ନୂଆଦିଲ୍ଲୀ: ବଜାର ନିୟାମକ ସେବି (SEBI) ଜୁଏଲରୀ କମ୍ପାନି ରାଜେଶ ଏକ୍ସପୋର୍ଟ୍ସ ଲିମିଟେଡକୁ ନେଇ ଅନ୍ତରୀଣ ଆଦେଶ ଜାରି କରିଛି । ସେବି ଅଭିଯୋଗ କରିଛି ଯେ ଏହି କମ୍ପାନି ଜାଲିଆତି କରି ୧୫.୧୫ ଲକ୍ଷ କୋଟି ଟଙ୍କାର ରେଭେନ୍ୟୁ ଦର୍ଶାଇଛି । ସେବି ଏକ ଚକିତ ଖୁଲାସା କରି ରାଜେଶ ମେହେଟ୍ଟାଙ୍କୁ କମ୍ପାନିର ସେୟାରରେ ଟ୍ରେଡିଂ କରିବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛି । ସେବିର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ରାଜେଶ ଏକ୍ସପୋର୍ଟସ ନିଜର ମୋଟ ରୋଜଗାରର ପ୍ରାୟ ୯୭ ପ୍ରତିଶତରୁ ୯୯ ପ୍ରତିଶତ ଅଂଶ ଜାଲ୍ କିମ୍ବା ବଢ଼େଇ ଚଢ଼େଇ ଦେଖାଇଛି ।

ସେବି ନିଜର ୧୦୯ ପୃଷ୍ଠାର ଅନ୍ତରୀଣ ଆଦେଶରେ ଏହି ଅନିୟମିତତାକୁ ଇତିହାସର ସବୁଠାରୁ ଗମ୍ଭୀର ଆର୍ଥିକ ଅନିୟମିତତା ମଧ୍ୟରୁ ଅନ୍ୟତମ ବୋଲି କହିଛି । ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ କେବଳ କମ୍ପାନିର ସେୟାର ହ୍ରାସ ପାଇନାହିଁ, ବରଂ ଦେଶର ସବୁଠାରୁ ବଡ଼ ସରକାରୀ ବୀମା କମ୍ପାନି ଏଲଆଇସିକୁ ମଧ୍ୟ ବଡ଼ ଝଟକା ଲାଗିଛି । ଆସନ୍ତୁ ଜାଣିବା କିଏ ଏହି ରାଜେଶ ମେହେଟ୍ଟା ଏବଂ କିପରି ସେ ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।

ରାଜେଶ ମେହେଟ୍ଟା କିଏ ?

ବେଙ୍ଗାଲୁରୁର ବାସିନ୍ଦା ୬୦ ବର୍ଷୀୟ ରାଜେଶ ଜେ.ମେହେଟ୍ଟା ହେଉଛନ୍ତି ରାଜେଶ ଏକ୍ସପୋର୍ଟସର ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ । ସେ ୧୯୮୯ ମସିହାରେ ଏହି କମ୍ପାନି ଆରମ୍ଭ କରିଥିଲେ ଏବଂ ନିଜ ପରିଶ୍ରମ ବଳରେ ଏହାକୁ ବିଶ୍ୱର ସବୁଠାରୁ ବଡ଼ ଗୋଲ୍ଡ ରିଫାଇନିଂ ଏବଂ ଏକ୍ସପୋର୍ଟ କମ୍ପାନି ମଧ୍ୟରୁ ଅନ୍ୟତମ କରିପାରିଥିଲେ । ରାଜେଶ ମେହେଟ୍ଟା ଅତି କମ ବୟସରେ ମୂଲ୍ୟବାନ ଧାତୁ ବ୍ୟବସାୟରେ ପାଦ ଦେଇଥିଲେ । ସେ ନିଜର କଲେଜ ପାଠପଢ଼ା ମଝିରୁ ଛାଡି ଦେଇଥିଲେ ଏବଂ ଆରମ୍ଭରେ ରୁପା ବ୍ୟବସାୟ କରିବା ଆରମ୍ଭ କରିଥିଲେ । ପରେ ସେ ଧୀରେ ଧୀରେ ସୁନା ଏବଂ ଅଳଙ୍କାରର ବଡ଼ ବ୍ୟବସାୟରେ ପ୍ରବେଶ କରିଥିଲେ ।

ସୁନା ଦୁନିଆରେ କିପରି କଲେ ବଡ଼ ନାମ ?

