ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ୍ର ଚାହିଦା ହଠାତ୍ ବଢ଼ିଯାଇଥିବାରୁ କେନ୍ଦ୍ର ସରକାର ଜରୁରୀ ପଦକ୍ଷେପ ନେଇଛନ୍ତି। ପ୍ରାୟ ୧୧୨ଟି କ୍ୟାପ୍ଟିଭ୍ କୋଇଲା ଭିତ୍ତିକ ବିଦ୍ୟୁତ୍ କେନ୍ଦ୍ରକୁ ସେମାନଙ୍କର ସର୍ବାଧିକ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶ ୧ ଅକ୍ଟୋବରରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଲାଗୁ ରହିବ।ନୂଆ ନିୟମ ଲାଗୁ କଲେ ସରକାର: ଏବେ ୨୮ ଦିନ ନୁହେଁ ମିଳିବ ପୂରା ୩୦ ଦିନର ପ୍ଲାନ୍,ଶସ୍ତା ଭଏସ ଓନ୍‌ଲି ପ୍ଲାନ ହେବ ଲଞ୍ଚ୍

ସାଧାରଣତଃ ଗ୍ରୀଷ୍ମ ଦିନରେ ଦେଶରେ ବିଦ୍ୟୁତ୍ ଚାହିଦା ଅଧିକ ରହେ। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ବିଦ୍ୟୁତ୍ ଚାହିଦା ବେଶ୍ ବଢ଼ିଛି। ସେପ୍ଟେମ୍ବର ୧୦ ତାରିଖରେ ଦେଶର ସର୍ବାଧିକ ବିଦ୍ୟୁତ୍ ଚାହିଦା ୨୬୯ ଗିଗାୱାଟ୍ (GW) ରେ ପହଞ୍ଚିଥିଲା। ଏହା ସେପ୍ଟେମ୍ବର ମାସ ପାଇଁ ସର୍ବକାଳୀନ ସର୍ବାଧିକ ଚାହିଦା ବୋଲି ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ସର୍ବାଧିକ ବିଦ୍ୟୁତ୍ ଚାହିଦା ୨୭୦ GW ରହିଥିବା ବେଳେ । ମେ’ ମାସର ଗ୍ରୀଷ୍ମ ସମୟରେ ଏହି ଚାହିଦା ରେକର୍ଡ ହୋଇଥିଲା।

also read -ନୂଆ ନିୟମ ଲାଗୁ କଲେ ସରକାର: ଏବେ ୨୮ ଦିନ ନୁହେଁ ମିଳିବ ପୂରା ୩୦ ଦିନର ପ୍ଲାନ୍,ଶସ୍ତା ଭଏସ ଓନ୍ଲି ପ୍ଲାନ ହେବ ଲଞ୍ଚ୍

ତେବେ କ’ଣ ଏହି କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ?ସରଳ ଭାଷାରେ କହିଲେ, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ହେଉଛି ନିଜ ପାଇଁ ନିଜେ ବିଦ୍ୟୁତ୍ ତିଆରି କରୁଥିବା ପାୱାର ପ୍ଲାଣ୍ଟ।ଧରନ୍ତୁ, ଏକ ବଡ଼ ଷ୍ଟିଲ୍ କାରଖାନାକୁ ପ୍ରତିଦିନ ବହୁତ ବିଦ୍ୟୁତ୍ ଦରକାର। ସେହି କାରଖାନା ନିଜେ ଏକ ବିଦ୍ୟୁତ୍ କେନ୍ଦ୍ର ତିଆରି କରି ବିଦ୍ୟୁତ୍ ଉତ୍ପାଦନ କରେ। ଏହାକୁ Captive Power Plant (CPP) କୁହାଯାଏ।

ତେବେ ସରକାର କିପରି ଏଥିରୁ ଲାଭ ପାଇବ?ଏଠାରେ ସରକାର କାରଖାନାଗୁଡ଼ିକରୁ ବିଦ୍ୟୁତ୍ କିଣିବା ହିଁ ମୁଖ୍ୟ କଥା ନୁହେଁ। ବଡ଼ ଲାଭ ହେଉଛି ଦେଶର ମୋଟ ବିଦ୍ୟୁତ୍ ଯୋଗାଣ ବଢ଼ିବା।

