ଭୁବନେଶ୍ୱର: ବାତ୍ୟା ‘ଅକଭାନ’କୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ରେଳବାଇ ପକ୍ଷରୁ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ବିଶାଖାପାଟଣା ଓ କିରଣ୍ଡୁଲ୍ ମଧ୍ୟରେ ଚଳାଚଳ କରୁଥିବା ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍‌କୁ ନଭେମ୍ବର ୧୯ ଓ ୨୦ ତାରିଖରେ ବାତିଲ୍ କରାଯାଇଛି।

ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଟ୍ରେନ୍ ନମ୍ବର ୧୮୫୧୫ ବିଶାଖାପାଟଣା-କିରଣ୍ଡୁଲ୍ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ୍-ବିଶାଖାପାଟଣା ଏକ୍ସପ୍ରେସ୍ ଉଭୟ ନଭେମ୍ବର ୧୯ ଓ ୨୦ ତାରିଖରେ ଚଳାଚଳ କରିବ ନାହିଁ। ଯାତ୍ରୀମାନେ ଟ୍ରେନ୍ ବାତିଲ୍ ସମ୍ପର୍କରେ ପୂର୍ବରୁ ଅବଗତ ହୋଇ ନିଜ ଯାତ୍ରା ଯୋଜନା ପ୍ରସ୍ତୁତ କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବାତ୍ୟା ସମୟରେ ଅନ୍ୟ ଟ୍ରେନ୍ ଚଳାଚଳ ଉପରେ ମଧ୍ୟ କଟକଣା

କେବଳ ଏହି ଦୁଇଟି ଟ୍ରେନ୍ ନୁହେଁ, ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଷ୍ଟେସନ୍ ଦେଇ ଯାତାୟାତ କରୁଥିବା ଅନ୍ୟ ଟ୍ରେନ୍‌ଗୁଡ଼ିକର ଚଳାଚଳ ଉପରେ ମଧ୍ୟ ଆବଶ୍ୟକୀୟ ନିୟନ୍ତ୍ରଣ ଲାଗୁ କରାଯିବ।

ବିଶେଷ କରି ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବ୍ୟ ସମୟର ତିନି ଘଣ୍ଟା ପୂର୍ବରୁ ଏବଂ ତିନି ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ଟ୍ରେନ୍ ଚଳାଚଳ ସମୟସୂଚୀରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପରିସ୍ଥିତି ଅନୁଯାୟୀ ରେଳବାଇ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Also Read: ବାତ୍ୟା ‘ଅକଭାନ୍’ ପାଇଁ କନ୍ଧମାଳରେ ବଡ଼ ପ୍ରସ୍ତୁତି, ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ​​​​​​​