• ଶିଖର ସମ୍ମିଳନୀ ଆୟୋଜନକାରୀ ଦେଶ ଉପରେ ଏହି ଆୟୋଜନର ପୁରା ଆର୍ଥିକ ଭାର ରହିଥାଏ
  • ସରକାରୀ ରାଜକୋଷରୁ ବିଦେଶମନ୍ତ୍ରାଳୟଙ୍କ ବଜେଟରୁ ଖର୍ଚ୍ଚ ହୁଏ
  • ଅନ୍ତର୍ଜାତୀୟ କୂଟନୈତିକ ପ୍ରୋଟକଲ ଅନୁଯାୟୀ ଏହି ପୁରା ଖର୍ଚ୍ଚ ଦୁଇ ଭାଗରେ ବଣ୍ଟା ହୁଏ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୧୨ ଓ ୧୩ ସେପ୍ଟେମ୍ବରରେ ଅନୁଷ୍ଠିତ ହେଉଥିବା ବ୍ରିକସ୍ ଶିଖର ସମ୍ମିଳନୀ ପାଇଁ ଭାରତ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ୧୧ ସଦସ୍ୟ ଦେଶ ଓ ୧୦ ପାର୍ଟନର ଦେଶଙ୍କ ଶୀର୍ଷ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ପୁଟିନଙ୍କ ଲାଗି ଆଇଟିସି ମୌର୍ଯ୍ୟ, ସି ଜିନପିଙ୍ଗଙ୍କ ଲାଗି ତାଜ ପ୍ୟାଲେସ୍, ୟୁଏଇ ରାଷ୍ଟ୍ରପତିଙ୍କ ଲାଗି ଲିଲା ପ୍ୟାଲେସ୍ ଓ ଇଜିପ୍ଟ ଟିମ୍ ଲାଗି ହୋଟେଲ ସେରେଟନ ସଜେଇ ହେଲାଣି।

ବ୍ରିକସ୍ ଭଳି ବିଶାଳ ଅନ୍ତର୍ଜାତୀୟ ସମ୍ମିଳନୀରେ ସାରା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ଏକତ୍ରିତ ହେଲେ ସେମାନଙ୍କ ସହ ଶତାଧିକ ଅଧିକାରୀ, ସୁରକ୍ଷା କର୍ମୀ ଓ ମିଡିଆର କର୍ମୀମାନେ ମଧ୍ୟ ଭାରତ ପହଞ୍ଚିବେ। ଏଣୁ ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ଏହି ବିଦେଶୀ ଅତିଥି ସେମାନଙ୍କ ଅଧିକାରୀ, ସୁରକ୍ଷା କର୍ମୀଙ୍କ ଖାଇବା, ପିଇବା ଓ ରହଣୀ ବାବଦେ ଖର୍ଚ୍ଚ ଭରଣା କରିବ କିଏ? ତେବେ ଆସନ୍ତୁ ଜାଣିବା ଏ ବାବଦ ଖର୍ଚ୍ଚ କିଏ କରେ..

ବ୍ରିକସ୍ ଆୟୋଜନ ଖର୍ଚ୍ଚ କରିବ କିଏ?
ବ୍ରିକସ୍ ସଙ୍ଗଠନର ପରମ୍ପରା ଅନୁସାରେ ଶିଖର ସମ୍ମିଳନୀ ଆୟୋଜନକାରୀ ଦେଶ ଉପରେ ଏହି ଆୟୋଜନର ପୁରା ଆର୍ଥିକ ଭାର ରହିଥାଏ। ଏହି ବ୍ୟବସ୍ଥା ଅନୁସାରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ଓ ସମ୍ବଦ୍ଧିତ ସରକାରୀ ବିଭାଗ ବୈଠକ, ସ୍ଥାନ ବ୍ୟବସ୍ଥା, ବିଦେଶୀ ପ୍ରତିନିଧିଙ୍କ ସ୍ୱାଗତ ଓ ଜରୁରି ଲଜିଷ୍ଟକ ଖର୍ଚ୍ଚ ବହନ କରୁଛି। ସେହିପରି କଡ଼ା ସୁରକ୍ଷାର ବନ୍ଦୋବସ୍ତ ପାଇଁ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ମିଳିତ ଦାୟିତ୍ୱ ନେଇଛନ୍ତି। ଅନ୍ତର୍ଜାତୀୟ କୂଟନୈତିକ ପ୍ରୋଟକଲ ଅନୁଯାୟୀ ଏହି ପୁରା ଖର୍ଚ୍ଚ ଦୁଇ ଭାଗରେ ବଣ୍ଟା ହୁଏ। ଏଥିରୁ ଗୋଟିଏ ଖର୍ଚ୍ଚ ଆୟୋଜକ ଦେଶ ବହନ କରୁଥିବା ବେଳେ ଅନ୍ୟ ଖର୍ଚ୍ଚଟି ଅତିଥି ଦେଶମାନେ କରିଥାନ୍ତି।

କେଉଁସବୁ ଖର୍ଚ୍ଚ ବହନ କରେ ଆୟୋଜକ ଦେଶ?
ସମ୍ମିଳନୀର ଆୟୋଜନ କରୁଥିବା ଦେଶ ଯେପରି ଭାରତ ସରକାରୀ ରାଜକୋଷରୁ ବିଦେଶମନ୍ତ୍ରାଳୟଙ୍କ ବଜେଟରୁ ଖର୍ଚ୍ଚ କରନ୍ତି। ଏହି ଅନୁସାରେ ପ୍ରମୁଖ ରାଷ୍ଟ୍ରମୁଖ୍ୟ (ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ) ଓ ସେମାନଙ୍କ ହାତଗଣତି ଶୀର୍ଷ ଅଧିକାରୀଙ୍କ ପଞ୍ଚତାରକା ହୋଟେଲର ମୁଖ୍ୟ ସୁଇଟ୍ ଓ ଭୋଜନ ବାବଦ ବ୍ୟୟ ଆୟୋଜକ ଦେଶ ବହନ କରିଥାଏ। ଏହା ଛଡା ପୁରା ପ୍ରତିନିଧି ମଣ୍ଡଳଙ୍କୁ ସ୍ଥାନୀୟ ସ୍ତରରେ ବୁଲେଟ ପ୍ରୁଫ ଗାଡ଼ି, ସୁରକ୍ଷା କାରକେଡ ଓ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ଦେବା ଦାୟିତ୍ୱ ଆୟୋଜକ ଦେଶ ବହନ କରନ୍ତି। ସେହିପରି ଏୟାରପୋର୍ଟରେ ବିଦେଶୀ ବିମାନଙ୍କ ଲ୍ୟାଣ୍ଡିଂ, ପାର୍କିଂ ଓ ମୁଖ୍ୟ ଭେନୁ ଯେପରି ଦିଲ୍ଲୀର ଭାରତ ମଣ୍ଡପମ ଓ ଅଧିକାରୀକ ରାତ୍ର ଭୋଜନ ଖର୍ଚ୍ଚ ମଧ୍ୟ ଆୟୋଜକ ଦେଶ ବହନ କରନ୍ତି।

ଅତିଥି ଦେଶଙ୍କୁ ପଡେ କେଉଁ ଖର୍ଚ୍ଚ?
ରାଷ୍ଟ୍ରମୁଖ୍ୟଙ୍କ ସହ ଆସୁଥିବା ଶତାଧିକ ଅଧିକାରୀ, ସୁରକ୍ଷା କର୍ମୀ ଓ ମିଡିଆ କର୍ମୀଙ୍କ ବାବଦ ଖର୍ଚ୍ଚ ସମ୍ବଦ୍ଧିତ ଦେଶ ଭରଣା କରନ୍ତି। ସେହିପରି ନିଜ ଦେଶରୁ ଯିବା ଓ ଆସିବା ପାଇଁ ବିଶେଷ ବିମାନ ଓ କମର୍ସିଆଲ ବିମାନ ଇନ୍ଧନ ଓ ଟିକେଟ ଖର୍ଚ୍ଚ ଅତିଥି ଦେଶ ବହନ କରନ୍ତି। ମୁଖ୍ୟ ଭିଭିଆଇପିଙ୍କ ବ୍ୟତୀତ ବାକି ସବୁ ଜୁନିୟର ଅଧିକାରୀ, କମାଣ୍ଡୋ ଓ ମିଡିଆ କର୍ମୀଙ୍କ ଲାଗି ବୁକ୍ ହୋଇଥିବା ଅତିରିକ୍ତ ହୋଟେଲ କକ୍ଷ୍ୟ ବାବାଦ ବେୟ ମଧ୍ୟ ଅତିଥି ଦେଶ ବହନ କରନ୍ତି। କେବଳ ଏତିକି ନୁହେଁ ଯଦି କୌଣସି ଦେଶ ନିଜର ଆରମର୍ଡ ଭେଇକ୍ଲ, ନିଜର ରୋଷେୟା ଓ ବିଶେଷ ସଞ୍ଚାର ଉପକରଣ ସାଙ୍ଗରେ ନେଇ ଆସନ୍ତି ତେବେ ଏ ବାବଦ ରକ୍ଷଣାବେକ୍ଷଣ ଓ ପରିବହନ ଖର୍ଚ୍ଚ ମଧ୍ୟ ସମ୍ପୃକ୍ତ ଦେଶ ବହନ କରନ୍ତି।