ଏହାକୁ ଆଉଟିକେ ସରଳ ଉଦାହରଣରେ ବୁଝନ୍ତୁ , ଧରନ୍ତୁ ଦେଶରେ ବିଦ୍ୟୁତ୍ ଚାହିଦା ବହୁତ ବଢ଼ିଗଲା। ସାଧାରଣ ପାୱାର ପ୍ଲାଣ୍ଟଗୁଡ଼ିକରୁ ଆସୁଥିବା ବିଦ୍ୟୁତ୍ ପର୍ଯ୍ୟାପ୍ତ ହେଉନାହିଁ। ଏଭଳି ସମୟରେ ୧୧୨ଟି କ୍ୟାପ୍ଟିଭ୍ ପ୍ଲାଣ୍ଟକୁ ପୂରା କ୍ଷମତାରେ ଚଳାଇବାକୁ କୁହାଯାଉଛି। ଏହା ଦ୍ୱାରା ସେହି ପ୍ଲାଣ୍ଟଗୁଡ଼ିକରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ ହେବ।ଏହାର ଫଳରେ ଗ୍ରିଡ୍ରେ ବିଦ୍ୟୁତ୍ ଯୋଗାଣ ଉପରେ ଚାପ କମିପାରେ ଏବଂ ବିଦ୍ୟୁତ୍ ଅଭାବର ଆଶଙ୍କା କମିପାରେ।

ତେବେ ଏହା ସରକାର ପାଇଁ କାହିଁକି ଜରୁରୀ?ଭାବନ୍ତୁ, ଗୋଟିଏ ସହରରେ ହଠାତ୍ ବହୁତ ଲୋକ ପାଣି ଚାହିଁଲେ। କେବଳ ମୁଖ୍ୟ ପାଣି ଟାଙ୍କିରୁ ପାଣି ଦେଲେ ଅଭାବ ହୋଇପାରେ। ଯଦି ଅନ୍ୟ ବଡ଼ ଟାଙ୍କିଗୁଡ଼ିକରୁ ମଧ୍ୟ ପାଣି ଆଣିହେବ, ତେବେ ଚାପ କମିଯିବ। ବିଦ୍ୟୁତ୍ କ୍ଷେତ୍ରରେ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ଭୂମିକା ମଧ୍ୟ କିଛିଟା ଏହିପରି।ତେବେ କାରଖାନାଗୁଡ଼ିକର ଲାଭ କ’ଣ?କାରଖାନାଗୁଡ଼ିକ ନିଜ ବିଦ୍ୟୁତ୍ ଆବଶ୍ୟକତା ପାଇଁ ଏହି ପ୍ଲାଣ୍ଟ ତିଆରି କରିଥାନ୍ତି। ସରକାରଙ୍କ ନିର୍ଦ୍ଦେଶରେ ସେମାନେ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବେ ଏବଂ ନିୟମ ଅନୁସାରେ ଅତିରିକ୍ତ ବିଦ୍ୟୁତ୍ ଗ୍ରିଡ୍କୁ ଯୋଗାଇପାରିବେ। ଏହା ଦ୍ୱାରା ଦେଶର ବିଦ୍ୟୁତ୍ ବ୍ୟବସ୍ଥାକୁ ତୁରନ୍ତ ଅତିରିକ୍ତ ସହାୟତା ମିଳିପାରେ।

ତେବେ ଚଳିତ ବର୍ଷ କାହିଁକି ନିଆଗଲା ଏହି ପଦକ୍ଷେପ?ବିଦ୍ୟୁତ୍ ଚାହିଦା ଅଧିକ ରହିଲେ ଦେଶର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଉପରେ ଚାପ ବଢ଼େ। ଏଭଳି ସମୟରେ ଅଧିକ ବିଦ୍ୟୁତ୍ ଉତ୍ପାଦନ କରି ଯୋଗାଣକୁ ଠିକ୍ ରଖିବା ପାଇଁ କେନ୍ଦ୍ର ଏହି ପଦକ୍ଷେପ ନେଇଛି। ଏଥିପାଇଁ ସରକାର ବିଦ୍ୟୁତ୍ ଆଇନର ଧାରା ୧୧ ବ୍ୟବହାର କରିଛନ୍ତି। ଅସାଧାରଣ ପରିସ୍ଥିତିରେ ବିଦ୍ୟୁତ୍ ଉତ୍ପାଦନ ବଢ଼ାଇବା ପାଇଁ ସରକାର ଏହି ଧାରା ଅନୁସାରେ ନିର୍ଦ୍ଦେଶ ଦେଇପାରନ୍ତି। ପୂର୍ବରୁ ମଧ୍ୟ ଗ୍ରୀଷ୍ମ ସମୟରେ ବିଦ୍ୟୁତ୍ ଚାହିଦା ବଢ଼ିବା ପରେ ସରକାର ଏଭଳି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ବଢ଼ୁଥିବା ବିଦ୍ୟୁତ୍ ଚାହିଦା ମଧ୍ୟରେ ଦେଶରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ରଖିବା କେନ୍ଦ୍ର ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି।