ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଠିକ ସମୟ ନିର୍ଦ୍ଧାରଣ ପ୍ରଯୁକ୍ତି ଆଧାରିତ ‘ହ୍ୱାଇଟ୍ ରାବିଟ୍’ ଡେମୋନଷ୍ଟ୍ରେସନ ନେଟୱାର୍କ ଆରମ୍ଭ କରିଛନ୍ତି। ଭାରତ ସରକାର କହିଛନ୍ତି ଯେ ଏକ ରାଷ୍ଟ୍ର ଏକ ସମୟ ଲକ୍ଷ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ ବିକଶିତ ଏହି ନେଟୱାର୍କ ସାରା ଦେଶରେ ନାନୋସେକେଣ୍ଡରୁ ବି କମ୍ ସମୟରେ ସଠିକ ସମୟ ଦର୍ଶାଉଛି। ଏହା ଦ୍ୱାରା ଅର୍ଥ, ଦୂରସଞ୍ଚାର ଓ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଲାଗି ଏବେ ବିଦେଶୀ ଗ୍ଲୋବାଲ ପୋଜିସନିଂ ସିଷ୍ଚମ (ଜିପିଏସ୍) ନିର୍ଭରତା ସମାପ୍ତ ହୋଇଯିବ।

ହ୍ୱାଇଟ୍ ରାବିଟ୍ ଟେକ୍ନୋଲଜି ଏକ ଆଡଭାନ୍ସଡ୍ ଟେକ୍ନୋଲଜି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହଜାରଜାର ଯୋଡି ହୋଇ ରହିଥିବା ଉପକରଣ ମଧ୍ୟରେ ଏକ ନାନୋ ସେକେଣ୍ଡରୁ ବି କମ୍ ସମୟରେ ସଠିକ ତାଳମେଳ ସ୍ଥାପନା କରିବା। କେନ୍ଦ୍ରୀୟ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତ ସପ୍ତାହରେ ବେଙ୍ଗାଲୁରୁସ୍ଥିତ ରିଜିଓନାଲ ରେଫରେନ୍ସ ଷ୍ଟାଣ୍ଡାର୍ଡ ଲାବରେଟରୀ (ଆରଆରଏସଏଲ)ରେ ଏହି ନେଟୱାର୍କକୁ ପ୍ରାରମ୍ଭ କରିଥିଲେ।

ଏହି ପ୍ରକଳ୍ପ ଖାଉଟି ବ୍ୟାପାର ବିଭାଗ, ସିଏସଆଇଆର, ରାଷ୍ଟ୍ରୀୟ ଭୌତିକ ପ୍ରୟୋଗଶାଳା ଓ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ଙ୍କ ଏକ ମିଳିତ ଉପକ୍ରମ। ମନ୍ତ୍ରାଳୟ କହିଛନ୍ତି ଯେ ଏହି ପ୍ରଣାଳୀ ପ୍ରିସିଜନ ଟାଇମ୍ ପ୍ରୋଟକଲ ଆଧାରିତ ହ୍ୱାଇଟ୍ ରାବିଟ ଟେକ୍ନୋଲଜି ମାଧ୍ୟମରେ ଭାରତୀୟ ମାନକ ସମୟ (ଆଇଏସଟି)ର ପ୍ରସାର କରୁଛି, ଯାହା ଜାତୀୟ ସମୟ ନିର୍ଦ୍ଧାରଣ ସଂସ୍ଥା ୟୁଟିସି ସହିତ ସଂଯୁକ୍ତ। ଏହି ପ୍ରଯୁକ୍ତି ବ୍ୟାଙ୍କିଙ୍ଗ ଦୂରସଞ୍ଚାର, ବିଦ୍ୟୁତ ଗ୍ରୀଡ, ପରିବହନ ଓ ଡିଜିଟାଲ ପ୍ରଶାସନ ଭଳି କ୍ଷେତ୍ରରେ ଅତ୍ୟଧିକ ସଠିକ ସମୟ ସମନ୍ୱୟ ଉପଲବ୍ଧ କରାଉଛି।

ମନ୍ତ୍ରାଳୟ କହିଛନ୍ତି ଯେ ସିଏସଆଇଆର-ଏନପିଏଲ ସହିତ ମିଶି ଉପଭୋକ୍ତା ବ୍ୟାପାର ବିଭାଗ, ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି), ଏନଏସଇ ଓ ସରକାରୀ ଦୂରସଞ୍ଚାର କମ୍ପାନୀ ବିଏସଏନଏଲ ବେଙ୍ଗାଲୁରୁ ପ୍ରୟୋଗଶାଳା ଓ ଏନଏସଇର ଚେନ୍ନାଇ ୟୁନିଟ୍ ମଧ୍ୟରେ ସୁରକ୍ଷିତ ସମୟ ପ୍ରସାରଣର ସତ୍ୟାପନ ପରୀକ୍ଷଣ ମଧ୍ୟ ପୁରା କରିଛି।