ନୂଆଦିଲ୍ଲୀ,୨୩ ।୦୭ :ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ,ଜୁନ୍ ୨୦୨୫ରେ ଅନ୍ତର୍ଜାତୀୟ ମହାକାଶକୁ ଯାତ୍ରା କରିଥିଲେ । କିଛି ଭାରତୀୟ ବ୍ୟଞ୍ଜନ ବି ସାଙ୍ଗରେ ନେଇଥିଲେ । କିନ୍ତୁ ବୈଜ୍ଞାନିକ ଯାଞ୍ଚରେ ମାତ୍ର ୩ଟି ବ୍ୟଞ୍ଜନକୁ ମିଳି ପାରିଥିଲା ମଞ୍ଜୁରୀ।ଏକ ପଡକାଷ୍ଟରେ ଶୁଭାଂଶୁ କହିଛନ୍ତି, ଡିଆର୍ଡିଓର ଲାବୋରେଟୋରୀ ଡିଫେନ୍ସ ଫୁଡ୍ ରିସର୍ଚ୍ଚ ଲାବୋରେଟୋରୀ (ଡିଏଫ୍ଆର୍ଏଲ୍) ମହାକାଶ ଯୋଗ୍ୟତା ପାଇଁ ବ୍ୟାପକ ଭାରତୀୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲା । ତେବେ, ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ପରେ କେବଳ ଗାଜର ହାଲୁଆ, ମୁଗ ଡାଲି ହାଲୁଆ ଓ ଆମ୍ବରସ ମହାକାଶ ଯାତ୍ରା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ।
ଭାରତର ପରବର୍ତ୍ତୀ ଗଗନଯାନ ମିଶନ ପାଇଁ ଡିଏଫ୍ଆର୍ଏଲ୍ ମହାକାଶ ଖାଦ୍ୟ ପ୍ରସ୍ତୁତି କରୁଛି । ଶୁଭାଂଶୁ କହିଛନ୍ତି, ତାଙ୍କ ମହାକାଶ ଯାତ୍ରା ପୂର୍ବରୁ ଖେଚୁଡ଼ି, ପଲାଉ, ପରିବା ଓ ଅନେକ ଅନ୍ୟ ଭାରତୀୟ ବ୍ୟଞ୍ଜନର ପରୀକ୍ଷଣ ହୋଇଥିଲା । ଖାଦ୍ୟ ପ୍ରସ୍ତୁତି ଅପେକ୍ଷା ମହାକାଶ ପାଇଁ ଅନୁମତି ପ୍ରାପ୍ତ କରିବା ଅତ୍ୟନ୍ତ ଜଟିଳ ଥିଲା । ଏଗୁଡ଼ିକୁ ମହାକାଶ ଯାତ୍ରା ନିମନ୍ତେ ଅନୁମତି ନ ମିଳିବାର ଅନେକ କାରଣ ଥିଲା । ତାମଧ୍ୟରେ ସବୁଠୁ ବଡ଼ ଆହ୍ୱାନ ଥିଲା ସମୟ । ଏଗୁଡ଼ିକର ପରୀକ୍ଷା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ସମୟ ନ ଥିଲା । ତେଣୁ କେବଳ ୩ଟି ଖାଦ୍ୟ ସମସ୍ତ ଆବଶ୍ୟକ ସର୍ତ୍ତ ପୂରଣ କରିପାରିଥିଲା ।
ମହାକାଶକୁ ଯାଉଥିବା ଖାଦ୍ୟ ବ୍ୟାପକ ପରୀକ୍ଷଣ ମଧ୍ୟଦେଇ ଗତିକରେ । ସୁରକ୍ଷା ମାନକ ପୂରଣ କରୁଥିବା, ପୋଷକ ତତ୍ତ୍ୱ ବଜାୟ ରଖୁଥିବା ଓ ବିନା ଫ୍ରିଜ୍ ରେ ମାସ ମାସ ଧରି ରହିପାରୁଥିବା ଖାଦ୍ୟପଦାର୍ଥକୁ ଅଗ୍ରାଧିକାର ମିଳେ । ଏହା ସୂକ୍ଷ୍ମମାଧ୍ୟାକର୍ଷଣରେ ସୁରକ୍ଷିତ ରହିବା, କମ୍ପନକୁ ସହ୍ୟ କରିବା ସହିତ ଆବଶ୍ୟକଠୁ ଅଧିକ ଆର୍ଦ୍ର ନ ହେଉଥିବା ଆବଶ୍ୟକ । ଯଦିଓ ମହାକାଶ କେନ୍ଦ୍ରରେ ରହଣି ସମୟରେ ଶୁଭାଂଶୁ ଏହି ୩ ପ୍ରମାଣିତ ଭାରତୀୟ ବ୍ୟଞ୍ଜନକୁ ଖାଇପାରିନଥିଲେ, ତାଙ୍କ ସାଥୀ ମହାକାଶଚାରୀମାନେ ଏହାର ମଜା ନେଇଥିଲେ । ମହାକାଶରେ ଭାରତୀୟ ବ୍ୟଞ୍ଜନକୁ ବାଣ୍ଟିବାର ଏହା ଏକ ସୁନ୍ଦର ମାର୍ଗ ଥିଲା ବୋଲି ଶୁଭାଂଶୁ କହିଛନ୍ତି ।
ନାସା ଦୀର୍ଘକାଳୀନ ମହାକାଶ ମିଶନରେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ସାଧାରଣତଃ ଅପେକ୍ଷାକୃତ କମ୍ ସୋଡିୟମ୍ ସ୍ତରଯୁକ୍ତ ମହାକାଶ ବ୍ୟଞ୍ଜନ ପ୍ରସ୍ତୁତ କରେ । ସେଥିପାଇଁ ମହାକାଶରେ କିଛି ଦିନ ରହଣି ପରେ ଶୁଭାଂଶୁ ଲୁଣିଆ ଓ ମସଲାଯୁକ୍ତ ଖାଦ୍ୟକୁ ଝୁରିଥିଲେ । କିନ୍ତୁ ପୃଥିବୀରେ ପହଞ୍ଚିବା ପରେ ହିଁ ଏହା ମିଳିବ ବୋଲି ସାଥୀ ମହାକାଶଚାରୀ ତାଙ୍କୁ କହିଥିଲେ ।
