ନୂଆଦିଲ୍ଲୀ ୦୪।୦୯: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ବଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ ସବୁବେଳେ ହୋଇଥାଏ ଚର୍ଚ୍ଚା । ଏହି ଷ୍ଟାର ଦମ୍ପତ୍ତି ନିଜର କ୍ୟାରିୟର ହେଉ ଅବା ବ୍ୟକ୍ତିଗତ ଜୀବନ, ସବୁବେଳେ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥାନ୍ତି । ଉଭୟଙ୍କର ଅନେକ ପ୍ରଶଂସକ ରହିଛନ୍ତି । ତେବେ ସେମାନେ ଭାରତ ଛାଡ଼ି ବିଦେଶରେ ନିଜ ସନ୍ତାନଙ୍କ ସହ ରହୁଛନ୍ତି । ଲଣ୍ଡନରେ ପୁଅ ଏବଂ ଝିଅଙ୍କ ସହ ରହୁଛନ୍ତି । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଛି । ତେବେ ସେମାନେ କାହିଁକି ଦେଶ ଛାଡ଼ି ବିଦେଶରେ ରହିବାକୁ ବାଛିଛନ୍ତି ଏହାକୁ ନେଇ ଚର୍ଚ୍ଚା ହୋଇଥିବାବେଳେ ଉତ୍ତର ରଖିଛନ୍ତି ମାଧୁରୀ ଦିକ୍ଷିତଙ୍କ ସ୍ବାମୀ ଡାକ୍ତର ଶ୍ରୀରାମ ନେନେ ।

ଏକ ସାକ୍ଷାତକାରରେ ଶ୍ରୀରାମ ଅନୁଷ୍କାଙ୍କ ସହ ହୋଇଥିବା ପୁରୁଣା କଥାକୁ ମନେ ପକାଇଛନ୍ତି । ଯେଉଁଥିରେ ଅନୁଷ୍କା- ବିରାଟ ବିଦେଶରେ ରହିବା ପଛର କାରଣ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି କି, ଭାରତରେ ଭାରତରେ କ୍ରମାଗତ ଲୋକଙ୍କ ନଜର ଏବଂ ଅତ୍ୟଧିକ ଆଟେନସନ୍ ଯୋଗୁଁ ଏହି ସେଲିବ୍ରେଟି ଦମ୍ପତିଙ୍କ ପାଇଁ ଏକ ସାଧାରଣ ଜୀବନ ବିତାଇବା କଷ୍ଟକର ହୋଇପଡ଼ିଥିଲା । ଯେଉଁ କାରଣରୁ ଏଭଳି ବାଛିଛନ୍ତି ।

ଏହାସହ ଶ୍ରୀରାମ କହିଛନ୍ତି ଯେ, ଅନୁଷ୍କାଙ୍କ ସହ ଆଲୋଚନା ବେଳେ ଜଣାପଡ଼ିଥିଲା ଯେ ସେମାନେ ଭାରତରେ ନିଜର ସଫଳତାକୁ ମଧ୍ୟ ସାଧାରଣ ଭାବରେ ଉପଭୋଗ କରିପାରୁ ନାହାନ୍ତି । ସେମାନେ ଯାହାବି କରନ୍ତି, ସବୁଥିରେ ଲୋକଙ୍କ ନଜର ରହିଥାଏ । ତେଣୁ ସେମାନେ ନିଜ ପିଲାମାନଙ୍କୁ ଏକ ସାଧାରଣ ପରିବେଶରେ ବଡ଼ କରିବା ଏବଂ ଲାଇମଲାଇଟଠାରୁ ଦୂରରେ ରଖିବା ପାଇଁ ଲଣ୍ଡନରେ ରହିବାକୁ ପସନ୍ଦ କରିଛନ୍ତି ।

ବିରାଟ ଏବଂ ଅନୁଷ୍ଠା ସେମାନଙ୍କ ପିଲାମାନଙ୍କର ପ୍ରାଇଭେସିକୁ ନେଇ ବେଶ୍ କଠୋର ଅଛନ୍ତି । ସେମାନେ ଫ୍ୟାନ୍ସ ଏବଂ ଗଣମାଧ୍ୟମର ନଜରରୁ ନିଜ ପିଲାମାନଙ୍କ ମୁହଁକୁ ସବୁବେଳେ ଲୁଚାଇ ରଖିଥାଆନ୍ତି । ଲଣ୍ଡନରେ ସେମାନେ ଏକ ସାଧାରଣ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । ଏହାସହ ସେ କହିଛନ୍ତି କି, ଅନେକ ସମୟରେ ଫ୍ୟାନ୍ସମାନେ ସେଲଫି ନେବାକୁ ଘେରି ରହିଥାନ୍ତି । ଯାହାକି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଇଛା ନଥିଲେ ମଧ୍ୟ ଏହା କରିବାକୁ ପଡ଼େ । କିଛି ଲୋକ ଏହାର ଖରାପ ଫାଇଦା ମଧ୍ୟ ଉଠାଇଥାନ୍ତି ବୋଲି ପ୍ରକାଶ କରିଛନ୍ତି ।