ଲକ୍ଷ୍ନୌ: ରାମ ମନ୍ଦିରେ ଦାନ ଚୋରି ହେବା ପରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଗ୍ରହଣ କରିଛି । ଟ୍ରଷ୍ଟ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ କୃଷ୍ଣ ମୋହନଙ୍କୁ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଛି । କାର୍ଯ୍ୟଭାର ଗ୍ରହଣ କରିବା ପରେ, କୃଷ୍ଣ ମୋହନ କହିଥିଲେ ଯେ ଚୋରି ପାଇଁ ଦୋଷୀମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ।

ଚମ୍ପତ ରାୟଙ୍କ ଇସ୍ତଫା ପରେ ସମସ୍ତଙ୍କ ନଜର, ରାମ ମନ୍ଦିର ଟ୍ରଷ୍ଟର ପରବର୍ତ୍ତୀ ନୂଆ ମହାସଚିବ କିଏ ହେବେ ତାହା ଉପରେ ରହିଛି । ଏହି ଦୌଡ଼ରେ ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ମହାମନ୍ତ୍ରୀ ବଜରଙ୍ଗ ଲାଲ୍ ବାଗଡାଙ୍କ ନାମ ସବୁଠାରୁ ଆଗରେ ରହିଛି ।

ରାଜସ୍ଥାନର ସୀକର ଜିଲ୍ଲାର ମୂଳ ବାସିନ୍ଦା ବଜରଙ୍ଗ ଲାଲ୍ ବାଗଡା ହିନ୍ଦୁତ୍ୱବାଦୀ ସଂଗଠନ ବିଏଚପିର ଜଣେ ପ୍ରଭାବଶାଳୀ ଏବଂ ଶିକ୍ଷିତ ଚେହେରା । ଫେବ୍ରୁଆରୀ ୨୦୨୪ରେ ଅଯୋଧ୍ୟାରେ ଅନୁଷ୍ଠିତ ବିଏଚପିର ଏକ ବଡ଼ ବୈଠକରେ ତାଙ୍କୁ ସର୍ବସମ୍ମତି କ୍ରମେ ସଂଗଠନର କେନ୍ଦ୍ରୀୟ ଏବଂ ଅନ୍ତର୍ଜାତୀୟ ମହାମନ୍ତ୍ରୀ ଚୟନ କରାଯାଇଥିଲା ।

ବଜରଙ୍ଗ ଲାଲ୍ କେବଳ ଜଣେ ସଂଗଠକ ନୁହନ୍ତି ବରଂ ତାଙ୍କର ପୁରୁଣା ଟ୍ରାକ୍ ରେକର୍ଡ ମଧ୍ୟ ବେଶ ପ୍ରଭାରୀ । ସେ ପେଶାରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଦେଶର କର୍ପୋରେଟ୍ ସେକ୍ଟର ସହିତ ବଡ଼ ବଡ଼ ପ୍ରଶାସନିକ ପଦବୀରେ କାମ କରିବାର ଦୀର୍ଘ ଅନୁଭବ ରହିଛି । ସେ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ଏବଂ କାର୍ଯ୍ୟଶୈଳୀ ପାଇଁ ଜଣାଶୁଣା ।

ବଜରଙ୍ଗ ଲାଲ୍ ବାଗଡାଙ୍କ ପ୍ରୋଫାଇଲ୍ କୌଣସି ସାଧାରଣ ନେତାଙ୍କ ଭଳି ନୁହେଁ । ସେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଆସୁଥିବା 'ନବରତ୍ନ' ନାଲକୋର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ  ରହିସାରିଛନ୍ତି । ନାଲକୋର ଶୀର୍ଷ ପଦବୀରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସେ ନିଜର ସମ୍ପୂର୍ଣ୍ଣ ସମୟ ସମାଜ ଏବଂ ସଂଗଠନ କାର୍ଯ୍ୟରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ବିଏଚପିରେ ସାମିଲ ହେବା ପରେ ସେ ପ୍ରଥମେ ଜାତୀୟ ସମ୍ପାଦକ ହୋଇଥିଲେ । ପରେ ନିଜ ଯୋଗ୍ୟତା ବଳରେ ଅନ୍ତର୍ଜାତୀୟ ମହାମନ୍ତ୍ରୀ ପଦରେ ପହଞ୍ଚିଥିଲେ । ଜନସଂଖ୍ୟା ଅସନ୍ତୁଳନ, ଧର୍ମାନ୍ତରୀକରଣ ଏବଂ ମନ୍ଦିରଗୁଡ଼ିକର ଆର୍ଥିକ ପରିଚାଳନା ଭଳି ଗମ୍ଭୀର ବିଷୟଗୁଡ଼ିକରେ ସେ ସର୍ବଦା ଦୃଢ଼ ଯୁକ୍ତି ରଖିଆସିଛନ୍ତି ।

ଦୌଡ଼ରେ ବାଗଡାଙ୍କ ନାମ କାହିଁକି ସବୁଠାରୁ ଆଗରେ ?

ଅଯୋଧ୍ୟା ଦାନ ଚୋରି ମାମଲା ପରେ ଟ୍ରଷ୍ଟର ବିଶ୍ୱସନୀୟତାକୁ ପୁଣି ଥରେ ମଜବୁତ କରିବା ପାଇଁ ଏଭଳି ଏକ ଚେହେରାର ଆବଶ୍ୟକତା ରହିଛି, ଯିଏ ଆର୍ଥିକ ମାମଲାର ଏକ୍ସପର୍ଟ ହୋଇଥିବେ। ଏହି କାରଣରୁ ବଜରଙ୍ଗ ଲାଲ୍ ବାଗ୍‌ଡ଼ାଙ୍କୁ ପ୍ରଥମ ପସନ୍ଦ କୁହାଯାଉଛି ।

ଏହି ଦୌଡରେ ଟ୍ରଷ୍ଟି କୃଷ୍ଣମୋହନଙ୍କ ନାଁ ରହିଛି ।  ସେ ଭାରତୀୟ ବନ ସେବାର ଅବସରପ୍ରାପ୍ତ ଅଫିସର ଏବଂ ବର୍ତ୍ତମାନ ଆରଏସଏସର ପୂର୍ବ ୟୁପିର ସଂଘଚାଳକ ଅଛନ୍ତି । ବିଶେଷ କଥା ହେଉଛି, ଦାନ ଚୋରି ମାମଲାରେ ଏଫଆଇଆର ମଧ୍ୟ କୃଷ୍ଣମୋହନ ହିଁ ଦାୟର କରିଥିଲେ ।