ରାଜେଶ ଏକ୍ସପୋର୍ଟସର ବିଜନେସ୍ ମଡେଲ ବେଶ ଶକ୍ତିଶାଳୀ ବୋଲି ବିବେଚନା କରାଯାଉଥିଲା । ଏହି କମ୍ପାନି କଞ୍ଚା ସୁନା କିଣି ତାକୁ ବିଶୁଦ୍ଧ ସୁନାରେ ରିଫାଇନ୍ କରେ । ଅଳଙ୍କାର ତିଆରି କରେ ଏବଂ ପରେ ବଜାରରେ ବିକ୍ରି କରେ । ରାଜେଶ ମେହେଟ୍ଟାଙ୍କ କ୍ୟାରିୟର ଏବଂ କମ୍ପାନିର ଇତିହାସରେ ସବୁଠାରୁ ବଡ଼ ମୋଡ଼ ୨୦୧୫ ମସିହାରେ ଆସିଥିଲା । ସେହି ବର୍ଷ ରାଜେଶ ଏକ୍ସପୋର୍ଟସ୍ ସ୍ୱିଜରଲ୍ୟାଣ୍ଡର ପ୍ରସିଦ୍ଧ ରିଫାଇନେରୀ 'ଭାଲକାମ୍ବି' (Valcambi) କୁ ଅଧିଗ୍ରହଣ କରିଥିଲା । ଭାଲକାମ୍ବିକୁ ବିଶ୍ୱର ସବୁଠାରୁ ବଡ଼ ଗୋଲ୍ଡ ରିଫାଇନିଂ ଫ୍ୟାସିଲିଟି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଏହି ଡିଲ୍ ପରେ ରାଜେଶ ମେହେଟ୍ଟାଙ୍କ ନାମ ବିଶ୍ୱ ବଜାରରେ ଚମକି ଉଠିଥିଲା ।

ବାର୍ଷିକ ଆୟ ଏବଂ ସେବିର ଗମ୍ଭୀର ଅଭିଯୋଗ

ଡାଟା ଅନୁଯାୟୀ, ରାଜେଶ ଏକ୍ସପୋର୍ଟସର ବାର୍ଷିକ ରାଜସ୍ୱ ପ୍ରାୟ ୩୯.୨ ବିଲିୟନ ଡଲାର (ପ୍ରାୟ ୩.୭୫ ଲକ୍ଷ କୋଟି ଟଙ୍କା) ଏବଂ ପ୍ରାୟ ୧,୪୬୫ କୋଟି ଟଙ୍କାର ଶୁଦ୍ଧ ଲାଭ ଦର୍ଶାଏ । ସେୟାର ବଜାରରେ ଏହି କମ୍ପାନିର ମୂଲ୍ୟ ପ୍ରାୟ ୯,୮୨୯ କୋଟି ଟଙ୍କା । କିନ୍ତୁ ସେବି କହିଛି ଯେ କମ୍ପାନି ନିଜର ମୋଟ ବିକ୍ରିକୁ ବଢ଼େଇ ଚଢ଼େଇ ଉପସ୍ଥାପନ କରିଛି । ଆଦେଶ ଅନୁଯାୟୀ, ପ୍ରାୟ ୯୭ ପ୍ରତିଶତରୁ ୯୯ ପ୍ରତିଶତ ରାଜସ୍ୱ ଜାଲ୍ ହେବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯାହା ପୂର୍ବରୁ କେବେ ଶୁଣାଯାଇ ନଥିଲା ।

LICକୁ କାହିଁକି ଲାଗିଲା ଶକ୍ତ ଝଟକା ?

ରାଜେଶ ମେହେଟ୍ଟାଙ୍କ ଉପରେ ସେବିର ଏହି କାର୍ଯ୍ୟାନୁଷ୍ଠାନର ସିଧାସଳଖ ପ୍ରଭାବ ଭାରତୀୟ ଜୀବନ ବୀମା ନିଗମ ଉପରେ ପଡିଛି । ଉଲ୍ଲେଖଯୋଗ୍ୟ ଯେ ରାଜେଶ ଏକ୍ସପୋର୍ଟସରେ ଏଲଆଇସିର ୧୦.୮ ପ୍ରତିଶତ ଅଂଶଧନ ରହିଛି । ସେବିର ଅନ୍ତରୀଣ ଆଦେଶ ଆସିବା ମାତ୍ରେ ଏଲଆଇସିର ସେୟାରରେ ମଧ୍ୟ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇଥିଲା । ବଜାର ବିଶେଷଜ୍ଞଙ୍କ ମତରେ, ୧୫.୧୫ ଲକ୍ଷ କୋଟି ଟଙ୍କାର ରାଜସ୍ୱରେ ଏହି ବଡ଼ ଧରଣର ଅନିୟମିତତା ଅଭିଯୋଗ ଯୋଗୁଁ ରାଜେଶ ଏକ୍ସପୋର୍ଟସର ସେୟାର ମୂଲ୍ୟ ଦୀର୍ଘ ସମୟ ଧରି ତଳେ ରହିବ, ଯାହା ଏଲଆଇସିର ନିବେଶ ମୂଲ୍ୟକୁ ବହୁତ କ୍ଷତି ପହଞ୍ଚାଇବ। ସାଧାରଣ ନିବେଶକମାନଙ୍କୁ ବର୍ତ୍ତମାନ ପାଇଁ ଏହି ସେୟାରରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି ।