ଅନେକ ପ୍ରୋସେସ୍ଡ ଓ ପ୍ୟାକେଜ୍ଡ ଖାଦ୍ୟରେ ପାମ୍ ଅଏଲ୍ ଯଥେଷ୍ଟ ପରିମାଣରେ ବ୍ୟବହାର ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି କି, ଖାଦ୍ୟ ଉତ୍ପାଦନକାରୀ କମ୍ପାନୀମାନେ ପାମ୍ ଅଏଲକୁ ଏତେ ପସନ୍ଦ କାହିଁକି କରନ୍ତି ? ଏହା କେବଳ କମ୍ ଦାମ ପାଇଁ ନା ଏହା ପଛରେ ଆଉ କିଛି ବଡ଼ କାରଣ ରହିଛି? ଆସନ୍ତୁ ଜାଣିବା....

ପ୍ୟାକେଜଡ ଫୁଡର ଦୁନିଆରେ ପାମ୍ ଅଏଲ୍ ଏକ ଖୁବ୍ ସାଧାରଣ ଉପାଦାନ। ବିସ୍କୁଟ୍, ୱେଫର୍, ଇନଷ୍ଟାଣ୍ଟ ନୁଡୁଲ୍ସ, ବେକେରୀ ପ୍ରଡକ୍ଟ ଏବଂ ବିଭିନ୍ନ ସ୍ନାକ୍ସରେ ଏହାର ବ୍ୟବହାର ହୋଇଥାଏ। ପାମ୍ ଅଏଲ୍ ବ୍ୟବହାର କରିବାର ପ୍ରମୁଖ କାରଣ ରହିଛି। ପ୍ରଥମତଃ, ଏହା ତୁଳନାମୂଳକ ଭାବେ କମ୍ ଖର୍ଚ୍ଚରେ ମିଳେ । ଦ୍ୱିତୀୟତଃ, ଏହାର ଗୁଣ ଓ ଗଠନ ଏହାକୁ ବିସ୍କୁଟ୍, କେକ୍, ନୁଡୁଲ୍ସ, ସ୍ନାକ୍ସ ଓ ଅନ୍ୟାନ୍ୟ ଖାଦ୍ୟରେ ବ୍ୟବହାର ପାଇଁ ଉପଯୋଗୀ କରେ। ଏହା ଖାଦ୍ୟର ଟେକ୍ସଚର୍ ଓ ସ୍ଥାୟୀତ୍ୱ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ। ଅନ୍ୟ ଏକ ବଡ଼ କାରଣ ହେଉଛି ଉଚ୍ଚ ତାପମାତ୍ରାରେ ଏହାର ସ୍ଥିରତା । ତେଣୁ ଭଜା କିମ୍ବା ବେକିଂ ସମୟରେ ଏହା ଅନେକ ଖାଦ୍ୟ ପାଇଁ ଉପଯୋଗୀ ହୋଇଥାଏ।

ତେବେ ପାମ୍ ଅଏଲମାନେ ଏହା ସ୍ୱାସ୍ଥ୍ୟ ପାଇଁ ଖରାପ ଏଭଳି ସରଳ ଭାବେ କହିହେବ ନାହିଁ। ପାମ୍ ଅଏଲ୍ରେ ସାଚୁରେଟେଡ୍ ଫ୍ୟାଟ୍ର ପରିମାଣ ଅନ୍ୟ କିଛି ଉଦ୍ଭିଦ ତେଲ ତୁଳନାରେ ଅଧିକ। ତେଣୁ ଏହାକୁ ଅଧିକ ପରିମାଣରେ ଖାଇବା ବଦଳରେ ସମଗ୍ର ଖାଦ୍ୟରେ ଥିବା ଫ୍ୟାଟ୍ ଓ ସାଚୁରେଟେଡ୍ ଫ୍ୟାଟ୍ର ପରିମାଣ ଉପରେ ନଜର ରଖିବା ଜରୁରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ୟାକେଜ୍ଡ ଫୁଡ୍ କିଣିବା ସମୟରେ କେବଳ ‘ପାମ୍ ଅଏଲ’ ଲେଖା ଅଛି କି ନାହିଁ ଦେଖିବା ପରିବର୍ତ୍ତେ ନ୍ୟୁଟ୍ରିସନ ଫ୍ୟାକ୍ଟ , ସାଚୁରେଟେଡ୍ ଫ୍ୟାଟ୍, ଆଡେଡ ସୁଗାର ଓ ସୋଡିୟମ ଭଳି ତଥ୍ୟ ମଧ୍ୟ ଯାଞ୍ଚ କରିବାକୁ ପରାମର୍ଶ ଦିଅନ୍ତି।

ସେହିପରି, ପାମ୍ ଅଏଲକୁ ସମ୍ପୂର୍ଣ୍ଣ ଭାବେ ଭୟ କରିବା ଆବଶ୍ୟକ ନାହିଁ। କିନ୍ତୁ ପାମ୍ ଅଏଲ୍ ଥିବା ଅତ୍ୟଧିକ ପ୍ରୋସେସ୍ଡ ଖାଦ୍ୟକୁ ନିୟମିତ ଓ ଅଧିକ ପରିମାଣରେ ଖାଇବା ପରିବର୍ତ୍ତେ ସନ୍ତୁଳିତ ଖାଦ୍ୟ ଓ ବିଭିନ୍ନ ପ୍ରକାରର ଅନପ୍ରୋସେସ୍ଡ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେବା ଭଲ। ତେବେ ପରବର୍ତ୍ତୀ ସମୟରେ ପ୍ୟାକେଜ୍ଡ ଫୁଡ୍ କିଣିବାବେଳେ କେବଳ ସ୍ୱାଦ କିମ୍ବା ଦାମ ନୁହେଁ, ପ୍ୟାକେଟ୍ରେ ଥିବା ଉପଦାନ ଓ ନ୍ୟୁଟ୍ରିସନ୍ ଲେବଲ୍ ମଧ୍ୟ ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ । ସଠିକ୍ ପରିମାଣ ଓ ସନ୍ତୁଳିତ ଖାଦ୍ୟ ହିଁ ଭଲ ସ୍ୱାସ୍ଥ୍ୟର ଚାବି।