ମୁମ୍ବାଇ : ଭନସାଲି ଫିଲ୍ମ ‘ଲଭ୍ ଆଣ୍ଡ୍ ୱାର’ରେ ରଣବୀର କପୁରଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଷ୍ଟରରେ ରଣବୀରଙ୍କୁ ଗମ୍ଭୀର ଅନ୍ଦାଜରେ ଦେଖିବାକୁ ମିଳିଛି । ରଣବୀର ମୋଟା ନିଶ ରଖିବା ସହ ତାଙ୍କ ହାତ ଏବଂ ସାର୍ଟରେ ରକ୍ତ ଦାଗ ଲାଗିଛି। ଏଥିସହ ସେ ଏକ କାରରେ ଚଷମା ପିନ୍ଧି ବସିଥିବା ଦେଖାଯାଇଛି। ଶାର୍ଟରେ ରକ୍ତ ଦାଗ ଫିଲ୍ମର ଡାର୍କ ଏବଂ ଆକ୍ସନ କାହାଣୀ ଆଡ଼କୁ ସଙ୍କେତ ଦେଉଛି। ଚଷମାରେ ରଣବୀର ଷ୍ଟାଇଲିସ୍ ଲୁକ୍ ଦେଇଛନ୍ତି । ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରାଯାଇ କ୍ୟାପ୍ସନରେ ଲେଖାଯାଇଛି, ‘ବୋ ରୁତ୍ବା , ବୋ ରୋବ, ବୋ ଜୁନୁନ୍' ! ସଞ୍ଜୟ ଲୀଲା ଭନସାଲିଙ୍କ ‘ଲଭ୍ ଆଣ୍ଡ୍ ୱାର' ୨୦୨୭ ଜାନୁଆରୀରେ ମୁକ୍ତିଲାଭ କରିବ ।

ଫିଲ୍ମରେ ରଣବୀରଙ୍କ ସହ ଆଲିଆ ଭଟ୍ଟ ଏବଂ ଭିକି କୌଶଲ ବି ନଜର ଆସିବେ । ତିନି ଜଣ ସୁପରଷ୍ଟାରଙ୍କ ଆକ୍ସନ ଜଲୱା ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ ହେବ । ସଞ୍ଜୟ ଲୀଲା ଭନସାଲି ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଆଲିଆ ଭଟ୍ଟ ମଧ୍ୟ ‘ଲଭ୍ ଆଣ୍ଡ୍ ୱାର'ର ପୋଷ୍ଟର ସେୟାର କରି କ୍ୟାପ୍ସନରେ ‘ହେ ହ୍ୟାଣ୍ଡସମ୍ ଲେଖିଛନ୍ତି ।ଏହି ଫିଲ୍ମର ରିଲିଜ୍ ତାରିଖ ପୂର୍ବରୁ ଏକାଧିକ ଥର ବଦଳିସାରିଛି । ପ୍ରଥମେ ୨୦୨୪ ଜାନୁଆରୀରେ ଫିଲ୍ମ ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା। ପରେ ୨୦୨୫ କ୍ରିସ୍ମାସ ଅବସରରେ ରିଲିଜ କରାଯିବାର ଯୋଜନା ହୋଇଥିଲା I ବଡ଼ ସ୍ତରରେ ହେଉଥିବା ସୁଟିଂ ଏବଂ ପ୍ରଡକ୍ସନରେ ଅଧିକ ସମୟ ଲାଗୁଥିବାରୁ ରିଲିଜ ତାରିଖକୁ ବଢ଼ାଯାଇଥିଲା । ସେପରି ୨୦୨୬ ଅଗଷ୍ଟରେ ଏହା ମୁକ୍ତିଲାଭ କରିବ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଫିଲ୍ମ କାମ ନ ସରିବା ଯୋଗୁ ତାହା ରିଲିଜ ହୋଇପାରି ନ ଥିଲା। ବର୍ତ୍ତମାନ ନିର୍ମାତାଙ୍କ ପକ୍ଷରୁ ଏହାର ଫାଷ୍ଟ ଲୁକ ରିଲିଜ କରାଯାଇଛି ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମ ରିଲିଜ ଡେଟକୁ ନେଇ କ୍ରେଜ ବଢିଛି ।