ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମୟରେ ବିରୋଧୀ ଦେଶରେ ମିଥ୍ୟା ପ୍ରଚାର କରୁଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି, ସଙ୍କଟ ସମୟରେ ଦେଶରେ ସାର ଏବଂ ଗ୍ୟାସର ଅଭାବ ନେଇ ଗୁଜବ ପ୍ରଚାର କରିଥିଲେ ବିରୋଧୀ ।
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସାଧାରଣ ଜନତାଙ୍କ ମଧ୍ୟରେ ଅରାଜକତା ସୃଷ୍ଟି କରିବା ଏବଂ କେନ୍ଦ୍ର ସରକାରଙ୍କୁ ବଦନାମ କରିବା ଲକ୍ଷ୍ୟରେ ବିରୋଧୀ ଏପରି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଗୁଜରାଟର ବନାସକାଣ୍ଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ  କହିଛନ୍ତି ଯେ, ସାରା ଦେଶ ଗଲ୍ଫ ସଙ୍କଟ ଯୋଗୁଁ ଅନିଶ୍ଚିତତା ଦେଇ ଗତି କରୁଛି ।  ଏଭଳି ସମୟରେ କିଛି ବିରୋଧୀ ନେତା ଲୋକଙ୍କୁ, ବିଶେଷକରି କୃଷକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଆଜି ଦେଶର ପ୍ରତ୍ୟେକ ଯୁବକ, ଭଉଣୀ ଏବଂ ଝିଅ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। କିନ୍ତୁ କିଛି ଲୋକଙ୍କୁ ଏହା ଆଦୌ ପସନ୍ଦ ଆସୁନାହିଁ। 

ମୋଦୀ କହିଛନ୍ତି, ଏମାନେ ସେହି ଲୋକ, ଯେଉଁମାନେ ଦେଶକୁ ବିପଦ ଓ ଅସୁବିଧାରେ ଦେଖିବାକୁ ଚାହାଁନ୍ତି । ଭାରତ ସଙ୍କଟରେ ପଡ଼ିଲେ ଖୁସି ହୁଅନ୍ତି। ଗଲ୍ଫ ଅଞ୍ଚଳରେ ଚାଲିଥିବା ଉତ୍ତେଜନା ହେତୁ ସାରା ଦେଶ ଏକଜୁଟ ହୋଇ ସ୍ଥିତିର ସାମ୍ନା କରୁଛନ୍ତି । କିନ୍ତୁ ବିରୋଧୀମାନେ ସାର ଓ ଗ୍ୟାସ୍‌ର ଅଭାବ ନେଇ ଗୁଜବ ପ୍ରଚାର କରୁଛନ୍ତି। ମୋଦୀଙ୍କୁ ବଦନାମ କରିବା ସେମାନଙ୍କର ଗୋଟିଏ ଉଦ୍ଦେଶ୍ୟ।

ମୋଦୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅନ୍ତର୍ଜାତୀୟ ସ୍ତରରେ ଅସ୍ଥିରତା ସତ୍ତ୍ୱେ କେନ୍ଦ୍ର ସରକାର ଚାଷୀଙ୍କ ଉପରେ ସାର ମୂଲ୍ୟବୃଦ୍ଧିର ବୋଝ ପଡ଼ିବାକୁ ଦେଇନାହାନ୍ତି। ବିଶ୍ୱ ବଜାରରେ ସାରର ଦାମ୍ ଅତ୍ୟଧିକ ବୃଦ୍ଧି ପାଇଛି । ତଥାପି ଚାଷୀଙ୍କ କଲ୍ୟାଣ ପ୍ରତି ପ୍ରତିବଦ୍ଧ ସରକାର ନିଜେ ଏହି ବୋଝ ବହନ କରିଛନ୍ତି। ଏଥିପାଇଁ ସରକାର ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଫଳରେ ଭାରତୀୟ କୃଷକମାନେ ସୁଲଭ ମୂଲ୍ୟରେ ସାର ପାଇପାରୁଛନ୍ତି।

ପିଏମ-କିଷାନ କିସ୍ତି ପ୍ରଦାନ 
ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ପିଏମ-କିଷାନ’ ଯୋଜନାର ନୂତନ କିସ୍ତି ଜାରି କରିଛନ୍ତି । ସେ କହିଛନ୍ତି ଯେ, ଆଜି ଦେଶସାରାର କୋଟି କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ପିଏମ କିଷାନର ଆଉ ଏକ କିସ୍ତି ସିଧାସଳଖ ପଠାଯାଇଛି। ଆମର କୃଷକ  ହେଉଛନ୍ତି ଦେଶର ଅନ୍ୟତମ ମଜଭୁତ ସ୍ତମ୍ଭ। ଆମ ସରକାର ସବୁବେଳେ କୃଷକମାନଙ୍କୁ ସଶକ୍ତ ଏବଂ ସ୍ୱାବଲମ୍ବୀ କରିବାକୁ ପ୍ରାଥମିକତା ଦେଇଆସିଛନ୍ତି।