ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପାଇଁ କୁସ୍ତି ଖେଳାଳି ଚୟନ ପ୍ରକ୍ରିୟାରେ ନୂଆ ମୋଡ଼ ନେଇଛି । ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଚୟନ ଟ୍ରାଏଲ୍ସରେ ଭାଗ ନେବା ପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଭାରତୀୟ କୁସ୍ତି ମହାସଂଘ ଚ୍ୟାଲେଞ୍ଜ କରିଛି । ଡବ୍ଲୁଏଫ୍ଆଇ ଏହି ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି । ଜଷ୍ଟିସ ପି.ଏସ. ନରସିଂହ ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଶୁକ୍ରବାର ମହାସଂଘର ଏହି ଆବେଦନ ଉପରେ ଜରୁରୀକାଳୀନ ଶୁଣାଣି କରିବେ ।

ଗତ ମେ’ ୨୨ରେ ଦିଲ୍ଲୀ ହାଇକୋର୍ଟଙ୍କ ଏକ ଡିଭିଜନ ବେଞ୍ଚ ବିନେଶ ଫୋଗାଟ୍‌ଙ୍କ ପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । କୋର୍ଟ କହିଥିଲେ ଯେ, ଡବ୍ଲୁଏଫ୍ଆଇର ବର୍ତ୍ତମାନର ଚୟନ ନୀତି ଭେଦଭାବପୂର୍ଣ୍ଣ ଭଳି ମନେହେଉଛି । ମାତୃତ୍ୱ ଅବକାଶ ପରେ ଫେରୁଥିବା ବିନେଶଙ୍କ ଭଳି ଜଣେ ପ୍ରତିଷ୍ଠିତ ଓ ଦେଶ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଏହି ନୀତିରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ବା ବିବେକାନୁମୋଦିତ କ୍ଷମତା ନାହିଁ ।

ହାଇକୋର୍ଟ କହିଥିଲେ, "ମାତୃତ୍ୱ ଯେମିତି ବିନେଶଙ୍କ ଭଳି ପ୍ରତିଭାବାନ ମହିଳା ଆଥଲେଟ୍‌ମାନଙ୍କୁ ଦେଶ ପାଇଁ ଖେଳିବାରୁ ବାଦ୍ ଦେବାର କାରଣ ସାଜିବ ନାହିଁ ଆଇନ ତାହା ନିଶ୍ଚିତ କରିବା ଆବଶ୍ୟକ । ମାତୃତ୍ୱକୁ କେବେ ବି ପ୍ରଫେସନାଲ୍ କ୍ଷେତ୍ରରେ ଏକ ବାଧା ଭାବେ ଗ୍ରହଣ କରାଯାଇପାରିବ ନାହିଁ ।"

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ ୩୦ ଏବଂ ୩୧ ତାରିଖରେ ଏହି ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚୟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ କୋର୍ଟ କେତେକ କଡ଼ା ନିୟମ ସ୍ଥିର କରିଛନ୍ତି । ସମ୍ପୂର୍ଣ୍ଣ ଟ୍ରାଏଲ୍ସର ଭିଡିଓ ରେକର୍ଡିଂ କରାଯିବ । ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଏବଂ ଭାରତୀୟ ଅଲିମ୍ପିକ ସଂଘ (IOA)ର ସ୍ୱାଧୀନ ପର୍ଯ୍ୟବେକ୍ଷକମାନେ ସେଠାରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଦାରଖ କରିବେ।

ଭାରତୀୟ କୁସ୍ତି ମହାସଂଘ ହାଇକୋର୍ଟଙ୍କ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ସଂଘ ଦର୍ଶାଇଛି ଯେ, ଦଳ ଚୟନରେ ସମାନତା ଓ ସ୍ଥିରତା ବଜାୟ ରଖିବା ନିହାତି ଜରୁରୀ । ପୂର୍ବରୁ ସମସ୍ତ ଖେଳାଳିଙ୍କ ପାଇଁ ଯେଉଁ ନିୟମ ଓ ମାନଦଣ୍ଡ ନିର୍ଦ୍ଧାରିତ କରାଯାଇଛି, ତାହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ ଏବଂ ଏଥିରେ କୌଣସି ବ୍ୟତିକ୍ରମ କରାଯିବା ଅନୁଚିତ ।