ମୁମ୍ବାଇ: ଆଜି ବଲିଉଡର ଜଣେ ଚର୍ଚ୍ଚିତ ଓ ପ୍ରତିଭାଶାଳୀ ଅଭିନେତା ଭାବେ ରାଜକୁମାର ରାଓଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ନିଜ ଅଭିନୟ ଦକ୍ଷତା ବଳରେ ସେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଛନ୍ତି। କିନ୍ତୁ ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ ଓ ସ୍ୱପ୍ନର କାହାଣୀ। ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିବା ପୂର୍ବରୁ ରାଜକୁମାର ରାଓ ମଧ୍ୟ ଅନ୍ୟ ଅନେକ ସଂଘର୍ଷରତ ଅଭିନେତାଙ୍କ ଭଳି ମୁମ୍ବାଇରେ ନିଜ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରୁଥିଲେ।

ରାଜକୁମାର ରାଓଙ୍କ ସଂଘର୍ଷ ଦିନକୁ ନେଇ ଏକ ରୋଚକ ଘଟଣା ଏବେ ଚର୍ଚ୍ଚାରେ ରହିଛି। କୁହାଯାଏ, ଅଭିନେତା ହେବାର ସ୍ୱପ୍ନ ନେଇ ମୁମ୍ବାଇ ଆସିବା ପରେ ସେ ବଲିଉଡ୍ର ଦୁଇ ବଡ଼ ତାରକା ବିଗ ବି ଅମିତାଭ ବଚ୍ଚନ ଓ ଶାହରୁଖ ଖାନଙ୍କ ବଙ୍ଗଳା ବାହାରେ ତାଙ୍କ ଅପେକ୍ଷାରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଥିଲେ। ଅମିତାଭ ବଚ୍ଚନଙ୍କ ଜୁହୁସ୍ଥିତ ବଙ୍ଗଳା ଏବଂ ଶାହରୁଖ ଖାନଙ୍କ ପ୍ରସିଦ୍ଧ ‘ମନ୍ନତ’ ବଲିଉଡ୍ ପ୍ରଶଂସକଙ୍କ ପାଇଁ ଦୀର୍ଘଦିନ ଧରି ଆକର୍ଷଣର କେନ୍ଦ୍ର ପାଲଟିଛି। ତେବେ ରାଜକୁମାର ରାଓଙ୍କ ପାଇଁ ଏହି ସ୍ଥାନଗୁଡ଼ିକ କେବଳ ଷ୍ଟାରଙ୍କ ଘର ନଥିଲା। ଏହି ଦୁଇ ଅଭିନେତାଙ୍କୁ ଦେଖିବା ଓ ସେମାନଙ୍କ ସଫଳତାରୁ ପ୍ରେରଣା ନେବା ତାଙ୍କ ସଂଘର୍ଷମୟ ଯାତ୍ରାର ଏକ ଅଂଶ ଥିଲା।

ରାଜକୁମାର ରାଓ ଅନେକ ସାକ୍ଷାତକାରରେ ନିଜ ସଂଘର୍ଷ ଦିନର କଥା ସେୟାର କରିଛନ୍ତି। ଅଭିନୟ ପ୍ରତି ତାଙ୍କର ଆଗ୍ରହ ଛୋଟବେଳୁ ଥିଲା ଏବଂ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସେ ମୁମ୍ବାଇରେ ଦୀର୍ଘ ସମୟ ଧରି ସଂଘର୍ଷ କରିଥିଲେ। ଅମିତାଭ ଓ ଶାହରୁଖଙ୍କ ଭଳି ଅଭିନେତାମାନେ ତାଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ। ସମୟ ବଦଳିଲା ଏବଂ ରାଜକୁମାର ରାଓ ନିଜ ଅଭିନୟ ପ୍ରତିଭାରେ ବଲିଉଡ୍ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କଲେ। ‘ଲଭ୍ ସେକ୍ସ ଔର ଧୋଖା’, ‘କାଇ ପୋ ଚେ ’, ‘ଶାହିଦ’, ‘ସ୍ତ୍ରୀ’ ଓ ‘ନ୍ୟୁଟନ୍’ ଭଳି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ବିଶେଷକରି ବିଭିନ୍ନ ଧରଣର ଚରିତ୍ରରେ ନିଜକୁ ଖାପ ଖୁଆଇବାର କ୍ଷମତା ତାଙ୍କୁ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ଦେଇଛି। ଦିନେ ଯେଉଁ ରାଜକୁମାର ରାଓ କେବେ ନିଜ ପସନ୍ଦର ଷ୍ଟାରଙ୍କୁ ଦେଖିବା ପାଇଁ ସେମାନଙ୍କ ବଙ୍ଗଳା ବାହାରେ ଛିଡ଼ା ହେଉଥିଲେ, ଆଜି ସେ ନିଜେ ବଲିଉଡର ଜଣେ ସୁପରଷ୍ଟାର ହୋଇପାରିଛନ୍ତି। ତାଙ୍କ ଏହି ଯାତ୍ରା ଦର୍ଶାଏ ଯେ, ସ୍ୱପ୍ନକୁ ନେଇ ଲଗାତାର ପରିଶ୍ରମ କଲେ ସଂଘର୍ଷର ଦିନ ମଧ୍ୟ ଦିନେ ଅତୀତ ହୋଇଯାଏ।